ଆସିକା(ମନୋଜ ମୁନି): ଜୁଏଲାରୀ ଦୋକାନ ବନ୍ଦ କରି ହିସାବ କରୁଥିଲେ ମାଲିକ । ହେଲେ ଅତର୍କିତ ଭାବେ ପଶିଗଲେ ଦୁର୍ବୃତ୍ତ। ଆଉ ସୁନା ଅଳଙ୍କାର ଲୁଟ୍ ଉଦ୍ୟମ କରି ମାଲିକଙ୍କୁ ପକାଇଲେ ଖଣ୍ଡା ଚୋଟ। ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିବାରୁ ମାଲିକଙ୍କ ଝିଅ ବି ଆକ୍ରମଣର ଶିକାର ହେଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପଝିଅ ଗୁରୁତର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଅଳଙ୍କାର ବି ଲୁଟ୍ ହୋଇ ଯାଇଛି। ଏପରି ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ବଜାରରେ ହୋଇଛି।
ଆସିକା ବଜାର ସାହିରେ ପି. ପ୍ରଭାକର ପାତ୍ରଙ୍କର ‘ମହାଲକ୍ଷ୍ମୀ ସୁନା ଦୋକାନ’ ରହିଛି। ଏହି ଦୋକାନ ତାଙ୍କ ଘରକୁ ଲାଗିକି ରହିଛି। ଗତ କାଲି ରାତି ପ୍ରାୟ ୮ଟାରେ ପି. ପ୍ରଭାକର ନିଜ ଦୋକାନ ବନ୍ଦ କରି ହିସାବପତ୍ର କରୁଥିଲେ। ଏହି ସମୟରେ ତାଙ୍କ ଘରର ବେଲ୍ ବାଜିଲା। ପି. ପ୍ରଭାକରଙ୍କ ଝିଅ କବାଟ ଖୋଲି ଦେବାରୁ ୪ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ଭିତରେ ପଶିଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ସେମାନେ ତାଙ୍କ ହାତକୁ ହାଣି ଦେଇଥିଲେ।
[caption id="attachment_789809" align="aligncenter" width="650"]
ଏହାପରେ ସେମାନେ ଦୋକାନ ଭିତରେ ପଶି ପି. ପ୍ରଭାକରଙ୍କୁ ଲକର ଚାବି ମାଗିଥିଲେ। ମାତ୍ର ସେ ଦେବାକୁ ମନା କରିଦେବାରୁ ସେମାନେ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ପକାଇଥିଲେ। ଏହାପରେ ଦୋକାନର ସୋ’କେଶ୍ରେ ଥିବା ଅଳଙ୍କାର ଲୁଟି ନେଇଥିଲେ। ଉଭୟ ବାପଝିଅଙ୍କ ଚିତ୍କାର ଶୁଣି ଲୋକେ ଜମା ହେବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।
ଆହାତ ବାପ ଝିଅଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲ। ସେଠାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଆସିକା ପୁଲିସ ପହଞ୍ଚିଥିବା ବେଳେ କେତେ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି ସେ ନେଇ ପ୍ରକୃତ ତଥ୍ୟ ଜଣା ପଡ଼ିନାହିଁ।
ପୁଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଆସିକାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରୁଛି।