ରାଉରକେଲା (ପୱନ ତିୱାରି): ଓଡ଼ିଶାରେ ଜଣେ ’କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଛି। ଅଯଥାରେ ବ୍ୟସ୍ତ ନହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ରାଉରକେଲା ସ୍ମାର୍ଟସିଟି ଅଧୀନରେ ଥିବା ସମସ୍ତ ପାର୍କ, ସିନେମା ହଲ, ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଛି। ଏଥିପାଇଁ କିଛି ଗାଇଡ୍ଲାଇନ୍ ଜାରି କରାଯାଇଛି।
୧: ମହାନଗର ନିଗମ ଅଧିନରେ ଥିବା ସମସ୍ତ ଅମୃତ ପାର୍କ ଓ ସ୍ମାର୍ଟସିଟି ପ୍ରକଳ୍ପ ଅଧିନରେ ନିର୍ମାଣ ହୋଇଥିବା ସମସ୍ତ ପାର୍କ ସଂପୂର୍ଣ୍ଣ ବନ୍ଦ ରହିବ।
୨: ଅନ୍ୟ ସମସ୍ତ ପାର୍କ ମଧ୍ୟକୁ ପ୍ରତିଦିନ ଅପରାହ୍ନ ୨ଟା ପରେ ଜନସାଧାରଣ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରବେଶ କରିପାରିବେ ନାହିଁ।
୩: ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସପିଂମଲ, ବ୍ୟାୟାମଶାଳା, ସିନେମା ହଲ୍, ସୁଇମିଂ ପୁଲ୍, ଡ୍ୟାନ୍ସ ସ୍କୁଲ୍, ଆର୍ଟ ସ୍କୁଲ୍ ଆଦି ଆସନ୍ତା ୩୧.୩.୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ।
୪: କୌଣସି ପ୍ରକାର ସଭାସମିତି ଆୟୋଜନ, ଧାର୍ମିକ ସମ୍ମିଳନୀ ଆଦି ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଛି।
୫: ଜନସାଧାରଣ ବିବାହ, ବ୍ରତ ଆଦି ସାମାଜିକ ଅନୁଷ୍ଠାନ ଆୟୋଜନ କରି ଭୋଜିଭାତ ଆୟୋଜନ କରିବାରୁ ବିରତ ରହିବାକୁ ପରାମର୍ଶ ଦିଆଯାଉଛି।
୬: ପରିସ୍ଥିତିକୁ ନଜରରେ ରଖି ରାଉରକେଲା ମହାନଗର ନିଗମ କର୍ମଚାରୀଙ୍କ ସମସ୍ତ ଛୁଟି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି।
୭: ମାସ୍କ ଓ ସାନିଟାଇଜର ଜରୁରୀକାଳୀନ ସାମଗ୍ରୀ ସୂଚୀରେ ସ୍ଥାନ ପାଇଛି। ଏପରି ସ୍ଥଳେ ଯଦି କୌଣସି ଦୋକାନୀ ବା ବ୍ୟକ୍ତି ମାସ୍କ ଓ ସାନିଟାଇଜର ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଦାମରେ ବିକ୍ରୟ କରନ୍ତି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୮: ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ମହାନଗର ନିଗମ ପକ୍ଷରୁ ଆଇସୋଲେସନ୍ ସେଣ୍ଟର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।
୯: ଯଦି କୌଣସି ବ୍ୟକ୍ତି ‘କରୋନା’ରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରୁଛନ୍ତି, ତାହେଲେ ତୁରନ୍ତ 104 ଟୋଲ୍ ଫ୍ରି ନମ୍ବର କିମ୍ବା 9439999144 ରେ ଫୋନ କରିବାକୁ ଅନୁରୋଧ କରାଯାଇଛି। ଏହାଛଡ଼ା ଯଦି କୌଣସି ବ୍ୟକ୍ତି ‘କରୋନା’ ପ୍ରଭାବିତ ଦେଶ ବା ରାଜ୍ୟରୁ ଗତ ୧୫ ଦିନ ମଧ୍ୟରେ ଆସିଥାଆନ୍ତି, ତାହେଲେ ତୁରନ୍ତ ଉପରୋକ୍ତ ନମ୍ବରରେ ସୂଚନା ଦିଅନ୍ତୁ।