ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୁଇ ବର୍ଷର ଦରମା ମିଳିନି। ଯାହାଫଳରେ ପରିବାର ଚଳାଇବା କଷ୍ଟକର ହେଉଛି। ସେଥିପାଇଁ ରାଉରକେଲା ବୈଷୟିକ ଡିପ୍ଲୋମା କଲେଜ (RIT)ର ୮୦ରୁ ଅଧିକ କର୍ମଚାରୀ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କୁ ସିଟି କର୍ଯ୍ୟାଳୟରେ ଘେରାଉ କରିଛନ୍ତି। ପ୍ରତିଶ୍ରୁତି ପରେ ମଧ୍ୟ କର୍ମଚାରୀମାନେ ତାଙ୍କୁ ଛାଡ଼ି ନାହାନ୍ତି।
ଆର୍ଆଇଟିରେ ଏବେ ୧୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ସେଥିରୁ ୮୦ରୁ ଅଧିକ କର୍ମଚାରୀଙ୍କୁ ଦରମା ମିଳୁନି। ଅନ୍ୟ କର୍ମଚାରୀଙ୍କୁ ଅଳ୍ପ ଦେଇ କାମ କରାଇ ନେଉଛନ୍ତି କର୍ତ୍ତୃପକ୍ଷ। ଯାହାଫଳରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ବକେୟା ଦରମା ପାଇଁ ଅନେକ ସମୟରେ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ମାତ୍ର ଏଥିପ୍ରତି ଆର୍ଆଇଟି କର୍ତ୍ତୃପକ୍ଷ ତିଳେ ମାତ୍ର ନଜର ଦେଉନାହାନ୍ତି।
ଆଜି ଆର୍ଆଇଟିର ସମ୍ପାଦକ ପ୍ରଭାତ ମହାପାତ୍ର ସିଟି ଅଫିସ୍ରେ ଥିଲେ। ଏ ସମ୍ପର୍କରେ କର୍ମଚାରୀମାନେ ଜାଣିପାରି ତାଙ୍କୁ ଘେରଉ କରିଥିଲେ। ଏପରିକି ବକେୟା ଓ ନିୟମିତ ଦରମା ପ୍ରଦାନ ପାଇଁ ଦାବି କରିଥିଲେ। ୩ ଦିନ ଭିତରେ ବକେୟା ଦରମା ଦିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଥିରେ ରାଜି ହୋଇନଥିଲେ କର୍ମଚାରୀ। ଦାବି ପୂରଣ ନେଇ ଆର୍ଆଇଟିର ଗଭର୍ଣ୍ଣିଂ ବଡ଼ି ସଦସ୍ୟଙ୍କ ଅନୁମୋଦନ ପରେ ଛାଡ଼ିବୁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ। ଏବେ ମଧ୍ୟ ଶ୍ରୀ ମହାପାତ୍ର ଆର୍ଆଇଟି କର୍ମଚାରୀଙ୍କ କବଳରେ ଥିବା ଜଣାପଡ଼ିଛି।
ବକେୟା ଦରମା ମିଳୁନଥିବାରୁ ଆଜିକୁ ୨ ମାସ ତଳେ କର୍ମଚାରୀମାନେ ଆର୍ଆଇଟି ଚେୟାରମ୍ୟାନ୍ ଓ ସମ୍ପାଦକ ଶ୍ରୀ ମହାପାତ୍ରଙ୍କୁ ଘରେଓ କରିଥିଲେ। ଏପରି ଠେଲାପେଲା କରିଥିଲେ। ଯେଉଁଥିପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ରଘୁନାଥପାଲୀ ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଏନେଇ ମାମଲା କୋର୍ଟରେ ବିଚାରାଧୀନ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।