ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ମହିଳା। ଦାୟିତ୍ୱରେ ଥିବା ଆର୍ପିଏଫ୍ କର୍ମଚାରୀଙ୍କ ସାହାସ ଓ ତ୍ୱରିତ ପଦକ୍ଷେପ ଯୋଗୁ ସେ ପାଇଛନ୍ତି ନୂଆ ଜୀବନ। ଚଳନ୍ତା ଟ୍ରେନ୍ରୁ ଡେଉଁ ଥିବା ବେଳେ ରେଳ ଧାରଣାରେ ପଡ଼ି ଯାଉଥିବା ବେଳେ ଉପସ୍ଥିତ ଆର୍ପିଏଫ୍ କନଷ୍ଟେବଲ ତାଙ୍କୁ ରକ୍ଷା କରିଥିଲେ। ଆଉ ଏହାର ଦୃଶ୍ୟ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି।
ଆଜି ସକାଳ ପ୍ରାୟ ୧୦ଟା ବେଳେ ଘଟିଛି ଏହି ଘଟଣା। ୧୦ଟା ୫ରେ ରେଳ ଷ୍ଟେସନର ୩ ନମ୍ବର ପ୍ଲାଟ୍ଫର୍ମରେ ଆସି ଲାଗିଥିଲା ପଲାସା-କଟକ ପାସେଞ୍ଜର ଟ୍ରେନ୍। ୫ଟି ମିନିଟ୍ ରହି ୧୦ଟା ୧୦ରେ ଏହା ଷ୍ଟେସନ ଛାଡ଼ିଥିଲା। ଟ୍ରେନ୍ଟି ଧୀରେ ଧୀରେ ଆଗକୁ ବଢୁଥିବା ବେଳେ ଜଣେ ମହିଳା ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ। ସେ ଚଳନ୍ତା ଟ୍ରେନ୍ରୁ ଡେଇଁବାକୁ ଉଦ୍ୟମ କରିଥିଲେ। ଆଉ ସେତେବେଳକୁ ସେଠାରେ ଡ୍ୟୁଟିରେ ଥିବା ଆର୍ପିଏଫ୍ କନଷ୍ଟେବଲ ସନାତନ ମୁଣ୍ଡା ତାଙ୍କୁ ଦେଖି ସାରିଥିଲେ। ସେ ଆଶଙ୍କା କରି ସାରିଥିଲେ ଯେ ମହିଳା ଜଣଙ୍କ ପଡ଼ିଯିବେ। ଆଉ ତାଙ୍କ ଆଶଙ୍କା ସତ ହେଲା। ମହିଳା ଜଣଙ୍କ ଟ୍ରେନ୍ରୁ ଡେଇଁ ପଡ଼ିଲେ ଓ ତାଙ୍କ ଗୋଡ଼ ପ୍ଲାଟ୍ଫର୍ମରୁ ରେଳ ଧାରଣାକୁ ଖସିବାକୁ ଯାଉଥିବା ବେଳେ ଆର୍ପିଏଫ୍ କନଷ୍ଟେବଲ ସନାତନ ମୁଣ୍ଡା ତାଙ୍କୁ ଚଟାପଟ ଟାଣି ଆଣିଥିଲେ।
ଅନ୍ୟପକ୍ଷରେ ଟ୍ରେନ୍ରେ ଥିବା ଅନ୍ୟ ଜଣେ ମହିଳା ମଧ୍ୟ ଉକ୍ତ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ବି ଟ୍ରେନ୍ରୁ ପ୍ଲାଟଫର୍ମକୁ ଖସି ପଡ଼ିଥିଲେ।
ଗତକାଲି ମଧ୍ୟ ଭୁବନେଶ୍ୱର ରେଳ ଷ୍ଟେସନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ପୁରୀ-ସିଆଲଦା ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍ ଷ୍ଟେସନ ଛାଡ଼ୁଥିବା ବେଳେ ଜଣେ ମହିଳା ସେଥିରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ସେ ବି ଅଳ୍ପକେ ଅଘଟଣରୁ ରକ୍ଷା ପାଇ ଯାଇଥିଲେ।
ଏଭଳି ଘଟଣା ବରାବର ଘଟୁଥିବା ବେଳେ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଉଛି। କିନ୍ତୁ ଲୋକେ ସତର୍କ ହେଉ ନଥିବା ଯୋଗୁ ଏଭଳି ଘଟଣାର ବାରମ୍ବାର ଘଟୁଛି।
https://youtu.be/lrfiJTCoFZc