ଭୁବନେଶ୍ୱର(ଓଡିଶା ରିପୋର୍ଟର): ଏକାମ୍ର କ୍ଷେତ୍ରାଧିଶ୍ୱର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଏକ ପ୍ରମୁଖ ଉତ୍ସବ। ଲିଙ୍ଗ ପୁରାଣରେ ଏହାର ବିସ୍ତ୍ରୁତ ବିବରଣୀ ରହିଛି। ପ୍ରାଚୀନ ଉତ୍କଳର ୩ ପ୍ରମୁଖ ରଥଯାତ୍ରା ମଧ୍ୟରୁ ଏହା ଅନ୍ୟତମ। ପୁରୀରେ ଗୁଣ୍ଡିଚା, ଏକାମ୍ରରେ ରୁକୁଣା ଏବଂ ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ବାବଦରେ ଅନେକ କୌତୁହଳ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥାଏ। ତେବେ ଆସନ୍ତୁ ଜାଣିବା ଆଧୁନିକ ଭୁବନେଶ୍ୱର ତଥା ଭଗବାନ ଶିବଙ୍କର ପ୍ରିୟ କ୍ଷେତ୍ର ଏକାମ୍ରରେ ଅନୁଷ୍ଠିତ ହେଉଥିବା ରୁକୁଣା ରଥଯାତ୍ରା ସମ୍ପର୍କରେ କିଛି ଅଜଣା କଥା।
ଚୈତ୍ରମାସ ଶୁକ୍ଳ ଅଷ୍ଟମୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରାମନବମୀରେ ଏକାମ୍ର କ୍ଷେତ୍ରରେ ଅବସ୍ଥିତ ପ୍ରଭୁ ରାମେଶ୍ୱରଙ୍କ ମନ୍ଦିରକୁ ଶ୍ରୀ ଲିଙ୍ଗରାଜ ଯାତ୍ରା କରିଥାନ୍ତି। ଏହି ରଥୋତ୍ସବରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହ ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ଅନନ୍ତ ବାସୁଦେବ, ମହାପ୍ରଭୁଙ୍କ ଭଗିନୀ ଭାବେ ପରିଚିତ ଦେବୀ ରୁକ୍ମଣା ଓ ମନ୍ତ୍ରୀ ଭାବେ ପରିଚିତ ପ୍ରଭୁ କପିଳନାଥ ରଥାରୁଢ ହୋଇ ଯାତ୍ରା କରିଥାନ୍ତି।
କ’ଣ ଏହି ରଥ ?
- ପୁରୀ ରଥଯାତ୍ରା ମା’ ଗୁଣ୍ଡିଚାଙ୍କ ନାମରେ ନାମିତ ହେବା ଭଳି ରୁକୁଣା ରଥ ଲିଙ୍ଗରାଜଙ୍କ ଭଉଣୀ ରୁକ୍ମଣୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକୃତ। ନାରୀର ମର୍ଯ୍ୟାଦାକୁ ମହିମାନ୍ୱିତ କରିବାକୁ ଯାଇ ଏଭଳି ନାମକରଣ କରାଯାଇଛି।
- ଗୋଟିଏ ରଥରେ ୪ ଠାକୁର ବିରାଜମାନ କରି ଯାତ୍ରା କରନ୍ତି
- ରଥର ଉଚ୍ଚତା ୨୧ ହାତ
- ରଥର ଚକ ସଂଖ୍ୟା ୪
- ନିର୍ମାଣ ସମୟ ୩୨ ଦିନ(ଶ୍ରୀ ପଞ୍ଚମୀରେ ଆରମ୍ଭ ହୋଇଥାଏ ରଥ ନିର୍ମାଣ)
- ଯୋଚା ହୁଅନ୍ତି ୪ଟି ଘୋଡା
- ରଥର ସାରଥି ବ୍ରହ୍ମା
- ୪ ଚକରେ ସୂର୍ଯ୍ୟ, ଚନ୍ଦ୍ର, ୨ ଅଖରେ ଦେବରାଜ ଇନ୍ଦ୍ରଙ୍କୁ ପରିକଳ୍ପନା କରାଯାଏ