ବାଲେଶ୍ୱର (ଓଡ଼ିଶା ରିପୋର୍ଟର) ବାଲେଶ୍ୱର ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ପାଇଁ ଆସିଥିବା ରୁଷୀୟ ଦମ୍ପତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଗତବର୍ଷ ଅକ୍ଟୋବରରେ ସେ ଓଡ଼ିଶା ବୁଲିବାକୁ ଆସି କ୍ଷୀରଚୋରା ଗୋପୀନାଥଙ୍କ ପାଖରେ ଅଟକି ରହିଥିଲେ ରୁଷୀୟ ଦମ୍ପତି ଶକ୍ତିତବ ଦାସ ଓ ତେଜସ୍ୱିନୀ ଦାସ । ତେବେ ମନ୍ଦିର ଭିତରେ ପଶି ଠାକୁରଙ୍କ ଦର୍ଶନ କରିପାରି ନଥିଲେ ବି ଧିରେ ଧିରେ ଦୁହେଁ ଗୋପୀନାଥଙ୍କ ପ୍ରେମରେ ପଡ଼ି ଯାଇଥିଲେ ।
ଏମିତି କିଛି ଦିନ ଯିବା ପରେ କରୋନା ପାଇଁ ଲକଡାଉନ ଓ ସଟଡାଉନ ହୋଇଥିଲା। ଏହାରି ଭିତରେ ଗତ ଏପ୍ରିଲରେ ତାଙ୍କର ଭିସା ଅବଧି ସରି ଯାଇଥିଲା । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବା ଓ ଭିସା ଅବଧି ସରିଯିବାରୁ ଦୁହେଁ ଫସି ରହିଛନ୍ତି । ଏବେ ଦୁହେଁ ନା ସ୍ୱେଦେଶ ଫେରି ପାରୁଛନ୍ତି ନା ଏଠି ରହି ପାରୁଛନ୍ତି। ଏଭଳି ପରିସ୍ଥିତିରେ ଦୁହେଁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସହଯୋଗ ପାଇଁ ନେହୁରା ହୋଇଛନ୍ତି । ଜିଲ୍ଲା ପ୍ରଶାସନ ବି ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି ।