ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସୁସ୍ଥ ହୋଇ ଘରକୁ ଗଲେ ବେକରେ ଜେଭେଲିନ ପଶି ଗୁରୁତର ହୋଇଥିବା ସଦାନନ୍ଦ ମେହେର। ଆଜି ସେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି। ଡିସ୍ଚର୍ଜ ହେବା ପରେ ସେ ଉକ୍ତଦିନ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି।
ସଦାନନ୍ଦଙ୍କ କହିବା ମୁତାବକ, ସେହିଦିନ ଗାର ଉପରେ ଲାଇନ୍ ଅପ୍ ପାଇଁ ଛିଡା ହୋଇଥିବା ବେଲେ, ତାଙ୍କ ହାତଘଣ୍ଟାରୁ ଚାବି ଖସି ପଡିଥିଲା। ଘଣ୍ଟାର ଚାବିକୁ ଉଠାଇବା ପାଇଁ ସେ ନଇଁ ପଡିଥିବା ବେଳେ ଅନ୍ୟପଟେ ପ୍ରାକ୍ଟିସ କରୁଥିବା ଜଣେ ସାଂଗଙ୍କ ହାତରୁ ଜେଭେଲିନ ଖସି ଆସି ସିଧା ତାଙ୍କ ବେକରେ ପଶିଯାଇଥିଲା। ନିଜ ଗଳାରେ ଫଶିରହିଥିବା ଜେଭେଲିନକୁ ସେ ସାହାସର ସହିତ ହାତରେ ଧରି ଅପରେସନ ପାଇଁ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ସୁସ୍ଥ ଅନୁଭବ କରୁଛନ୍ତି। ଭାତ, ଡାଲି ଖାଇ ପାରୁଛନ୍ତି। ଖୁବ୍ଶୀଘ୍ର ପୁଣି ସ୍କୁଲକୁ ପଢ଼ିବାକୁ ଯିବେ ବୋଲି ସଦାନନ୍ଦ କହିଛନ୍ତି।
ସୂଚନା ଥାଉକି, ଗତ ୧୭ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳର ବାର୍ଷକ କ୍ରୀଡା ଉତ୍ସବରେ ଘଟିଥିଲା ଅଘଟଣ। ଦୌଡ଼ ପାଇଁ ଟଣା ଯାଇଥିବା ଗାର ଅପରେ ଛିଡା ହୋଇଥିବା ନବମ ଶ୍ରେଣୀର ଛାତ୍ର ସଦାନନ୍ଦଙ୍କ ଗଳାରେ ଜେଭେଲିନ ଷ୍ଟିକ ପଶି ଯାଇ ଫଶି ରହିଥିଲା। ହେଲେ ଧର୍ଯ୍ୟ ଦେଖାଇଥିଲେ ସଦାନନ୍ଦ। ନା କାନ୍ଦିଥିଲେ, ନା ଅଧର୍ଯ୍ୟ ହୋଇପଡ଼ିଥିଲେ। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ତିନି ଘଣ୍ଟାର ଅପରେସନ ପରେ ସଦାନନ୍ଦଙ୍କ ଗଳାରୁ ଜେଭେଲିନ କଢା ଯାଇଥିଲା। ସେହି ଦିନଠୁ ତାଙ୍କୁ ଆଇସିୟୁ ଭିତରେ ରଖି ଚିକିତ୍ସା କରାଯାଉଥିଲା। ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଥିଲେ ରାଜ୍ୟ ସରକାର। ଆଜି ସୁସ୍ଥ ହେବା ପରେ ଖୁସି ପ୍ରକାଶ କରି ଘରକୁ ଯାଇଛନ୍ତି ସଦାନନ୍ଦ। ସେପଟେ ସଦାନନ୍ଦ ସୁସ୍ଥ ହେବା ପରେ ତାଙ୍କ ମା’ ଡିଲେଶ୍ୱରୀ ମେହେରଙ୍କ ପରିବାର ଲୋକେ ବହୁତ ଖୁସି ପ୍ରକାଶ କରିଛନ୍ତି।
ମା’ ଡିଲେଶ୍ୱରୀ କହିଛନ୍ତି, ପୁଅ ସୁସ୍ଥ ହୋଇଛି। ପୁଣି ସ୍କୁଲ ଯିବ। ଅଭାବି ଭିତରେ ତାର ପାଠପଢ଼ା ଚାଲିଛି। ସରକାର ଦୃଷ୍ଟି ଦେଲେ ସଦାନନ୍ଦ ଭଲ ପାଠ ପଢ଼ି ଭଲ ମଣିଷ ହୋଇପାରନ୍ତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।