ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ନିଖୋଜ ଇଂଜିନିୟରିଂ ଛାତ୍ର ମାମଲା ଭିନ୍ନ ମୋଡ ନେଇଛି। ୪ ଛାତ୍ରଙ୍କ ଭିତରୁ ଦୁଇ ଜଣଙ୍କର ରହିଛି ଝାଡ଼ଖଣ୍ଡର କୁଖାତ ଜାମତରା ଗ୍ୟାଙ୍ଗ ସହ ଲିଙ୍କ। ଜଣେ ବ୍ୟକ୍ତିଙ୍କୁ ଅନ୍ଲାଇନ୍ରେ ଠକେଇ ଅଭିଯୋଗରେ ୨ ମେକାନିକାଲ ଛାତ୍ରଙ୍କ ସହ ୩ ଗିରଫଙ୍କୁ ଗିରଫ କରିଛି ସମ୍ୱଲପୁର ପୁଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ କହିଛି।
ସୋମବାର ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୪ ଜଣ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ କମିଶନରେଟ୍ ପୁଲିସ୍ରେ ଅଭିଯୋଗ କରିଥିଲେ। କମିଶନରେଟ୍ ପୁଲିସ ଅଭିଯୋଗକୁ ଭିତ୍ତି କରି ତନାଘନା କରିବା ପରେ ନିଖୋଜ ଥିବା ୪ ଛାତ୍ରଙ୍କ ଭିତରୁ ୨ ଜଣ ଅନଲାଇନ୍ ଠକେଇରେ ସଂପୃକ୍ତି ଜାମତାରା ଗ୍ୟାଙ୍ଗ୍ ସହ କାମ କରୁଥିବା ସୂଚନା ଦେଇଥିଲା ସମ୍ବଲପୁର ପୁଲିସ୍।
ଗିରଫ ଦୁଇ ଛାତ୍ର ହେଲେ ଝାଡ଼ଖଣ୍ଡ ପୂର୍ବସିଂଭୂମର ବିଶାଳ ପାଣ୍ଡେ ଓ ବିହାର ଜାମୁଇର ଶେଖର ଗୌତମ୍। ଏମାନେ ଜାମତାରା ଗ୍ୟାଙ୍ଗର ପ୍ରତ୍ୟକ୍ଷ ସଦସ୍ୟ ରେହମତ ଅନସାରୀ ସହ ଠକେଇରେ ସାମିଲ ଥିବା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି। ସମ୍ବଲପୁର ପୁଲିସ ସେମାନଙ୍କଠାରୁ ନଗଦ ୧ ଲକ୍ଷ ୧୩ ହଜାର ଟଙ୍କା, ୯ଟି ମୋବାଇଲ ଫୋନ୍, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ ଓ ଏକ ଲାପଟପ୍ ଜବତ କରିଛି।
ସମ୍ୱଲପୁର ଏସ୍ପି ବି. ଗଙ୍ଗାଧର କହିଛନ୍ତି, “ଆମ ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତମାନେ ଧରା ପଡ଼ିବାର ଅଛି। ଫେରାର ଅଭିଯୁକ୍ତ ଗିରଫ ହେବାପରେ ପୂରା ଘଟଣା ଉପରୁ ପର୍ଦ୍ଦା ଉଠିବ।”
ଏମାନଙ୍କ ଠକାମୀରେ ଶିକାର ହୋଇଥିଲେ ସମ୍ୱଲପୁର ଅଇଁଠାପାଲିର ସରୋଜ ଦାସ। ତାଙ୍କ କହିବା ଅନୁସାରେ ସେ ଅନଲାଇନ୍ ଆପ୍ରେ ୩ ଲକ୍ଷ ୮୦ ହଜାର ଟଙ୍କା ଋଣ ପାଇଁ ଆବେଦନ କରିଥିଲେ। ସରୋଜ ସେହି ଆପ୍ର କଷ୍ଟମର କେୟାର ନମ୍ବର ସହ ଯୋଗାଯୋଗ କରିବା ଭିତରେ ଠକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ପରେ ତାଙ୍କ ନିକଟକୁ 7319760303 ନମ୍ବରରୁ ଏକ କଲ ଆସିଥିଲା। ଆଉ ଫୋନ୍ କରିଥିବା ବ୍ୟକ୍ତି ଋଣ କରାଇଦେବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଫୋନ୍ କରିଥିବା ବ୍ୟକ୍ତି(ଠକ) ତାଙ୍କ ମୋବାଇଲରେ ଏନି ଡେସ୍କ ନାଁରେ ଏକ ଆପ୍ ଡାଉନଲୋଡ୍ ପାଇଁ କହିଥିଲେ। ତାଙ୍କ କଥା ପଡ଼ି ସରୋଜ ଏନି ଡେସ୍କ ଆପ୍ ଡାଉନ୍ଲୋଡ୍ କରିଥିଲେ। ଆଉ ଏହା ପରେ ଗତ ୫ ତାରିଖରେ ସରୋଜଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ମାତ୍ରେ ସେଥିରୁ ୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ସରୋଜ ଘଟଣା ସମ୍ପର୍କରେ ଅଇଁଠାପାଲି ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ମୋବାଇଲ ନମ୍ବରକୁ ଟ୍ରାକ୍ କରି ପୁଲିସ୍ ଜାମତାରା ଗ୍ୟାଙ୍ଗର ଲିଙ୍କ ପାଇଥିଲା।
ସେପଟେ ପୁଲିସ ଉଠାଇ ନେଇଥିବା ୪ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ନିର୍ଦ୍ଦୋଷ ଥିବା ପ୍ରାଥମିକ ପ୍ରମାଣ ମିଳିବା ପରେ ସମ୍ବଲପୁର ପୁଲିସ ସେମାନଙ୍କୁ ଛାଡ଼ି ଦେଇଛି।