ସମ୍ବଲପୁରରେ ବନ୍ୟା ମୁକାବିଲା ପ୍ରସ୍ତୁତି: ନିର୍ଦ୍ଧାରିତ ସମୟରେ ଷ୍ଟର୍ମ ୱାଟର ପମ୍ପିଂ ଷ୍ଟେସନ୍ ନିର୍ମାଣ ଶେଷ ନେଇ ଆଶଙ୍କା

ସମ୍ବଲପୁର: ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ୱଲପୁର ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି। ବିଶେଷ କରି ବନ୍ୟା ସମୟରେ ସହର ମଧ୍ୟରୁ ଜଳ କିପରି ନିଷ୍କାସନ କରାଯିବ ସେଥିପାଇଁ ନିର୍ମାଣ ଚାଲିଛି ୩ଟି ପମ୍ପିଂ ଷ୍ଟେସନ। ଏଗୁଡ଼ିକର ନିର୍ମାଣ କାମ ଜୁଲାଇ ମାସ ଶେଷ ସୁଦ୍ଧା ସାରିବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ କାମ ସରିବା ନେଇ ଆଶଙ୍କ। ଦେଖାଦେଇଛି। ସମ୍ୱଲପୁର ସହରର ବାଲିବନ୍ଧା, ବିଣାଖଣ୍ଡୀ ଓ ମନ୍ଦଳିଆରେ ଚାଲିଛି ପମ୍ପିଂ ଷ୍ଟେସନ୍ […]

sbp

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 01:09 PM IST

ସମ୍ବଲପୁର: ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ୱଲପୁର ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି। ବିଶେଷ କରି ବନ୍ୟା ସମୟରେ ସହର ମଧ୍ୟରୁ ଜଳ କିପରି ନିଷ୍କାସନ କରାଯିବ ସେଥିପାଇଁ ନିର୍ମାଣ ଚାଲିଛି ୩ଟି ପମ୍ପିଂ ଷ୍ଟେସନ। ଏଗୁଡ଼ିକର ନିର୍ମାଣ କାମ ଜୁଲାଇ ମାସ ଶେଷ ସୁଦ୍ଧା ସାରିବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ କାମ ସରିବା ନେଇ ଆଶଙ୍କ। ଦେଖାଦେଇଛି।

ସମ୍ୱଲପୁର ସହରର ବାଲିବନ୍ଧା, ବିଣାଖଣ୍ଡୀ ଓ ମନ୍ଦଳିଆରେ ଚାଲିଛି ପମ୍ପିଂ ଷ୍ଟେସନ୍ ନିର୍ମାଣ କାମ। ନିର୍ମାଣ କାମ ହାତକୁ ନେଇଛି ଓସିସିଏଲ ବା ଓଡ଼ିଶା କନଷ୍ଟ୍ରକ୍ସନ କଂପାନୀ ଲିମିଟେଡ୍।  ବ୍ୟୟ ଅଟକଳ ରହିଛି ୧୮ କୋଟି ୫୦ ଲକ୍ଷ ଟଙ୍କ।। ଏହି ସ୍ଥାନଗୁଡ଼ିକରେ ଥିବା ସହରର ୩ଟି ପ୍ରମୁଖ ଡ୍ରେନରେ ସ୍ଥାପନ କରାଯିବ ଉଚ୍ଚଶକ୍ତି ସମ୍ପନ୍ନ ଡିଜେଲ ମୋଟର। ଏ ଗୁଡିକ ପାଣି ଭିତରେ ବୁଡି ରହିବ। ନିରବଚ୍ଛିନ୍ନ ଭାବେ ୭ ଦିନ ଚାଲିପାରିବ। ଆଉ ବନ୍ୟା ସମୟରେ ସହରର ଡ୍ରେନ ପାଣିକୁ  ପମ୍ପିଂ କରି ମହାନଦୀକୁ ଛାଡିବ ବୋଲି କହିଛନ୍ତି ଓସିସିଏଲର ସିନିୟର ମ୍ୟାନେଜର ଲୋକନାଥ ମହାନ୍ତି।

ବାଲିବନ୍ଧା, ବିଣାଖଣ୍ଡୀ ଓ ମନ୍ଦଳିଆରେ ଥିବା ପ୍ରମୁଖ ୩ଟି ଡ୍ରେନ୍ ଦେଇ ସହର ଯାକର ଜଳ ମହାନଦୀକୁ ନିଷ୍କାସିତ ହୋଇଥାଏ। କିନ୍ତୁ ଯେତେବେଳେ ହୀରାକୁଦ ଡ୍ୟାମ୍ ବନ୍ୟା ଜଳ ନିଷ୍କାଷିତ  କରେ ଓ ବର୍ଷା ଲାଗି ରହେ ଓଲଟା ମହାନଦୀର ଜଳ ସେହି ଡ୍ରେନ ଦେଇ ସହର ଭିତରକୁ ପଶିଆସେ। ତେଣୁ ଡ୍ରେନର ସ୍ଲୁଇସ ଗେଟ ବନ୍ଦ କରିବାକୁ ପଡେ ଓ ସହର ଜଳାର୍ଣ୍ଣବ ହୋଇପଡେ। ଗତବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ସହର ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ୟା। ସହରର ତଳି ଅଂଚଳ ବୁଡିଯିବା ସହ ଅଧିକାଂଶ ଅଂଚଳରେ ଘର ସବୁ ଅଧା ବୁଡିଯାଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ସହରର ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ  ମଟର ବୋଟରେ ଯାତାୟତ କରିବାକୁ ପଡିଲା। ଏଭଳି ବନ୍ୟା ସହରବାସୀ ପୂର୍ବରୁ କେବେ ଦେଖି ନ ଥିଲେ। ସହରର ମୁଖ୍ୟ ଡ୍ରେନ ଗୁଡିକ ର ଜବରଦଖଲ ଓ ପୋତିହେବା କାରଣରୁ ଏଭଳି ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଲା ବୋଲି ସହରବାସୀ କହିଥିଲେ। ସେହି ଘଟଣା ପରେ ପ୍ରଶାସନର ଚେତା ପଶିଥିଲା। ଏଭଳି ପରିସ୍ଥିର ମୁକାବିଲା କରିବା ପାଇଁ ଷ୍ଟର୍ମ ୱାଟର ପମ୍ପିଂ ଷ୍ଟେସନ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରିଥିଲା ପ୍ରଶାସନ। ଏହି ଯୋଜନାକୁ ସହରବାସୀ ମଧ୍ୟ ସ୍ୱାଗତ କରିଛନ୍ତି। ତେବେ ଠିକ୍ ସମୟରେ ଏଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ସେଚ୍ଛାସେବୀ ପ୍ରଦୀପ ବେହେରା କହିଛନ୍ତି ଯେ ପ୍ରଶାସନର ଏ ପଦକ୍ଷେପ ସ୍ୱାଗତଯୋଗ୍ୟ। କିନ୍ତୁ ବର୍ଷା ଦିନ ତ ଆସିଗଲା। ନିର୍ଦ୍ଧାରିତ ଜୁଲାଇ ମାସ ଶେଷ ପୂର୍ବରୁ ଏହି ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଶେଷ ହେବା ନେଇ ଆଶଙ୍କା ଦେଖା ଦେଇଛି। ବର୍ଷା ଦିନ ପୂର୍ବରୁ ଏଗୁଡ଼ିକ ନିର୍ମାଣ ଶେଷ ହୋଇଥିଲେ ଭଲ ହୋଇ ଥାଆନ୍ତା।

Related story