Advertisment

୧୧୯ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ କଢ଼ାଯିବ ବାଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲି ମୁକ୍ତ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର। ବଦଳିବ ସୂର୍ଯ୍ୟମନ୍ଦିର ରୂପରେଖା। ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି। ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଆଜି ହୋଇଛି ପୂଜାର୍ଚ୍ଚନା। ଏଏସ୍‌ଆଇର ଐତିହାସିକ ନିଷ୍ପତ୍ତି କ୍ରମେ, ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ BDR ନିର୍ମାଣ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ। ଏହି […]

author-image
Manoranjan Sial
୧୧୯ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ କଢ଼ାଯିବ ବାଲି

Konark

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲି ମୁକ୍ତ ହେବ କୋଣାର୍କ ସୂର୍ଯ୍ୟ ମନ୍ଦିର। ବଦଳିବ ସୂର୍ଯ୍ୟମନ୍ଦିର ରୂପରେଖା। ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି। ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଆଜି ହୋଇଛି ପୂଜାର୍ଚ୍ଚନା।

Advertisment

ଏଏସ୍‌ଆଇର ଐତିହାସିକ ନିଷ୍ପତ୍ତି କ୍ରମେ, ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ BDR ନିର୍ମାଣ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମରେ ଲିଫ୍ଟ ଓ ଟ୍ରଲି ଭଳି ମେକାନିକାଲ ସିଷ୍ଟମ ଦ୍ୱାରା ଗର୍ଭଗୃହରୁ ବାଲି ଏବଂ ପଥର କଢ଼ା ଯିବ। ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଦ୍ୱାରର ଦ୍ୱିତୀୟ ପୀଢ଼ ନିକଟରେ ୪ ଫୁଟ ଓସାର ଓ ୫ ଫୁଟର ଉଚ୍ଚର ଏକ ରାସ୍ତା ଖୋଳି ଗର୍ଭଗୃହରୁ ବାଲି କାଢ଼ିବ ଏଏସ୍‌ଆଇ। BDR କମ୍ପାନୀର ବୈଷୟିକ ସହାୟତାରେ ଆସନ୍ତା ୩ ବର୍ଷ ମଧ୍ୟରେ ବାଲି କାଢ଼ିବାକୁ ଯୋଜନା ରହିଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ।

୧୯୦୩ ମସିହାରେ ସୂର୍ଯ୍ୟମନ୍ଦିରର ମୁଖଶାଳାର ସ୍ଥିତି ଓ ଉପରଭାଗରୁ ପଥର ଖସୁଥିବା ଦେଖି ବ୍ରିଟିଶ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ। ଏଥିସହ ସମସ୍ତ ଦ୍ୱାର ବନ୍ଦ କରିଦେଇଥିଲେ। ଇତିମଧ୍ୟରେ ବିତିଗଲାଣି ୧୧୯ ବର୍ଷ। ତେବେ ମନ୍ଦିରର ଗର୍ଭଗୃହ ସୁରକ୍ଷା ପାଇଁ ୨୦୧୦ ମସିହାରେ କୋଣାର୍କରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ କର୍ମଶାଳା। ଏଥିରେ ଯୋଗଦେଇଥିବା ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ଥପତି, ଇଞ୍ଜିନିୟର ବାଲି କାଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

Advertisment

ସେହିପରି ୨୦୧୫ରେ ଗର୍ଭଗୃହର ଆଭ୍ୟନ୍ତରୀଣ ସ୍ଥିତିରେ କ’ଣ ପରିବର୍ତ୍ତନ ଆସିଛି? ତାହା ଜାଣିବା ପାଇଁ ରୁର୍କି ସ୍ଥିତ ସେଣ୍ଟର ଫର ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ସିବିଆର) ପ୍ରଥମ ପର୍ଯ୍ୟାୟରେ ଜିପିଆର୍‌ଏସ୍‌, ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି କରି ଏଏସ୍‌ଆଇକୁ ରିପୋର୍ଟ ଦେଇଥିଲା। ଏଥିରେ ମୁଖଶାଳା ଗର୍ଭଗୃହ ମଧ୍ୟରେ ଥିବା ବାଲି ୧୭ ଫୁଟ ଦବିବା ସହ ପଥର ଖସିଥିବା କୁହାଯାଇଥିଲା। ସୂର୍ଯ୍ୟମନ୍ଦିରର ସୁରକ୍ଷା ଉପରେ ଏଏସ୍‌ଆଇର ଭୂମିକାକୁ ନେଇ ହାଇକୋର୍ଟ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏସବୁ ଭିତରେ ଆଜି ଏଏସ୍‌ଆଇ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହି କାମ ବହୁ ଆଗରୁ ହେବାର ଥିଲା ବୋଲି ମତ ରଖିଛନ୍ତି ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର।

ସେପଟେ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା ନିଷ୍ପତ୍ତିକୁ କୋଣାର୍କ ସୁରକ୍ଷା ସମିତି ସମେତ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ବାଲି ନିଷ୍କାସନର ସମସ୍ତ ପ୍ରକ୍ରିୟାକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି।