ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଭଦ୍ରକ, କଟକରୁ କଳାହାଣ୍ଡି। ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କରୋନା ଟିକାକରଣ। ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସବୁଠି ଦେଖାଦେଇଥିଲା ଭୟର ବାତାବରଣ । ସେବେଠୁ ସମସ୍ତଙ୍କ ଅପେକ୍ଷା ଥିଲା କରୋନା ରକ୍ଷା କବଚକୁ । ଏହାର ପ୍ରାୟ ୧୦ ମାସ ପରେ ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ଦିଆଯାଉଛି ସଂଜୀବନୀ ।
ଭୁବନେଶ୍ୱରରେ ସଫେଇ କର୍ମଚାରୀ ବିରଞ୍ଚି ନାୟକ ଓ କଟକରେ ବର୍ଷା ଦେଈ ପ୍ରଥମେ ନେଇଥିଲେ କୋଭିଡ୍ ଟିକା । ସେହିପରି ଲୋକଙ୍କ ଭିତରୁ ଭୟ ଦୂର କରି ଟିକା ପ୍ରତି ବିଶ୍ୱାସ ସୃଷ୍ଟି କରିବାକୁ କ୍ୟାପିଟାଲ୍ ହସପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ, ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର, ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବି. ପ୍ରମୁଖ ମଧ୍ୟ ଟିକା ନେଇଥିଲେ । ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ବ୍ୟବହାର ହୋଇଥିବା ବେଳେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଦିଆଯାଇଛି କୋଭାସିଲ୍ଡ ଭାକ୍ସିନ୍ । ମୋଟ୍ ୧୬୧ଟି କେନ୍ଦ୍ରରେ ଟିକାକରଣ କରଯାଉଛି ପ୍ରତି କେନ୍ଦ୍ରରେ ଦୈନିକ ୧୦୦ ଜଣ ଟିକା ନେଇପାରିବେ ଟିକା ନେବାପରେ ହିତାଧିକାରୀଙ୍କୁ ଅଧଘଣ୍ଟା ଯାଏଁ ନିରୀକ୍ଷଣ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେଉଁଠୁ ବି ପାର୍ଶ୍ୱ ପ୍ରତିକ୍ରିୟା ଖବର ଆସିନାହିଁ । ଟିକାକରଣ ବି ସୁରୁଖୁରୁରେ ହୋଇଛି।
ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରନେସିଂ ମାଧ୍ୟମରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କ ସହ କଥା ହୋଇଥିଲେ । ଟିକା ନେଇଥିବା କ୍ୟାପିଟାଲ୍ ହସପିଟାଲର ସ୍ୱାସ୍ଥ୍ୟକର୍ମୀ, ସୁନ୍ଦରଗଡର ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ବ୍ରହ୍ଣପୁରର ଜଣେ ଡାକ୍ତରଙ୍କ ସହ କଥା ହୋଇ ଫିଡ୍ବ୍ୟାକ ନେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦଫାରେ ରାଜ୍ୟରେ ୧ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ । ଆସନ୍ତାକାଲି ଦିନକ ପାଇଁ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ସୋମବାରଠାରୁ ପୁଣି ଏହି ପ୍ରକ୍ରିୟା ଚାଲିବ । ଆସନ୍ତା ୨୫ ତାରିଖ ସୁଦ୍ଧା ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।