ବାସୁଦେବପୁର(କିରିଟି ଦାସ): ସକାଳ ସାତଟା ହେଲେ ମହିଳା କଣ୍ଠରୁ ଶୁଭେ ପରିବା ନେବ ପରିବା ଡାକ। ସାଇକେଲରେ ପରିବା ଝୁଡ଼ି ସହ ଏମିତି ଡାକି ଡାକି ଗାଁକୁ ଗାଁ, ଘରକୁ ଘର ଘୂରି ବୁଲନ୍ତି ବାସୁଦେବପୁର ଭୈରବପୁର ଗାଁର ଶାନ୍ତିଲତା ବେହେରା। ଶାନ୍ତି ଅପାଙ୍କ ଡାକ ଶୁଣିବା ପରେ ପରିବା ଝୁଡ଼ି ପାଖରେ ବଢ଼େ ମହିଳାମାନଙ୍କ ଭିଡ଼। ଅନ୍ୟମାନଙ୍କ ପାଇଁ ଅମଡ଼ା ବାଟ ଭଳି ଲାଗୁଥିବା ଏହି ନିଆରା ରାସ୍ତାରେ ଶାନ୍ତି ଅପା ଦୁଇ ବର୍ଷ ତଳୁ ପାଦ ଥାପିଛନ୍ତି ଖାସ୍ ପରିବାର ପାଇଁ। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ପିଲାଙ୍କ ପାଠପଢା, ଶାଶୂ-ଶ୍ୱଶୂରଙ୍କ ଔଷଧ ଖର୍ଚ୍ଚ ସହ ସାରା ପରିବାର ଚଳେ।
ଶାନ୍ତି ଅପାଙ୍କ ଶ୍ରବଣବାଧିତ ସ୍ୱାମୀ ଟ୍ରଲି ଚଳାନ୍ତି। କିନ୍ତୁ ତାଙ୍କ ରୋଜଗାର ପରିବାର ପାଇଁ ଅଣ୍ଟେ ନାହିଁ। ଅନ୍ୟ ବିକଳ୍ପ କିଛି ନଥିବାରୁ ବାଧ୍ୟ ହୋଇ ୩୫ ବର୍ଷ ବୟସ୍କ ଶାନ୍ତି ଅପା ପଦାକୁ ଗୋଡ଼ କାଢ଼ିଥିଲେ। ଅଭାବୀ ପରିବାରର ମୁହଁରେ ଖୁସି ଦେଖିବାକୁ ସାଇକେଲରେ ଆରମ୍ଭ କରିଥିଲେ ଏହି ପରିବା ବ୍ୟବସାୟ। ଏବେ ଶାନ୍ତି ଅପା ଆଖପାଖ ଅ଼ଞ୍ଚଳରେ ଏକ ପରିଚିତ ନାଁ। ଫି’ ଦିନ ସକାଳୁ ତାଙ୍କୁ ଅନାଇ ରହିଥାନ୍ତି ସଂଖ୍ୟାଧିକ ସାହି ଓ ଗାଁର ଗୃହିଣୀ ଓ ଅନ୍ୟମାନେ।
ଭୋର ୪ ଟାରୁ ଉଠନ୍ତି ଶାନ୍ତି ଅପା। ଘରର ଚାରିପାଇ ସାରିବା ପରେ ଗାଈ ଦୁଇଁ ସୋସାଇଟିରେ କ୍ଷୀର ଦିଅନ୍ତି। ସକାଳ ୭ ଟାରେ ସାଇକେଲ ଖଣ୍ଡକୁ ଧରି ପରିବା କଣ୍ଟାକୁ ଯାଆନ୍ତି। ବିଭିନ୍ନ କିଶମର ପରିବା ସାଇକେଲରେ ଲଦି ବିକ୍ରି କରିବାକୁ ଗାଁକୁ ଚାଲି ଯାଆନ୍ତି। ପରିବା ବିକ୍ରି କରି ମଧ୍ୟହ୍ନରେ ଘରକୁ ଫେରି ପରିବାର ଦୁଃଖ ବୁଝନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।