ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ହୋଇଛି। ବଢି ଚାଲିଥିବା ପିଆଜ ଦରକୁ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ରାଜ୍ୟରେ ଆଳୁ ମିଶନ ଭଳି ପିଆଜ ମିଶନ ମଧ୍ୟ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ ପିଆଜ ଚାଷୀଙ୍କୁ ଋଣ ଓ ବିହନ ଯୋଗାଇ ଦିଆଯିବ । ରାଜ୍ୟବାସୀଙ୍କ ପାଇଁ ବାର୍ଷିକ ୨ଲକ୍ଷ ୯୭ହଜାର ମାଟ୍ରିକ ଟନ ପିଆଜର ଆବଶ୍ୟକତା ରହିଛି । ରାଜ୍ୟରେ ବାର୍ଷିକ ୩ଲକ୍ଷ ୯୫ହଜାର ମାଟ୍ରିକ ଟନ ପିଆଜ ଉତ୍ପାଦନ ହେଉଛି । ତେବେ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଅଧିକ ଉତ୍ପାଦନ ହେଉଥିଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଚାଷୀ ରାଜ୍ୟ ବାହାରକୁ ବିକ୍ରି କରିଦେଛନ୍ତି । ଯାହାଫଳରେ ପିଆଜ ନିଅଣ୍ଟ ଦେଖାଦେଉଛି । ଏହାକୁ ଦୃଷ୍ଟିରେ ରଖି ପିଆଜ ସଂରକ୍ଷଣ ଲାଗି ରାଜ୍ୟରେ ୩୦୦ ଶୀତଳ ଭଣ୍ଡାର କରାଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, କିଛିବର୍ଷ ହେବ ରାଜ୍ୟରେ ଆଳୁ ଓ ପିଆଜ ଦର ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇବାକୁ ପଶ୍ଚିମବଙ୍ଗରୁ ରାଜ୍ୟ ସରକାର ଆଳୁ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରୁ ପିଆଜ ଆମଦାନୀ କରିଥାନ୍ତି । ତେବେ ଆମଦାନୀ ଜନିତ ସମସ୍ୟା ଓ ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁ ଗତ କିଛିବର୍ଷ ହେବ ରାଜ୍ୟରେ ଅହେତୁକ ଭାବେ ପିଆଜ ଓ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ଷର ୪ରୁ ୫ ମାସ ଏହି ଦୁଇ ଅତ୍ୟାବଶ୍ୟକ ସାମଗ୍ରୀର ଦର କେଜି ପ୍ରତି ୬୦ରୁ ଟଙ୍କାରୁ ଅଧିକ ରହୁଛି । ସ୍ଥିତି ଏପରି ହେଉଛି ଯେ, ରାଜ୍ୟ ସରକାରଙ୍କୁ ଡିଲରମାନଙ୍କ ଦ୍ୱାରା ରାଜ୍ୟବାସୀଙ୍କୁ ସରକାର ପିଆଜ ଓ ଆଳୁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି । ବାରମ୍ବାର ଏହି ଦୁଇ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ସରକାରଙ୍କୁ ମଧ୍ୟ ନାକେଦମ ହେବାକୁ ପଡୁଛି।