କଳାହାଣ୍ଡି:(ଓଡ଼ିଶା ରିପୋର୍ଟର) ବହୁ ଦିନ ପରେ ପୁଅ ଫେରିଛି। ଘରେ କେତେ ଖୁସିବାସ ହୋଇଥାନ୍ତା । ଖାଦ୍ୟ ପେୟଠାରୁ ଆରମ୍ଭ କରି ଗପସପରେ ପୂରି ଉଠିଥାନ୍ତା ପରିବାର। ଆଉ ବହୁ ଦିନ ପରେ ବିଦେଶରୁ ଫେରୁଥିବା ଛୁଆ ପାଇଁ କେଉଁ ମା’ର ମନ ଯେ କୁଣ୍ଢେମୋଟ ହେବନି।
ହେଲେ ସବୁ ଖୁସିକୁ ଫିକା କରିଦେଇଛି କରୋନା। ଆଉ ଛାତିକୁ ପଥର କରି ପୁଅକୁ ନିଜ ପାଖରୁ ଦୂରେଇବାକୁ ବାଧ୍ୟ ହୋଇଛି ମା’। କରୋନା ନିୟମ ପାଳନ କରି ପୁଅକୁ ଛାଡ଼ିଛନ୍ତି ସଙ୍ଗରୋଧରେ। କେବଳ ସେ ଜଣେ ମା ନୁହନ୍ତି ସରପଞ୍ଚ ମଧ୍ୟ। ଆଉ ଜଣେ ଲୋକପ୍ରତିନିଧି ହିସାବରେ ମମତାକୁ ପଛ କରି କର୍ତ୍ତବ୍ୟକୁ ପାଳନ କରିବାକୁ ଉଚିତ ମଣିଛନ୍ତି ସେ। ଘଟଣାଟି କଳାହାଣ୍ଡି କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତରେ ଘଟିଛି।
ମହିଳା ସରପଞ୍ଚଙ୍କ ନାଁ ନନ୍ଦିତା ସାହୁ। ନନ୍ଦିତାଙ୍କ ଇଂଜିନିୟର ପୁଅ ଲୋକେଶ ଦିଲ୍ଲୀରୁ ଫେରିଥଲେ। ପରେ ନିୟମ ଅନୁଯାୟୀ ଲୋକେଶ ଘରକୁ ନଯାଇ ଗାଁରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ଯାଇଥିଲେ। ଲୋକେଶଙ୍କ ମା’ ହିଁ ତାଙ୍କୁ ନେଇ କ୍ୱାରେଣ୍ଟିନ୍ କେନ୍ଦ୍ରରେ ରଖିଥିଲେ।