ଶରଶଯ୍ୟାରୁ ଉଠିଲେ ଶରତ: କଲେ ସମାନ୍ତରାଳ ବିଜେଡି ସଭା, ‘ବିଦେଶୀ ପ୍ରତାପ’ଙ୍କୁ ଭର୍ତ୍ସନା

କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ଖାନଦାନି ଅଛି। ଏ ମାଟି ବହୁ ସଂସ୍କୃତିସଂପନ୍ନ ନେତାଙ୍କୁ ବିଧାନସଭାକୁ ପଠାଇଛି। ହେଲେ ଗତ କିଛିବର୍ଷ ଧରି ବିଜେଡି ଶାସନ ଆସିବା ପରେ ସଂସ୍କୃତି ଓ ପରମ୍ପରା ନଷ୍ଟ ହୋଇଛି। ବିଜେଡି ବାହାରୁ ନେତାଙ୍କୁ ଆମଦାନି କରି ଏଠି ଲୋକଙ୍କୁ ବାଧ୍ୟ କରିଛି ତାଙ୍କୁ ଭୋଟ ଦେବାକୁ। ଧୀରେ ଧୀରେ ଏ କଥା ଲୋକ ଅନୁଭବ କରିବା ପରେ ବିଜେଡି ସମର୍ଥକଙ୍କ ଭିତରେ ଗୋଷ୍ଠୀ ତିଆରି ହେବାରେ ଲାଗିଛି। ସାଲେପୁର […]

Sarat

Ordigital Desk
  • Published: Monday, 11 June 2018
  • , Updated: 11 June 2018, 09:01 PM IST

କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ଖାନଦାନି ଅଛି। ଏ ମାଟି ବହୁ ସଂସ୍କୃତିସଂପନ୍ନ ନେତାଙ୍କୁ ବିଧାନସଭାକୁ ପଠାଇଛି। ହେଲେ ଗତ କିଛିବର୍ଷ ଧରି ବିଜେଡି ଶାସନ ଆସିବା ପରେ ସଂସ୍କୃତି ଓ ପରମ୍ପରା ନଷ୍ଟ ହୋଇଛି। ବିଜେଡି ବାହାରୁ ନେତାଙ୍କୁ ଆମଦାନି କରି ଏଠି ଲୋକଙ୍କୁ ବାଧ୍ୟ କରିଛି ତାଙ୍କୁ ଭୋଟ ଦେବାକୁ। ଧୀରେ ଧୀରେ ଏ କଥା ଲୋକ ଅନୁଭବ କରିବା ପରେ ବିଜେଡି ସମର୍ଥକଙ୍କ ଭିତରେ ଗୋଷ୍ଠୀ ତିଆରି ହେବାରେ ଲାଗିଛି।

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ମାହାଙ୍ଗା ବିଜେଡି ଏବେ ଭାଗ ଭାଗ ହେବା ହେବା ଆରମ୍ଭ କରିଛି। କଥାଟା ବହୁ ଦିନରୁ ଆଲୋଚନା ହଉଥିଲା। ବଜାର ହାଟରେ ଲୋକେ ଚର୍ଚ୍ଚା କରୁଥିଲେ। ନିଆଁଟା ଭିତରେ ଭିତରେ କୁହୁଳୁଥିଲା। ହେଲେ ସମୟ ଗଡ଼ିବା ସହି ଏବେ ତାହା ଖୋଲା ଖୋଲି ପଦାକୁ ଦେଖା ଗଲାଣି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ଗତକାଲି।

ବିଜେଡିର ଏମିତି ଚିରାଫଟା ଅବସ୍ଥା ଦେଖି ଏବେ ପଡ଼ିଆକୁ ଓହ୍ଲାଇଲେଣି ପୁରୁଣା ଖେଳାଳି। ଗତକାଲି ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ମାହାଙ୍ଗାର ବରିଷ୍ଠ ବିଜେଡି ନେତା ଶରତ କର ଏକ ଜମାଣିଆ ସଭା କରିଥିଲେ। ସଭାଟି ଅନୁଷ୍ଠିତ ହୋଇଥିଲା ମାହାଙ୍ଗାର ବାସୁଦେବପୁର ବଟ ମହାପୁରୁଷ ପାଖରେ। ସଭା ବି ଦେଖିବାର ଥିଲା। ମଂଚରେ ଲାଗିଥିଲା ଶଙ୍ଖ ଚିହ୍ନ ଥିବା ଦଳୀୟ ବ୍ୟାନର। ଏକାଠି ହୋଇଥିଲେ ବହୁ ବିଜେଡି କର୍ମୀ। ଏଥିରେ ମାହାଙ୍ଗାର ବହୁ ବିଜେଡି କର୍ମୀ ଖାଲି ସାମିଲ୍ ହୋଇନଥିଲେ, ମାହାଙ୍ଗାର ନେତା ଭାବେ ଶରତ କରଙ୍କୁ ନିର୍ଦ୍ୱନ୍ଦରେ ସମର୍ଥନ ଦେବାକୁ ଖୋଲା କଣ୍ଠରେ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ମାହାଙ୍ଗାରେ ଏବେ ବିଧାୟକ ହେଉଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ, ଆଇନ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା। ମାହାଙ୍ଗା ପାଇଁ ଜେନାବାବୁ ହେଉଛନ୍ତି ବିଦେଶୀ ଚଢ଼େଇ। ମାହାଙ୍ଗା ବାସୀଙ୍କ ଉପରେ ତାଙ୍କୁ ତୃତୀୟ ମହଲାରୁ ଲଦି ଦିଆଯାଇଛି। ତେଣୁ ମାହାଙ୍ଗାରେ ପ୍ରତାପଙ୍କ ପକଡ଼ ଟିକିଏ କମ୍। କେବଳ ବିଜେଡି ଶାସନ କ୍ଷମତାରେ ଥିବାରୁ ଗାଡ଼ି ଚାଲିଛି। କିନ୍ତୁ ଭିତରେ ଭିତରେ ମାହାଙ୍ଗାବାସୀ ତାଙ୍କୁ ଗ୍ରହଣ କରିବା ଚକ୍କରରେ ନାହାଁନ୍ତି। ଏପରି ସମୟରେ ମାହାଙ୍ଗା ମାଟିର ପୁରୁଖା ନେତା ଶରତ କର ପୁଣି ମୈଦାନକୁ ଓହ୍ଲାଇବା ଏକ ନୂଆ ସମୀକରଣ ସୃଷ୍ଟି କରିବାକୁ ଯାଉଛି।

ଏହି ସଭାରେ ଶରତ କର ମଧ୍ୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ଖୁବ୍ ବର୍ଷିଥିଲେ। କହିଥିଲେ, ପ୍ରତାପଙ୍କ ବ୍ୟବହାରରେ କର୍ମୀ ଅତିଷ୍ଠ ହୋଇପଡିଲେଣି। ସେ ଯଦି ପୁଣି ଥରେ ମାହାଙ୍ଗାରୁ ବିଜେଡି ଟିକେଟ ପାଆନ୍ତି ତେବେ ପରାଜୟ ହେବା ନିଶ୍ଚିତ। ଯେହେତୁ ପ୍ରତାପ ବାବୁ ମାହାଙ୍ଗାର ମୂଳ ବାସିନ୍ଦା ନୁହଁନ୍ତି, ତେଣୁ ଲୋକମାନେ ତାଙ୍କୁ (ଶରତ କରଙ୍କୁ) ହିଁ ମାହାଙ୍ଗାରେ ବିଧାୟକ ଭାବେ ଚାହୁଁଛନ୍ତି ବୋଲି ସେ କହିଥିଲେ। ଉପସ୍ଥିତ କର୍ମୀମାନେ ମଧ୍ୟ ଶରତ କରଙ୍କୁ ସମର୍ଥନ ଦେବେ ବୋଲି ଖୋଲାଖୋଲି ଘୋଷଣା କରିଥିଲେ। ଅନ୍ୟପଟେ ଯେହେତୁ ଶରତ କର ଦଳୀୟ ଫୋରମରେ ନଯାଇ ଏଭଳି ସମାନ୍ତରାଳ ସଭା କରିଛନ୍ତି, ତେଣୁ ଏହା ଦଳୀୟ ଶୃଙ୍ଖଳା ଭଙ୍ଗ ବୋଲି କଟକ ଜିଲ୍ଲା ବିଜେଡି ଉପସଭାପତି କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ମାହାଙ୍ଗା ବିଜେଡି ରାଜନୀତିରେ ଆଗାମୀ ଦିନରେ ଆଉ କି କି ଡ୍ରାମା ସବୁ ମଞ୍ଚସ୍ଥ ହେଉଛି।

Related story