‘ପୁଅ ପାଇଁ ଗାମୁଛା ନେଲେ, ପରେ କହିଲେ ସେଥିରେ ରକ୍ତ ଲାଗିଛି’

ନୟାଗଡ଼(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗତକାଲି ସାମ୍ନାକୁ ଆସିଥିଲା ଏକ ଗାମୁଛା। ପରୀକୁ ହତ୍ୟା କରିବା ପରେ ଏହି ଗାମୁଛାରେ ତା’ ନାକରୁ ବୋହିଥିବା ରକ୍ତକୁ ପୋଛିଥିଲା ଅଭିଯୁକ୍ତ ସରୋଜ ସେଠୀ। ଏସ୍‌ଆଇଟି ସରୋଜ ଘରୁ ଏହି ଗାମୁଛା ଜବତ କରିଥିବା କହୁଥିବା ବେଳେ ଏହା କିନ୍ତୁ ଏସଆଇଟିର ମନଗଢା କାହାଣୀ ବୋଲି କହିଛନ୍ତି ସରୋଜର ପରିବାର ଲୋକ।   

ସରୋଜଙ୍କ ମା’ କହିଛନ୍ତି, ଗାମୁଛା ଘରେ ଚଉତା ହୋଇ ଥୁଆ ହୋଇଥିଲା। ଏସ୍‌ଆଇଟି ପହଞ୍ଚି ତମ ପୁଅ ବ୍ୟବହାର କରିବ ଗାମୁଛା ଦିଅ ବୋଲି କହିଲେ।  ଏହାପରେ ଆମକୁ ଗୋଟିଏ ଘରେ ବନ୍ଦ କରି  ୫,୭ଟି ଗାମୁଛା ନେଇଯାଇଥିଲେ।।

ଯଦି ଆମ ଘରୁ ନେବା ବେଳେ କେଉଁ ଗାମୁଛାରେ ରକ୍ତ ଲାଗିଥିବା ଦେଖିଲେ, ତା’ ହେଲେ ସେ ଆମକୁ କାହିଁକି ଦେଖାଇଲେ ନାହିଁ।  ତେଣୁ  ସେଥିରୁ କେଉଁଥିରେ ରକ୍ତ ଲାଗିଥିଲା ତାହା ଆମେ ଜାଣିନୁ। ତା’ ଛଡ଼ା ସେ ଘରକୁ କିଛି ଆଣି , ପରେ ତାକୁ ନେଲେକି କ’ଣ  ଆମେ ସେ ବିଷୟରେ ବି କିଛି ଜାଣିନୁ ବୋଲି କହିଛନ୍ତି ସରୋଜର ମା’।

ଏହି ଗାମୁଛା ଏହି ମାମଲାର ବଡ଼ ପ୍ରମାଣ ହେବ ବୋଲି ଆଜି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି। ସେ କହିଛନ୍ତି, ପରୀକୁ ହତ୍ୟା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା। ଗାମୁଛାଟିକୁ ତା’ ଘରୁ ଜବତ କରାଯାଇଛି। ଏହାକୁ ସାବୁନରେ ଅନେକ ଥର ଧୁଆ ଯାଇଛି। ତେବେ ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଇଥାଏ। ଆମେ ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଛୁ।

ଏସ୍‌ଆଇଟି ମୁଖ୍ୟ ଆହୁରି କହିଛନ୍ତି, ପୋଖରୀରୁ ମିଳିଥିବା ଲେଗିଙ୍ଗସକୁ ମଧ୍ୟ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି। ଲେଗିଙ୍ଗସରେ କିଛି ଦାଗ ଅଛି କି ନାହିଁ ପରୀକ୍ଷା କରାଯିବ। ପ୍ରମାଣ ପାଇଁ ଉଭୟ ଗାମୁଛା ଏବଂ ଲେଗିଙ୍ଗସ ଆମକୁ ବଡ଼ ସହାୟତା ଦେବ।

ଏହା ସହିତ ସେ କହିଛନ୍ତି ଯେ ଘଟଣା ସଂପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାରର କେହି ନା କେହି ସଦସ୍ୟ ଜାଣିଥିଲେ। ତେବେ କିଏ ଜାଣିଥିଲା ତାକୁ ନେଇ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ଆଜି ସରୋଜର ରିମାଣ୍ଡ ଅବଧି ସରୁଥିବା ବେଳେ ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ୍ କରିଥିଲା ଏସ୍‌ଆଇଟି। ଘଟଣା ସ୍ଥଳକୁ ଆଣି ସରୋଜକୁ ଡେମୋ କରାଯାଇଥିଲା। ପୋଖରୀ କୂଳରେ ସେ ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲା। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜେ ତାକୁ ସେଠାରେ ପଚରାଉଚରା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।