ଖୋର୍ଦ୍ଧା (ବଳରାମ ଲେଙ୍କା): ଜୀବନକାଳ ଭିତରେ ଶହଶହ ପିଲାଙ୍କ ଜୀବନ ଗଢ଼ିଥିବା ଶିକ୍ଷକୟିତ୍ରୀ ଆଜି ଦେଉଛନ୍ତି ପରୀକ୍ଷା। ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବା ପାଇଁ ପଞ୍ଚାୟତ ନିର୍ବାଚନ ମୈଦାନକୁ ଲମ୍ଫ ମାରିଛନ୍ତି। ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିଏ ହେଉଛନ୍ତି ପୂର୍ବତନ ଶିକ୍ଷୟିତ୍ରୀ ସରସ୍ୱତୀ ବିଶ୍ୱାଳ। ଆଜି ସରସ୍ୱତୀ ପୂଜା ଥିବାରୁ ସେ ପିଲାଙ୍କ ଖଡିଛୁଆଁ କରିଛନ୍ତି।
ଦୀର୍ଘ ୩୦ ବର୍ଷ ଧରି ଶିକ୍ଷକତା କରୁଥିଲେ ସରସ୍ୱତୀ ବିଶ୍ୱାଳ। ଶିକ୍ଷକତା ଜୀବନ ଭିତରେ ନିଜ ହାତରେ ଶହଶହ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିଛନ୍ତି। ଏବେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଗଡମାଣତୀର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ପ୍ରତିଦିନ ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି। ଭୋଟ୍ ଦେବା ପାଇଁ ଅନୁରୋଧ କରୁଛନ୍ତି। ଆଉ ଲୋକଙ୍କ ମୌଳିକ ସମସ୍ୟା ଶୁଣୁଛନ୍ତି।
ପଞ୍ଚାୟତ ନିର୍ବାଚନ କ୍ୟାମ୍ପେନ୍ର ବ୍ୟସ୍ତତା ଭିତରେ ଆଜି କିନ୍ତୁ ପୁରୁଣା କଥା ଭୁଲି ନାହାନ୍ତି ଶିକ୍ଷୟିତ୍ରୀ ସରସ୍ୱତୀ ବିଶ୍ୱାଳ। ସରସ୍ୱତୀ ପୂଜାରେ ସେ ଛୋଟ ଛୋଟ ପିଲାଙ୍କୁ ଖଡି ଛୁଆଁ କରିଛନ୍ତି। ପିଲାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଭଲ ମଣିଷ ହୋଇ ପଞ୍ଚାୟତର ନାଁ ରଖିବାକୁ ଆଶୀର୍ବାଦ ଦେଇଛନ୍ତି ଶ୍ରୀମତୀ ବିଶ୍ୱାଳ।
ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ବିଶ୍ୱାଳ କହିଛନ୍ତି, ସମାଜସେବା ପ୍ରତି ମୋର ଦୁର୍ବଳତା ଥିଲା। ସେଥିପାଇଁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଲୋକଙ୍କ ମୌଳିକ ସମାଧାନ କରିବା ପାଇଁ ଆଗେଇ ଆସିଛି। ଆଉ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛି ବୋଲି ସେ କହିଛନ୍ତି।
ଶିକ୍ଷକତା କରୁଥିଲେ, ଏବେ ରାଜନୀତି ମୈଦାନରେ କେମିତି ଅନୁଭବ କରୁଛନ୍ତି ପ୍ରଶ୍ନରେ ସେ କହିଛନ୍ତି, “ପାଠ ପଢ଼ାଇଲା ବେଳେ ପିଲାମାନଙ୍କ ସମସ୍ୟା ଦେଖୁଥିଲୁ। ପିଲାମାନଙ୍କୁ କେମିତି ଉନ୍ନତ ପ୍ରଣାଳୀ ପାଠ ପଢ଼ାଯାଇପାରିବ? ପିଲାମାନଙ୍କ ସମସ୍ୟା ସମ୍ପର୍କରେ ସେମାନଙ୍କ ପିତା-ମାତାଙ୍କ ସହିତ ଆଲୋଚନା କରୁଥିଲି। ଯେତେବେଳେ କ୍ୟାମ୍ପେନିଂ କରୁଛୁ, ସେତେବେଳେ ଲୋକଙ୍କ ସମସ୍ୟା ଶୁଣୁଛି ଓ ଦେଖୁଛୁ।”
https://youtu.be/5Oqb0-jhXm8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।