କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦୁର୍ନୀତି କରି ଧରାପଡ଼ିବା ପରେ ନିଲମ୍ବିତ ହେଲେ ରାଜନଗର ବ୍ଲକ ରାଜନଗର ପଞ୍ଚାୟତର ସରପଞ୍ଚ ପ୍ରଭାତ ରଞ୍ଜନ ମିଶ୍ର । ଏହି ପଞ୍ଚାୟତରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଦୁର୍ନିତି ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ ।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜନଗର ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ପରେ ସରପଞ୍ଚଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏକ ମାସ ମଧ୍ୟରେ କାରଣ ଦର୍ଶାଇବା ସହ କାହିଁକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ସେ ନେଇ ଦର୍ଶାଇବାକୁ ନୋଟିସ ହୋଇଛି । ଏହା ପୂର୍ବରୁ ଏହି ପଞ୍ଚାୟତର GRS ଓ PEOଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ବିରୋଧରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ଏନେଇ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର କହିଛନ୍ତି, ସରପଞ୍ଚଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିଲା। ଏନେଇ ସରକାର ଗତକାଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରପଞ୍ଚଙ୍କ ନିଲମ୍ବନ ପରେ ନାଏବ ସରପଞ୍ଚଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଛି ।