ବାତ୍ୟା: କ୍ଷତିଗ୍ରସ୍ତ ହେବେ ୬୪୯ ଗାଁର ୭ଲକ୍ଷ ଲୋକ, ଘରେ କ୍ୱାରେଣ୍ଟାଇନରେ ରହିବେ ପ୍ରବାସୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଆମ୍ଫନ’ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ୬୪୯ଟି ଗାଁର ପ୍ରାୟ ୭ଲକ୍ଷ ଲୋକ ପ୍ରଭାବିତ ହେବେ। ଏହାବ୍ୟତୀତ ବାତ୍ୟା ଆଶଙ୍କାରେ ଓଡ଼ିଶା ଫେରନ୍ତା ରହୁଥିବା ୧୦୫ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଓ କ୍ୱାରେଣ୍ଟାଇନ ସେଣ୍ଟରରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ନମୂନା ପରୀକ୍ଷା ଚାଲିଛି ଓ ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ବାହାରିବ ସେମାନଙ୍କୁ ନିଜ ଘରେ କ୍ୱାରେଣ୍ଟାଇନରେ ରହିବା ପାଇଁ ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ ସଚିବ […]

Inside-1

Tapas Behera
  • Published: Saturday, 16 May 2020
  • , Updated: 16 May 2020, 07:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଆମ୍ଫନ’ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ୬୪୯ଟି ଗାଁର ପ୍ରାୟ ୭ଲକ୍ଷ ଲୋକ ପ୍ରଭାବିତ ହେବେ। ଏହାବ୍ୟତୀତ ବାତ୍ୟା ଆଶଙ୍କାରେ ଓଡ଼ିଶା ଫେରନ୍ତା ରହୁଥିବା ୧୦୫ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଓ କ୍ୱାରେଣ୍ଟାଇନ ସେଣ୍ଟରରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ନମୂନା ପରୀକ୍ଷା ଚାଲିଛି ଓ ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ବାହାରିବ ସେମାନଙ୍କୁ ନିଜ ଘରେ କ୍ୱାରେଣ୍ଟାଇନରେ ରହିବା ପାଇଁ ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଜି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌଭାଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନାବେଳେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସହ ନିୟମିତ ଯୋଗାଯୋଗ ରକ୍ଷା କରି ଓଡ଼ିଶା ସରକାରଙ୍କ ଦ୍ୱାରା ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜ୍ୟର ସମସ୍ତ ୧୨ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟରେ ରଖାଯିବା ସହ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ହୋଇଛି। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିବାବେଳେ ପ୍ରାୟ ୬୪୯ଟି ଗାଁର ୭ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି। ବିଶେଷକରି ସମୁଦ୍ର ଉପକୂଳ ଅଂଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ପ୍ରବଳ ବର୍ଷା ଓ ପବନ ଯୋଗୁ ଲକ୍ଷ ଲକ୍ଷ ହେକ୍ଟରରେ ଚାଷ ହୋଇଥିବା ଡାଳୁଅ ଧାନ, ଡାଲି ଓ ତୈଳବୀଜ ଫସଲ, କାଜୁ, ଆମ୍ବ, ନଡିଆ ଓ ଅନ୍ୟାନ୍ୟ ପନିପରିବା ନଷ୍ଟ ହେବାର ଆଶଙ୍କା ରହିଛି।

ଏହାବ୍ୟତୀତ ସମ୍ଭାବ୍ୟ ବାତ୍ୟାର ଗତିପଥ ଅଞ୍ଚଳରେ ରାଜ୍ୟର ପ୍ରାୟ ୪୦୩ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ଏଥିରୁ ୧୦୫ଟି ଆଶ୍ରୟ ସ୍ଥଳୀକୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର ଓ କ୍ୱାରେଣ୍ଟାଇନ କେନ୍ଦ୍ର ଭାବେ ଉପଯୋଗ କରାଯାଉଥିବାରୁ ସେଠାରେ ରହୁଥିବା ଓଡ଼ିଶା ଫେରନ୍ତାଙ୍କର ଯୁଦ୍ଧକାଳୀନ ଭିତ୍ତିରେ କରୋନା ନମୂନା ପରୀକ୍ଷା ଚାଲିଛି। ଯେଉଁମାନଙ୍କର କରୋନା ନେଗେଟିଭ୍ ରିପୋର୍ଟ ବାହାରିବ ସେମାନଙ୍କୁ ନିଜ ଘରକୁ ପଠାଇ ଦିଆଯିବ। ସେମାନେ ନିଜ ଘରେ କ୍ୱାରେଣ୍ଟାଇନରେ ରହିବେ । ଯଦି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକ ପଡ଼େ ତା’ହେଲେ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଉପଯୋଗ ନିମନ୍ତେ ଅଧିକ ସଂଖ୍ୟକ କୋଠା ଚିହ୍ନଟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ତ୍ରିପାଠୀ ଜଣାଇଛନ୍ତି।

ଏସବୁ ବ୍ୟତୀତ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମକୁ ମଧ୍ୟ ଜରୁରୀକାଳୀନ ଉଦ୍ଧାର ଓ ରିଲିଫ ଅପରେସନ୍ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବାତ୍ୟାରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହେବାର ଆଶଙ୍କା ଥିବାରୁ ବିଦ୍ୟୁତ ସେବା ତୁରନ୍ତ ଯୋଗାଇବା ପାଇଁ ଏବେଠୁ ବିଦ୍ୟୁତ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି।

ସମ୍ଭାବ୍ୟ ବାତ୍ୟା ପାଇଁ ଓଡ଼ିଶାର ପ୍ରସ୍ତୁତିକୁ କେନ୍ଦ୍ର କ୍ୟାବିନେଟ ସଚିବ ଶ୍ରୀ ଗୌଭେ ପ୍ରଶଂସା କରିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲାର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ପାଇଁ ଅନୁଷ୍ଠିତ ବୈଠକରେ ଏସଆରସି ପ୍ରଦୀପ ଜେନାଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Related story