ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଆଜି ମେଧାବୃତ୍ତି ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପାଇଁ ଚୟନ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମେଧାବୃତ୍ତିକୁ ରାଜ୍ୟ ସରକାର ଶତପ୍ରତିଶତ ନିଜସ୍ୱ ବଜେଟରୁ ଦେଉଥିବାବେଳେ ପ୍ରେରଣା ଓ ଜାତୀୟ ଆୟଭିତ୍ତିକ ମେଧାବୃତ୍ତିରୁ ମିଳୁଥିବା ସ୍କଲାରସିପକୁ ଏହି ଗାଇଡଲାଇନରୁ ବାଦ୍ ଦିଆଯାଇଛି।
ଗାଇଡଲାଇନ ଅନୁସାରେ ଏହି ମେଧାବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିକମରେ ୬୦% ନମ୍ବର ରଖିବାକୁ ପଡ଼ିବ। ବିଏ,ବିଏସି ଓ ବିକମ୍ ପାଠ୍ୟକ୍ରମରେ ମେଧାବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଯୁକ୍ତଦୁଇ ପରୀକ୍ଷାରେ ଅତିକମରେ ୬୦% ନମ୍ବର ରଖିବା ଜରୁରୀ। ସେହିଭଳି ପିଜି ପାଠ୍ୟକ୍ରମ ଏବଂ ଅନ୍ୟାନ୍ୟ ଟେକ୍ନିକାଲ ଓ ପ୍ରଫେସନାଲ ପାଠ୍ୟକ୍ରମରେ ମେଧାବୃତ୍ତି ପାଇଁ ୬୦% ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି।
ବିଏ,ବିଏସି ଓ ବିକମ୍ ପାଠ୍ୟକ୍ରମରେ ମେଧାବୃତ୍ତି ଭାବେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ହଜାର ଟଙ୍କା ଲେଖାଏ ୩ବର୍ଷ ପର୍ଯ୍ୟନ୍ତ ମିଳିବ।
ସେହିପରି ପିଜି ପାଠ୍ୟକ୍ରମରେ ମେଧାବୃତ୍ତି ଭାବେ ୧୦ହଜାର ଟଙ୍କା ଲେଖାଏ ୨ବର୍ଷ ପର୍ଯ୍ୟନ୍ତ ମିଳିବ।ସେହିପରି ଟେକ୍ନିକାଲ ପାଠ୍ୟକ୍ରମ,ଡାକ୍ତରୀ ଓ ଅନ୍ୟାନ୍ୟ ପ୍ରଫେସନାଲ ପାଠ୍ୟକ୍ରମ ବାବଦରେ ମେଧାବୃତ୍ତି ଭାବେ କୋର୍ସ ସରିବା ପର୍ଯ୍ୟନ୍ତ ବାର୍ଷିକ ୧୦ହଜାର ଟଙ୍କା ଲେଖାଏ ମିଳିବ।
ତେବେ ଏହି ମେଧାବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ମେଧାବୃତ୍ତି ପାଇବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଅତିକମରେ ୬୦% ମାର୍କ ରଖିବା ସହ ତାଙ୍କର ପିତାମାତାଙ୍କ ବାର୍ଷିକ ଉପାର୍ଜନ ୬ଲକ୍ଷ ଟଙ୍କାରୁ ଅଧିକ ନହୋଇଥିବା ଜରୁରୀ।