ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନେ ତାଙ୍କ ବାପା ଥିଲେ ବିଜୁବାବୁଙ୍କ ଅନୁଗତ। ମାନେ ନେକ୍ସଟ ଟୁ ବିଜୁ ପଟ୍ଟନାୟକ। ଏବେ ବିଜୁବାବୁଙ୍କ ପୁଅ ନବୀନ ବାବୁଙ୍କର ସେ ଅନୁଗତ। କଥାଟା ଟିକେ ଅବୁଝା ହେଉଛି ବୋଧେ। ବିଜୁବାବୁ ଥିଲେ ଦୁର୍ଦ୍ଦାନ୍ତ ମନୋଭାବର ରାଜନୈତିକ ବ୍ୟକ୍ତିତ୍ୱ। ସେ ଯେମିତି ଥିଲେ ତାଙ୍କ ଅନୁଗତମାନେ ବି ସେମିତି ଥିଲେ ରୋକ୍ ଠୋକ୍। ସେତେବେଳେ ତାଙ୍କ ପରମ ଅନୁଗତ ଥିଲେ ଯାଜପୁରିଆ ନେତା ଅଶୋକ ଦାସ। ତାଙ୍କ କଥାରେ ଚାଲୁଥିଲା ଜନତା ଦଳ। ଆପାତତଃ ସେ ସବୁ ନିଷ୍ପତ୍ତି ନେଉଥିଲେ। ନିଜ ଏରିଆ ଯାଜପୁରରେ ବି ଅଶୋକ ଖୁବ୍ ଦୁର୍ଦ୍ଦାନ୍ତିଆ ଭାବେ ପରିଚିତ ଥିଲେ।
ଏବେ ଇତିହାସ ପୁଣି ନିଜକୁ ଦୋହରାଇଛି। କିନ୍ତୁ ଟିକେ ନୂଆ ବାଗରେ, ଟିକେ ବିକୃତ ହେଇ। ବିଜୁବାବୁଙ୍କ ପୁଅ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଅଶୋକ ବାବୁଙ୍କ ପୁଅ ବବି ଓରଫ ପ୍ରଣବ ପ୍ରକାଶ ଦାସ, ଏବେ ନବୀନଙ୍କ ଅନୁଗତ ହେଇ ନପାରି, ତାଙ୍କ ବ୍ୟକ୍ତିଗତ ସହଯୋଗୀ ମିଷ୍ଟର-ପି’ଙ୍କର ଅନୁଗତ ଭାବେ ଉଭା ହୋଇଛନ୍ତି। ଏ କଥା ଅନୁମାନ କରାଗଲା ସେତେବେଳେ, ଯେତେବେଳେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ୍ର ପୂର୍ବତନ ସଭାପତି, ବାବୁ ମହମ୍ମଦ ସଲିମ ଖାନ୍ ସାମ୍ବାଦିକ ସମ୍ମିଳନୀ କରି ଏକ ଅଡ଼ିଓ ଟେପ୍ ଜାରି କଲେ। ଏହି ଅଡିଓ ଥିଲା, ବୈଜୟନ୍ତ ପଣ୍ଡାଙ୍କ ସହ ବିଶ୍ୱାସଘାକତା କରି ବିଜେଡି କ୍ୟାମ୍ପକୁ ଚାଲିଯାଇଥିବା ତାଙ୍କର ଏକାନ୍ତ ସହଯୋଗୀ ବାବୁ ଦେବାଶିଷ ମଲ୍ଲିକଙ୍କ ସହ ସଲିମ ବାବୁଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ। ଏଥିରେ ବାବୁ ଦେବାଶିଷ ବାରମ୍ବାର କହୁଥିବା ଶୁଣିବାକୁ ମିଳିଲା ଯେ- ‘ପି’ ବାବୁଙ୍କ ପରେ ଏବେ ବବିଭାଇ ସବୁ ବୁଝୁଛନ୍ତି। ବବିଭାଇ କହିଛନ୍ତି, ଯେତେ ବୈଜୟନ୍ତଙ୍କ ବିରୋଧରେ ଯିବ, ସେତେ ରିୱାର୍ଡ ମିଳିବ।
ବହୁ ତର୍ଜମା ପରେ ଜଣାପଡ଼ିଲା ଯେ ଏଠି ‘ପି’ ମାନେ ପାଣ୍ଡିଆନ୍ ଆଉ ବବି ମାନେ ପ୍ରଣବ ପ୍ରକାଶ ଦାସ। ଏବେ ସବୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ବୈଠକରେ ପାଣ୍ଡିଆନ୍ଙ୍କ ସହ ବବିଙ୍କୁ ଦେଖିବାକୁ ମିଳୁଛି। ବେଳେବେଳେ ଟିଭି କ୍ୟାମେରାକୁ ଡରି ପାଣ୍ଡିଆନ୍ ବାବୁ ଲୁଚୁଛନ୍ତି, କିନ୍ତୁ ବାବୁ ବବି ସବୁଠି ଦିଶୁଛନ୍ତି। ଏହାର ଅର୍ଥ ସେକେଣ୍ଡ ପାଣ୍ଡିଆନ୍ଙ୍କୁ ପ୍ରସ୍ତୁତ କରାଯାଉଛି। କିଛି ରାଜନୈତିକ ପଣ୍ଡିତ ଏହାର ତର୍ଜନା କରି କହୁଛନ୍ତି ଯେ, ରାଜନୈତିକ ବ୍ୟାପାରରେ ପାଣ୍ଡିଆନ୍ ବାବୁ ସବୁ ନିଷ୍ପତ୍ତି ନେଉଥିବା ବାରମ୍ବାର ଅଭିଯୋଗ କଲେ ବିରୋଧୀ। ଏମିତିକି ଦଳ ଭିତରୁ ବି ଅଭିଯୋଗ ଆସିଲା। ତେଣୁ ବାବୁ ନବୀନ କେତେ ଆଉ ସହିବେ? ସେଥିପାଇଁ ପ୍ରଶାସକ-ପାଣ୍ଡିଆନ୍ଙ୍କୁ ବିଦାୟ (?) ଦେଇ ତାଙ୍କ ଜାଗାରେ ଜଣେ ରାଜନୈତିକ-ପାଣ୍ଡିଆନ୍ ବ୍ୟକ୍ତିଙ୍କୁ ରଖାଗଲେ ତ କଥା ସରିବ। ତେଣୁ ବବିଙ୍କୁ ଏତେ ସେହି ଦିଗରେ ପ୍ରସ୍ତୁତ କରାଯାଉଛି। ତେଣୁ ଏବେ ବବିବାବୁ ଛାତ୍ର ଓ ପାଣ୍ଡିଆନ୍ ବାବୁ ଗୁରୁ ଭାବେ କାମ ଚଳେଇଛନ୍ତି।
ଆଉଗୋଟେ କଥା ହେଲା, ବାବୁ ନବୀନ ସବୁ ସହିବେ, କିନ୍ତୁ ବଦନାମୀକୁ ସହିବେ ନାହିଁ। ସଫା କୁରୁତାରେ ଟିକିଏ ମଳି ଲାଗିଲେ କାଳେ ଭୋଟ ପ୍ରଭାବିତ ହେବ, ସେଥିପାଇଁ ସେ କାହାକୁ ବି ବଳି ଦେବାକୁ ପ୍ରସ୍ତୁତ। ଗତ କିଛିଦିନ ଭିତରେ ବାବୁ ପାଣ୍ଡିଆନ୍ଙ୍କୁ ନେଇ ବିଜେଡି ଓ ନବୀନ ବହୁ ହଲାପଟା ହେଲେଣି। ଉଭୟ ଦଳ ଭିତରୁ ଓ ବାହାରୁ ନାନା କଥା ଶୁଣି ଶୁଣି ସେ ବ୍ୟତିବ୍ୟସ୍ତ ହେଇଗଲେଣି। ସ୍ଥିତି ଏମିତି ହେଲାଣି ଯେ, ଓଡ଼ିଶାବାସୀ ଭାବିଲେଣି ଯେ ନବୀନ ଶାସନ ବଦଳରେ ଏଠି ପାଣ୍ଡିଆନ୍ ଶାସନ ଚାଲିଛି। ତେଣୁ ଏକ ବୃହତ ସ୍ୱାର୍ଥ ପାଇଁ ସେ ବାବୁ ପାଣ୍ଡିଆନ୍ଙ୍କୁ ବି ବଳି ଯେ ପକାଇ ନଦେବେ କିଏ କହିବ। ସେଇ କାରଣରୁ କାଳେ ବବିଙ୍କୁ ତିଆରି କରାଯାଉଛି।
ବବିଙ୍କ ପୂର୍ବରୁ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ସଂଜୟ ଦାସବର୍ମା ନବୀନଙ୍କ ୟଙ୍ଗ-ବ୍ରିଗେଡ୍ ଥିଲେ। ସେମାନଙ୍କୁ କାହିଁକି ବିଦାୟ ଦିଆଗଲା ମାଆ ଗଙ୍ଗେଇ ଜାଣନ୍ତି। ଏବେ ବବିଙ୍କ ଉପରେ ନବୀନଙ୍କ ପୂରା ଭରସା। କିଏ କିଏ କହୁଛନ୍ତି, ବବି ନବୀନଙ୍କର ନୁହେଁ, ‘ପି’ ଅର୍ଥାତ ପାଣ୍ଡିଆନ୍ଙ୍କ ଅନୁଗତ। ନବୀନ ବାବୁ ଏ ସବୁ କିଛି ଜାଣନ୍ତି ନାହିଁ। କାମ ହେଇଗଲେ ହେଲା। ସେ ‘ପି’ କରନ୍ତୁ କି ‘ବି’ କରନ୍ତୁ। କିମ୍ବା ‘ବି-ପି’ ଯୋଡ଼ି କରନ୍ତୁ।
କିନ୍ତୁ ଇତିହାସ ତର୍ଜମାରୁ ଗୋଟିଏ କଥା ଜାଣିବାକୁ ମିଳୁଛି ଯେ, ବିଜୁବାବୁ ଥିଲେ ଦୁର୍ଦ୍ଦାନ୍ତ ବ୍ୟକ୍ତିତ୍ୱ। ତାଙ୍କ ଅନୁଗତ ଅଶୋକ ଦାସ ବି ଥିଲେ ଦୁର୍ଦ୍ଦାନ୍ତ ବ୍ୟକ୍ତିତ୍ୱ। ୨୦ ବର୍ଷ ପରେ ଇତିହାସ ପରିବର୍ତ୍ତିତ ରୂପରେ ଓଡ଼ିଶାବାସୀଙ୍କ ଆଗକୁ ଆସିଛି। ତାହା କ’ଣ? ପଢ଼ନ୍ତୁ।
(୧) ବିଜୁବାବୁଙ୍କ ପୁଅ ନବୀନ ବାବୁ ସଂପୂର୍ଣ୍ଣ ଶାନ୍ତ ପ୍ରକୃତିର, ଆଉ ଅଶୋକ ବାବୁଙ୍କ ପୁଅ ବବି ଦାସ ସଂପୂର୍ଣ୍ଣ ଶାନ୍ତ ପ୍ରକୃତିର।
(୨) ନବୀନ ବାବୁ ଅବିବାହିତ, ବବି ବାବୁ ମଧ୍ୟ ଅବିବାହିତ।
(୩) ନବୀନ ବାବୁ ଡିପ୍ଲୋମାଟିକ୍ ରାଜନୀତିରେ ମାଷ୍ଚର। ବୈଜୟନ୍ତ-ବିରୋଧୀ ଷଡ଼ଯନ୍ତ୍ର ମାମଲାରେ ଏବେ ଜଣାପଡ଼ିଲା ଯେ, ବବି ବାବୁ ଉପରକୁ ଯେମିତି ଶାନ୍ତ ଦିଶନ୍ତି, ଭିତରେ ସେମିତି ନୁହଁନ୍ତି। ସେ ବି କୁଟନୀତିରେ ମାଷ୍ଟର। ମାନେ ଉପର ମୁଖା, ଭିତର ମୁଖା ସହ ସମାନ ନୁହେଁ। ନାରାୟଣ ନାରାୟଣ।
(୪) ନବୀନ ବାବୁ ବେଶୀ କଥା କହନ୍ତି ନାହିଁ, ବବି ବାବୁ ବି କମ୍ କଥା କହନ୍ତି।
ରାଜନୈତିକ ପଣ୍ଡିତମାନେ ଆଶଙ୍କା କରୁଛନ୍ତି, ନବୀନଙ୍କୁ ସହଯୋଗ କରିବାକୁ ବବି ଫିଟ୍ ହୋଇଗଲା ପରେ, ନବୀନ ପାଣ୍ଡିଆନ୍ ବାବୁଙ୍କୁ ବାଏ ବାଏ କହିଦେବେ। ଭଗବାନ ନକରନ୍ତୁ, ସେମିତି ନହେଉ। ଓଡ଼ିଶାବାସୀ ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ସୋଲେ ଫିଲ୍ମର ଜୟ-ବୀରୁ ଯୋଡ଼ି ବୋଲି ଭାବି ନେଇଛନ୍ତି। ଯୋଡ଼ି ଭାଙ୍ଗିଲେ ଫିଲ୍ମ ଫ୍ଲପ୍ ହେଇଯିବ ଯେ।