ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆସନ୍ତା ଅଗଷ୍ଟ ୩୧ତାରିଖରେ ଅବସର ନେବେ ଓ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ଭାବେ ଥଇଥାନ ହେବେ । ଏଥିପାଇଁ ତାଙ୍କୁ ଗ୍ରୀନ୍ ସିଗନାଲ ମିଳି ସାରିଥିବାବେଳେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ବରିଷ୍ଠ ଓଡ଼ିଆ ଆଇଏଏସ୍ ପ୍ରଦୀପ କୁମାର ଜେନା ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଓଡ଼ିଆ କାର୍ଡ(ଏକାଧିକ ଓଡ଼ିଆଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ) ଖେଳୁଥିବାବେଳେ ରାଜ୍ୟରେ ବିଜେଡି ସରକାର ମଧ୍ୟ ରାଜନୀତିକ ଦୃଷ୍ଟିରୁ ବରିିଷ୍ଠ ଆଇଏଏସ ଶ୍ରୀ ଜେନାଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେବାକୁ ଆପାତତଃ ନିଷ୍ପତ୍ତି ନେଇସାରିଥିବା ସୂଚନା ମିଳିଛି।
ପାୱାର କରିଡରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ଅଗଷ୍ଟ ୩୧ତାରିଖରେ ଶେଷ ହେଉଥିବାରୁ ତାଙ୍କର ଅବଧି ପୁନଃ ବୃଦ୍ଧି କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି । ତାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇପାରେ । ଗତ ଜୁନ୍ ମାସରେ ଶ୍ରୀ ମହାପାତ୍ରଙ୍କ ସମେତ ୩ଜଣଙ୍କ ନାଁ ଓଇଆରସି ଅଧ୍ୟକ୍ଷ ପଦବୀ ପାଇଁ ସର୍ଟଲିଷ୍ଟ ହୋଇ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ଏପରିକି ଶ୍ରୀ ମହାପାତ୍ରଙ୍କୁ ପୁରୀ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ତାଙ୍କୁ ସେଥିପାଇଁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଏପଟେ ଶ୍ରୀ ମହାପାତ୍ରଙ୍କ ପରେ ବରିଷ୍ଠତା ଭିତ୍ତିରେ ରାଜ୍ୟରେ ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମା, ୧୯୮୭ ବ୍ୟାଚର ନିକୁଞ୍ଜ କିଶୋର ସୁନ୍ଦରାୟ, ରାଜକୁମାର ଶର୍ମା ଓ ୧୯୮୮ ବ୍ୟାଚର ସିଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର କାର୍ଯ୍ୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ୧୯୮୯ ବ୍ୟାଚ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ଉନ୍ନୟନ କମିଶନର ଭାବେ ୨୦୨୧ ଜାନୁଆରୀରୁ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି । ଶ୍ରୀ ଜେନାଙ୍କ ଉପରେ ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ଅଫିସରଙ୍କ ମଧ୍ୟରେ ଜିଭିଭି ଶର୍ମା ଆଉ ୨ମାସ, ନିକୁଞ୍ଜ ସୁନ୍ଦରାୟ ଆସନ୍ତା ମାର୍ଚ୍ଚରେ ଅବସର ନେବେ । ସେହିପରି ଏବେ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ରାଜକୁମାର ଶର୍ମା ମଧ୍ୟ ଆସନ୍ତାବର୍ଷ ଅଗଷ୍ଟରେ ଅବସର ନେବେ। ଏମାନଙ୍କ ବ୍ୟତୀତ ସିଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର ସରକାରଙ୍କ ଗୁଡବୁକରେ ନଥିବାରୁ ଏହି ଉପରୋକ୍ତ ସମସ୍ତ ଅଫିସର ମୁଖ୍ୟ ସଚିବ ରେସରୁ ସ୍ୱତଃ ବାଦ୍ ପଡ଼ିଛନ୍ତି ।
ତେବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୭ ବ୍ୟାଚ ଆଇଏଏସ୍ ତୁହିନକାନ୍ତ ପାଣ୍ଡ ଓ ରାଜେଶ ବର୍ମାଙ୍କୁ ନେଇ ଗୋଟିଏ ଗୋଷ୍ଠୀ ଚର୍ଚ୍ଚା କରୁଥିଲେ ମଧ୍ୟ ଏମାନଙ୍କୁ ଏହି ଗୁରୁଦାୟିତ୍ୱ ଦେବା ସପକ୍ଷରେ ତୃତୀୟ ମହଲା ନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଶ୍ରୀ ବର୍ମା ୨୦୨୦ ମେ’ରେ ଓଡ଼ିଶା ଛାଡ଼ିଥିବାବେଳେ ଶ୍ରୀ ପାଣ୍ଡେ ୨୦୧୯ ଅକ୍ଟୋବରରେ ଦିଲ୍ଲୀ ଯାଇଛନ୍ତି । ଶ୍ରୀ ବର୍ମା ମୁଖ୍ୟ ସଚିବ ପଦବୀ ନିମନ୍ତେ ସମ୍ପୂର୍ଣ୍ଣ ଅନଫିଟ୍ ଓ ପ୍ରଭାବଶାଳୀ ହେବେନି । ତେଣୁ ନିର୍ବାଚନୀ ବର୍ଷରେ ଏହି ଦୁଇ ଅଣଓଡ଼ିଆ ଆଇଏଏସଙ୍କୁ ମୁଖ୍ୟ ସଚିବ ପଦ ପାଇଁ ଚୟନ କରି ରାଜ୍ୟ ସରକାର ଅଯଥା ମୁଣ୍ଡବ୍ୟଥା ବଢ଼ାଇବାର ସମ୍ଭାବନା ବିଲକୁଲ୍ ନାହିଁ କହିଲେ ଚଳେ ।
ସେହିପରି ରାଜ୍ୟର ପୁଲିସ ଡିଜି ଭାବେ ଜଣେ ଅଣଓଡ଼ିଆ ଅଫିସର ସୁନୀଲ କୁମାର ବନସଲ ଦାୟିତ୍ୱ ତୁଲାଉଥିବାରୁ ମୁଖ୍ୟ ସଚିବ ପଦବୀରେ ଓଡ଼ିଆ ଅଫିସରଙ୍କୁ ଅବସ୍ଥାପିତ କରି ବିଜେଡି ସରକାର ଓଡ଼ିଆଙ୍କ ଅସ୍ମିତାର କାର୍ଡ(ବିଜେପି ଖେଳିବାର ସମ୍ଭାବନା)କୁ ପ୍ରତିହତ କରିବାକୁ ଚାହିଁବ । ତା’ଛଡ଼ା ବରିଷ୍ଠ ଆଇଏଏସ୍ ପ୍ରଦୀପ କୁମାର ଜେନା ନିଜର ଲୋକାଭମୁଖୀ ଓ ଦୁର୍ନୀତିବିରୋଧି ଆଭିମୁଖ୍ୟ ପାଇଁ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କର ଆସ୍ଥାଭାଜନ ହୋଇପାରିଛନ୍ତି।
ଶ୍ରୀ ଜେନା ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚିଠା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ହଟାଇ ପ୍ରତ୍ୟେକ କାର୍ଯ୍ୟକୁ ଟେଣ୍ଡର କରାଇ ବିଭାଗରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ପ୍ରଶଂସା ସାଉଁଟିପାରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାରେ ଶ୍ରୀ ଜେନା ମଧ୍ୟ ସକ୍ଷମ ହୋଇଛନ୍ତି । ଶ୍ରୀ ଜେନା ସରକାରୀ ଚାକିରିରୁ ୨୦୨୪ ଜାନୁୟାରୀରେ ଅବସର ନେବାର ଥିବାରୁ ତାଙ୍କୁ ରାଜ୍ୟ ପ୍ରଶାସନର ମୁଖିଆ ପଦବୀରେ ବସାଇ ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।