ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ବରିଷ୍ଠ ରାଜନେତା। ଦାମ। ରାଜ୍ୟରେ ଲକ୍ଡାଉନ୍ ବିଫଳ ହୋଇଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ଶାସକ ଶଙ୍ଖ ଦଳ ପାଇଁ ଓକିଲାତି କରିଛନ୍ତି ଦାମ । ତା’ସହିତ ୧୯୯୯ ମସିହାର ବାତ୍ୟା ପରିଚାଳନାର ବିଫଳତାକୁ ମନେ ପକାଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ଦାମ। ଏନେଇ ଦାମୋଦର ରାଉତ୍ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, କରୋନାର ମହାମାରୀକୁ ମୁକାବିଲା ପାଇଁ ଲକଡାଉନ ବିଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି l ତାଙ୍କୁ ଅନୁସରଣ କରି ଓଡ଼ିଶାରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟରେ ଲକଡାଉନ ବିଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି l
ତେବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ କେତେ ନିୟନ୍ତ୍ରିତ ଏବଂ ସେଠାରେ ସରକାରରେ ଭାଗୁଆଳି ଥିବା କଂଗ୍ରେସର ଭୂମିକା କଣ ବୋଲି ଆଜି ପ୍ରଶ୍ନ ଉଠୁଛି l କଥାରେ ଅଛି "ବୁଦ୍ଧି ନ ଦିଶଇ ଘରକୁ, କହିଦେଉଥାଏ ପରକୁ" l
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କରୋନା ସଂକ୍ରମଣର ପରିଚାଳନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସରକାର ଏବଂ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରସଂଶା କରୁଥିଲାବେଳେ, ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ ଏବଂ ତାଙ୍କର ବନ୍ଧୁମାନେ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ନେଲେ ସଂକ୍ରମଣ ଜନିତ ସଫଳତା ମିଳିବ, ସେଥିପାଇଁ ୧୯୯୯ ମସିହା ମହାବାତ୍ୟା ଅନୁଭୂତିରୁ ନବୀନ ପଟନାୟକଙ୍କୁ ପରାମର୍ଶ ଦେଲେ ଭଲ ହୁଅନ୍ତା ବୋଲି ସେ ଲେଖିଛନ୍ତି।