ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରୋଇ ବିଶ୍ୱ ବିଦ୍ୟାଳୟ କିଟ୍ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। କିଟ୍ ରାଜଧାନୀ ଭୁବନେଶ୍ୱରରେ ଖୁଲମ୍ଖୁଲା ଜମି ହଡପ୍ କରୁଛି। ବେଆଇନ୍ ଭାବେ ନିର୍ମାଣ କରୁଛି ଅଟ୍ଟାଳିକା। ପଟିଆ ଅଞ୍ଚଳରେ ଥିବା ପ୍ରାକୃତିକ ଜଳାଶୟକୁ ପୋତି ନିର୍ମାଣ କରାଯାଉଛି ଏହି ଅଟ୍ଟାଳିକାଟି। କିଟ୍ର କମ୍ପ୍ୟୁଟର ସାଇନ୍ସ ବିଭାଗ ପାଇଁ ଏହି ବହୁତଳ ଅଟ୍ଟାଳିକା ନିର୍ମାଣ ହେଉଛି। ଚଞ୍ଚକତା କରି ପ୍ରଥମେ କିଛି ଜମିକୁ ନିଜ ନାଁରେ କରିବା ପରେ କିଟ୍ କର୍ତ୍ତୃପକ୍ଷ ତା’କୁ ଲାଗିଥିବା ଜଳାଶୟ ଜମିକୁ ଜବରଦଖଲ କରି ପୋତି ଦେଇଥିବା ଅଭିଯୋଗ ହୋଇଛି।
ପଟିଆ ମୌଜାରେ ଆସୁଥିବା ୫୦ ନମ୍ବର ପ୍ଲଟ୍ ଜଳପାଟ ଓ ୧୨୧ ନମ୍ବର ପ୍ଲଟରେ ପାଣି ନାଳ ଥିବା ସରକାରୀ ଖତିଆନରେ ଦର୍ଶା ଯାଇଛି। ତେବେ ୫୦ ନମ୍ବର ପ୍ଲଟର ସବ୍ ପ୍ଲଟ୍ ୧୫୯୩କୁ ଡାଳୁଅ ଦୋ’ ଫସଲି ଦେଖାଯାଇଛି। ମାତ୍ର ଜଳାଶୟର ସବ୍ପ୍ଲଟ୍ କିଭଳି ଚାଷ ଜମି ହେଲା? ତାକୁ ନେଇ ଦେଖାଦେଇଛି ସନ୍ଦେହ। ଅନ୍ୟପକ୍ଷରେ ପାଣିନାଳ ହୋଇଥିଲେ ମଧ୍ୟ ୧୨୧ ନମ୍ବର ପ୍ଲଟକୁ ମଧ୍ୟ ପୋତି ତା’ ଉପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରାକୃତିକ ଜଳଧାରାକୁ ପୋତି କୋଠା ନିର୍ମାଣ ଚାଲିଥିବାରୁ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ଲୋକ।
ତେବେ ଏଠି ପ୍ରଶ୍ନ ଉଠୁଛି, ଜଳାଶୟ ଜମିରେ କୋଠା ନିର୍ମାଣ କରିବା ପାଇଁ କିଟ୍କୁ କିଏ ଦେଲା ଅନୁମତି? କିଟ୍ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନରେ ଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ?
ନିୟମ ଅନୁସାରେ ଜଳାଶୟର କିସମ ପରିବର୍ତ୍ତିନ ସମ୍ଭବ ନୁହେଁ। ତେଣୁ କେଉଁ ନିୟମ ବଳରେ କିଟ୍ ଏଠାରେ ନିର୍ମାଣ କରୁଛି। ସେନେଇ ରାଜସ୍ୱ ବିଭାଗ ଅଧିକାରୀଙ୍କ ମତାମତ ନେବାକୁ ଆମେ ଚେଷ୍ଟା କରିଥିଲୁ। ମାତ୍ର ତାହା ସମ୍ଭବ ହୋଇପାରିନଥିଲା। ଅନ୍ୟପକ୍ଷରେ କିଟ୍ରେ ନିର୍ମାଣ ସଂପର୍କରେ ବିଏମ୍ସି ସିଟି ଇଂଜିନିୟର ଅରୁଣ ନାୟକଙ୍କୁ ପଚରାଯିବାରୁ ସେ ଏ ବିଷୟର ଅବଗତ ନଥିବା କହିଛନ୍ତି।
ଅଟ୍ଟାଳିକା ନିର୍ମାଣକୁ ନେଇ କିଟ୍ ଲୋକ ସଂପର୍କ ଅଧିକାରୀଙ୍କ ସହିତ ଫୋନ୍ରେ ଯୋଗାଯୋଗ କରିଥିଲୁ। ସେ କହିଥିଲେ, ୫୦ ନମ୍ବର ପ୍ଲଟର ସବ୍ ପ୍ଲଟ ୧୫୯୩କୁ କିଟ୍ କିଣିଛି। ତା’ ଉପରରେ ନିର୍ମାଣ ଚାଲିଛି। ୧୨୧ ପ୍ଲଟରେ କୌଣସି ନିର୍ମାଣ ଚାଲିନଥିବା ସେ ସଫେଇ ଦେଇଥିଲେ। ତେବେ ଜଳାଶୟର ଅଂଶକୁ କିଟ୍ କିଭଳି ଓ କାହାଠୁ କିଣିଲେ ଓ ସେଇ ପ୍ଲଟ୍ ପୁଣି ଚାଷଜମି କିସମ କେମିତି ବନିଗଲା ସେନେଇ ସେ କିଛି କହିନଥିଲେ।
ଏପଟେ ଏହି ପ୍ରାକୃତିକ ଜଳାଶୟ ପଟିଆ ରଘୁନାଥପୁର ଦେଇ ଗଙ୍ଗୁଆ ନଦୀ ସହ ମିଶିଛି। ପ୍ରତି ବର୍ଷ ଶୀତ ଦିନେ ହଜାର ହଜାର ବିଦେଶୀ ପକ୍ଷୀ ପକ୍ଷୀ ଏହି ଜଳଶୟକୁ ଆସିଥାଆନ୍ତି। ତେଣୁ ପରିବେଶ ଦୃଷ୍ଟିରୁ ଏହାର ସଂରକ୍ଷଣ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହାକୁ ପୋତି ଦିଆଯିବା ଦ୍ୱାରା ଆଗନ୍ତୁକ ପକ୍ଷୀଙ୍କୁ ଏଠାରେ ଆଉ ଦେଖିବାରୁ ମିଳିବ ନାହିଁ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ।