ବ୍ରହ୍ମପୁର(ଜଗନ୍ନାଥ ସାହୁ):ମାମଲା ରଫାଦଫା ଓ କୋର୍ଟରେ ମାମଲା ପ୍ରତ୍ୟାହାର କରିବାକୁ ନେଇ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ କିଛି ପୁଲିସ ଅଧିକାରୀ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଚାପ ପକାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଆଜି ବ୍ରହ୍ମପୁର ଏସ୍ପିଙ୍କୁ ଭେଟି ସହାୟତା ଭିକ୍ଷା କରିଛନ୍ତି ।
ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଗତ ଡିସେମ୍ବର ୨୯ତାରିଖରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସେହି ଗ୍ରାମର ହରି ଡ଼ାକୁଆ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ହରିଙ୍କୁ ଗିରଫ କରିଥିଲା । କିନ୍ତୁ ଏହାପର ଠାରୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଅଭିଯୁକ୍ତ ହରିଙ୍କ ସମ୍ପର୍କୀୟ ଓ କିଛି ପୁଲିସ ଅଧିକାରୀ ମାମଲା ପ୍ରତ୍ୟାହାର କରିବା, ରଫାଦଫା କରିବାକୁ ଧମକ ଚମକ ଦେଇ ଆସୁଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତଙ୍କ ଶାସକ ଦଳ ସହ ସମ୍ପର୍କ ରହିଥିବା ହେତୁ ବାରମ୍ବାର ଚାପ ପ୍ରୟୋଗ କରାଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଶେଷରେ ବ୍ରହ୍ମପୁର ଏସ୍ପିଙ୍କ ଠାରେ ଅଭିଯୋଗ କରିବା ସହ ସେମାନଙ୍କ ପରିବାରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଏସ୍ପି ଏହି ଘଟଣାରେ ତଦନ୍ତ କରିବା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।