ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ୩ଟି ପର୍ଯ୍ୟାୟରେ ସେରୋ ସର୍ଭେ ଶେଷ ହୋଇଛି । ଦଶହରା ପୂଜାପରେ କଟକ ଓ ପୁରୀରେ ଏହି ସର୍ଭେ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ରାଜ୍ୟରେ ଆରୋଗ୍ୟ ହାର ୯୩ ପ୍ରତିଶତ ଥିବାବେଳେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ପାଇଛି। ଅଗଷ୍ଟ ୧୮ତାରିଖ ପରେ ପ୍ରଥମଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ହଜାର ତଳେ ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ପରିସ୍ଥିତିର […]

corona

Tapas Behera
  • Published: Wednesday, 21 October 2020
  • , Updated: 21 October 2020, 08:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ୩ଟି ପର୍ଯ୍ୟାୟରେ ସେରୋ ସର୍ଭେ ଶେଷ ହୋଇଛି । ଦଶହରା ପୂଜାପରେ କଟକ ଓ ପୁରୀରେ ଏହି ସର୍ଭେ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ରାଜ୍ୟରେ ଆରୋଗ୍ୟ ହାର ୯୩ ପ୍ରତିଶତ ଥିବାବେଳେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ପାଇଛି। ଅଗଷ୍ଟ ୧୮ତାରିଖ ପରେ ପ୍ରଥମଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ହଜାର ତଳେ ରହିଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ୍ ସ୍ଥିତି ସମ୍ପର୍କରେ ଅବଗତ କରାଇ ଉନ୍ନୟନ କମିଶନର ସୁରେଶ ମହାପାତ୍ର କହିଥିଲେ ଯେ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ଏବେ ରାଜ୍ୟର ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଅନୁଗୋଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏକ ହଜାରୁ ଅଧିକ ଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଦଶହରା ଓ ଦୀପାବଳୀ ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ।

ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ, ଆରଟି ପିସିଆର ଟେଷ୍ଟ ରିପୋର୍ଟ ଏବେ ୨୪ଘଣ୍ଟା ମଧ୍ୟରେ ଦିଆଯାଉଛି। ରାଜ୍ୟରେ ସଂକ୍ରମଣ ହାରରେ ହ୍ରାସ ଯୋଗୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ସେମାନେ ଏଥିପାଇଁ ଅଧିକ ପରିଶ୍ରମ କରି ରୋଗୀସେବା ଜାରି ରଖିଛନ୍ତି। ଯେହେତୁ ସଂକ୍ରମଣ ହାର କମିଛି,ଲୋକମାନେ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଲକ୍ଷଣ ଥିବା ରୋଗୀମାନେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଏବେ ୧୮୦୫୦ଜଣ ସକ୍ରିୟ ରୋଗୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୫୧୫ଜଣ ରୋଗୀ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି।
ଏହାବ୍ୟତୀତ ପାର୍ବଣ ଋତୁକୁ ଆଖିରେ ରାଜ୍ୟର ସମସ୍ତ ଏସପିମାନଙ୍କ ସହ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ପୁଲିସ ଡିଜି ଅଭୟ ବୈଠକରେ ଅବଗତ କରିଥିଲେ।

ରାଜ୍ୟରେ ମୋଟ ନମୂନା ପରୀକ୍ଷା ୪୦ଲକ୍ଷ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୪ହଜାର ଓ ଆରୋଗ୍ୟଙ୍କ ସଂଖ୍ୟା ଅଢ଼େଇ ଲକ୍ଷରୁ ଅଧିକ ଥିବା ବୈଠକରୁ ଜଣାପଡ଼ିଥିଲା। ଆରୋଗ୍ୟଙ୍କ ସଂଖ୍ୟା ଅଢ଼େଇ ଲକ୍ଷରେ ପହଂଚିଥିଲେ ବି ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ସେରୋ ସର୍ଭେ ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୧୧ ଓ ୨୮, ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୨୮ ଓ ୨୯, ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧୬ରୁ ୧୯ତାରିଖ ମଧ୍ୟରେ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୫୦୦ ନମୂନା  ସଂଗ୍ରହ କରାଯାଇ ଲୋକମାନଙ୍କ ଆଣ୍ଟିବଡ଼ି ଓ ସେରୋ ପ୍ରିଭିଲେନ୍ସ ଯାଂଚ କରାଯାଇଛି।

Related story