ବାଲୁଗାଁ (ଓଡ଼ିଶା ରିପୋର୍ଟର ): ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ ୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼। ୨୦ରୁ ଅଧିକ ଦିନ ଧରି ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱାର୍ ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏପରି ନୋଟିସ ଜାରି କରାଯାଇଛି ।
ମାଲେସୀୟ ଜାହାଜ ଜିନ୍ ହ୍ୱାରରୁ ଗତକାଲିଠାରୁ ଆରମ୍ଭ ହୋଇଛି ତେଲ କଢ଼ା ପ୍ରକ୍ରିୟା । କମ୍ପାନୀ କର୍ତ୍ତୃପକ୍ଷ ଓ ମୁମ୍ବାଇରୁ ଏକ ବୈଷୟିକ୍ ଟିମ୍ ଆସି ପହଞ୍ଚିବା ପରେ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ୭ଶହ ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି ।
ପ୍ରତି ଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଉଛି । ତେଲ କଢ଼ା ସରିବା ପରେ ଲଞ୍ଚ କିମ୍ବା ଡଙ୍ଗାରେ ଚିଲିକା ଭିତର ଦେଇ ତେଲକୁ ସାତପଡ଼ା ଅଣାଯିବ ବୋଲି ସୂଚନା ମିଳିଛି । ସେପଟେ ଏହି ତେଲକଢ଼ା ପ୍ରକ୍ରିୟା ସହ ଜାହାଜକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।