ଜଙ୍ଗଲ ବିଭାଗର ଅସ୍ଥାୟୀ ଥଇଥାନ କେନ୍ଦ୍ର ଏମିତି, ଟିଣ ଛପରକୁ ଟିଣ କାନ୍ଥ, ମାଟି ଚଟାଣରେ ପଡ଼ିଛି ପଲିଥିନ୍

କରଞ୍ଜିଆ (ସରୋଜ ବେହେରା): ବାପ ଗୋସବାପ ଅମଳରୁ ଜଙ୍ଗଲ ଭିତରେ ଥିଲା ସେମାନଙ୍କର ପୈତୃକ ଭିଟାମାଟି। ସରକାରୀ ଆଇନ କାନୁନ ସେମାନଙ୍କୁ ଜଣା ନାହିଁ କି ଏବେବି ଜଣାନାହିଁ। ସେମାନେ କେବଳ ଏତିକି ଜାଣନ୍ତି, ଜଙ୍ଗଲ ହେଉଛି ସେମାନଙ୍କ ଜୀବନ। ଏଇଠି କଟିଛି ସେମାନଙ୍କ ପିଲାଦିନ। ଏଇ ଗଛବୃଚ୍ଛରୁ ସେମାନେ ପାଇଛନ୍ତି ଜୀବନ ଜୀବିକା। କିନ୍ତୁ ଏବେ ସରକାରଙ୍କ ସୁବିଧା ପାଇଁ, ଜଙ୍ଗଲର ସୁରକ୍ଷା ପାଇଁ ସେମାନଙ୍କୁ ଏ ସବୁ ଛାଡ଼ି ଜଙ୍ଗଲ ବାହାରକୁ ଯିବାକୁ ପଡ଼ିଛି। କିନ୍ତୁ ସେମାନେ କେବେ ଭାବି ନଥିଲେ ଯେ, ପ୍ରତିବଦଳରେ ସରକାର ତାଙ୍କ ପାଇଁ ବ୍ୟବସ୍ଥା କରିଥିବା ଘର ଓ ଜାଗାବାଡ଼ିରେ ଏତେ ଅବ୍ୟବସ୍ଥା ଥିବ ବୋଲି। ଏବେ ସେମାନେ ଭାବୁଛନ୍ତି ଯେ, ଇଏ ମହରଗରୁ ଆସି କାନ୍ତାରରେ ପଡ଼ିବା ପରି କଥା ହେଲା।

 

ଏ କାହାଣୀ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଆବହମାନ କାଳରୁ ବସବାସ କରି ଆସୁଥିବା ୪୧ଟି ପରିବାରର କଥା। ଯାହାଙ୍କୁ ଗତକାଲି (୩୧ ମେ ୨୦୧୮) ଗୁରୁବାର ଦିନ ସ୍ଥାନୀୟ ଜଙ୍ଗଲ ବିଭାଗ ହଟେଇ ଦେଇ ଅସ୍ଥାୟୀ ଭାବେ ନିର୍ମିତ ଥଇଥାନ କେନ୍ଦ୍ରରେ ଅବସ୍ଥାପିତ କରେଇଛି। କିନ୍ତୁ ସେ ଅସ୍ଥାୟୀ ଆବାସ କେନ୍ଦ୍ରର ଅବସ୍ଥା ଏମିତି ଯେ, ଲୋକେ ଏବେ ପ୍ରଶ୍ନ କରୁଛନ୍ତି, ଆମ ପାଇଁ ଏମିତି ବ୍ୟବସ୍ଥା କରିଥିବା ସରକାରୀ ବାବୁମାନେ କ’ଣ ନିଜେ ପିଲା ପରିବାର ଧରି ଏମିତି ଘରେ ରହୁଛନ୍ତି?

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଧୀନରେ ଥିବା ଦୁଥିଆଣି ଗ୍ରାମ ପଞ୍ଚାୟତର ସାନବାରକାମୁଡ଼ା (ମୋଟାକେଚା) ଗ୍ରାମର ୪୧ଟି ପରିବାରର ଇଏ ହେଉଛି କାହାଣୀ। ଗତକାଲି ଏମାନଙ୍କୁ ବନ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ମାଟାକୋଚା ଗାଁରୁ ବଡ଼ଗାଁ ଗ୍ରାମ ପଞ୍ଚାୟତର ପାହାଡ଼ମୋଡ଼କ ଅସ୍ଥାୟୀ ଆବାସ ସ୍ଥଳୀକୁ ନିଆଯାଇ ଅବସ୍ଥାପିତ କରାଯାଇଛି। ଓଡ଼ିଶା ପୁନଃଥଇଥାନ ଆଇନ ଅନୁଯାୟୀ ଏହି ବିସ୍ଥାପିତ ହେଉଥିବା ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେଇ ଥଇଥାନ କରାଯିବା ଆବଶ୍ୟକ। ଉଭୟ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ମିଳିତ ଭାବରେ ଏହାର ତଦାରଖ କରିବା ଦରକାର।

କିନ୍ତୁ ଏହି ୪୧ଟି ପରିବାରକୁ ଅବସ୍ଥାପିତ କରାଯାଇଥିବା ଏହି ଅସ୍ଥାୟୀ ଆବାସ ସ୍ଥଳୀର ଅବସ୍ଥା ଆଖିରେ ନ ଦେଖିଲେ ଆପଣ ବିଶ୍ବାସ କରିପାରିବେ ନାହିଁ। ଘରଗୁଡ଼ିକ ସମ୍ପୁର୍ଣ୍ଣ ଟିଣ ଆଜବେଷ୍ଟସ୍‌ରେ ତିଆରି। ଛାତ ସହିତ କାନ୍ଥ ମଧ୍ୟ ଟିଣ। ଛାତରେ କିଛି ନଡ଼ା ପଡ଼ିଛି। ଘର ଭିତରେ ଚଟାଣ ନାହିଁ। କେବଳ ମାଟି ପଡ଼ିଛି ଓ ତା ଉପରେ ପଲିଥିନ ପକାଇ ଦିଆଯାଇଛି। ରାସ୍ତାରେ ବାଲି ପକାଇ ଦିଆଯାଇଛି। ପାଣି ସୁବିଧା ନାହିଁ। ଗୋଟେ ପଡ଼ିଆ ଭିତରେ ତରବରିଆ ଭାବେ ଏ ଘର ଗୁଡ଼ିକୁ ତିଆରି କରାଯାଇଥିବା ପରି ଲାଗୁଛି। ଏଭଳି ସ୍ଥିତିରେ ଭିଟାମାଟି ଛାଡ଼ି ଆସିଥିବା ଏ ଲୋକମାନେ ପରିବାର ଧରି କେମିତି ରହିବେ ତାହା ହିଁ ଚିନ୍ତାର କାରଣ ପାଲଟିଛି। ଏମାନେ ଏବେ ପ୍ରଶ୍ନ କରୁଛନ୍ତି- ବାବୁ ଭାୟା ମାନେ କଣ ତାଙ୍କ ଘରେ ଏଇମିତି ରହନ୍ତି? ତାଙ୍କ ପିଲାମାନେ କ’ଣ ପଲିଥିନ୍‌ରେ ଶୋଉଛନ୍ତି?

ଏହା ଦିନ ଦ୍ବିପହରେ ମାନବାଧିକାର ହନନ ପରି କଥା ହୋଇଛି। ନିରୀହ ଆଦିବାସୀ ଲୋକମାନେ ଜୋର୍‌ ଦେଇ କିଛି କହିପାରୁ ନାହାଁନ୍ତି ବୋଲି ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ସେମାନଙ୍କୁ ଠକି ଚାଲିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଏହି ଲୋକଙ୍କ ଥଇଥାନ ପାଇଁ ସରକାର ଦେଇଥିବା ଟଙ୍କା କୁଆଡ଼େ ଗଲା?