ରାମକୋକୁ ପ୍ରଶ୍ନ କଲେ ବିଜେଡିକୁ ବାଧୁଛି କାହିଁକି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ରାମକୋ କମ୍ପାନୀର ସମ୍ପୃକ୍ତି ରହିଥିବା ବିଜେପି ଅଭିଯୋଗ କରିବା ସହ ଏଥିପାଇଁ ବିଜେଡି କାହିଁକି ଏଭଳି ପ୍ରତିକ୍ରିୟାଶୀଳ ହେଉଛି ବୋଲି ପ୍ରଶ୍ନ କରିଛି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ନେତ୍ରୀ ତଥା ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ରାମକୋ ହାତେଇଥିବା ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ସେ ଏଥିରେ ରାଜି […]

sonali-sahoo

Manoranjan Sial
  • Published: Friday, 20 December 2019
  • , Updated: 20 December 2019, 07:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ରାମକୋ କମ୍ପାନୀର ସମ୍ପୃକ୍ତି ରହିଥିବା ବିଜେପି ଅଭିଯୋଗ କରିବା ସହ ଏଥିପାଇଁ ବିଜେଡି କାହିଁକି ଏଭଳି ପ୍ରତିକ୍ରିୟାଶୀଳ ହେଉଛି ବୋଲି ପ୍ରଶ୍ନ କରିଛି।

ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ନେତ୍ରୀ ତଥା ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ରାମକୋ ହାତେଇଥିବା ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ସେ ଏଥିରେ ରାଜି ନହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି। ଏହି ବେଆଇନ ଜବର ଦଖଲ ଜମିରେ ରାମକୋକୁ କିଏ ସାହାଯ୍ୟ କରିଛି ଓ ଜିଲ୍ଲାରେ ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବା ସତ୍ତେ୍ୱ ରାମକୋ ବେଆଇନ ଭାବେ ଶହଶହ ଏକର ଜମି କିପରି ଜବରଦଖଲ କରିପାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପଚାରିଥିବା ପ୍ରଶ୍ନ ଓ କରିଥିବା ଦାବିର ଯଥାର୍ଥ ଉତ୍ତର ନଦେଇ ବିଜେଡିର ଜଣେ ମହିଳା ମୁଖପାତ୍ର ରାମକୋ କମ୍ପାନୀକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ବିଜେପି ନେତ୍ରୀଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ।

ସ୍ମିତାରାଣୀ ପ୍ରସଙ୍ଗକୁ ଚାପି ଦେବାକୁ ଉଦ୍ୟମ କରୁଥିବା ବିଜେଡିକୁ ରାମ୍କୋ କମ୍ପାନୀ ଏବଂ ରଙ୍ଗଶାଳା ସମ୍ପର୍କରେ ପ୍ରଶ୍ନ କଲେ କାହିଁକି ବାଧୁଛି। ରାମକୋ କମ୍ପାନୀ ପ୍ରତି ରାଜ୍ୟସରକାରଙ୍କର ଏତେ ଅନୁକମ୍ପା କାହିଁକି ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା ? ଏହି ପ୍ରଶ୍ନର ଉତ୍ତର ନଦେଇ ରାମକୋ ସିମେଣ୍ଟର ମୁଖପାତ୍ର ଭାବେ ବିରୋଧୀଙ୍କୁ ବ୍ୟକ୍ତିଗତ ଆପେକ୍ଷ କରି ବିଜେଡି ନେତ୍ରୀ ନିଜ ସମ୍ମାନ ନିଜେ ହାନି କରିଛନ୍ତି। ସ୍ମିତାରାଣୀ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଏହି ପ୍ରସଙ୍ଗକୁ କେଉଁ ଢଙ୍ଗରେ ନିଆଯାଉଛି ତାହା ଓଡ଼ିଶାବାସୀ ବେଶ୍ ଭଲ ଭାବରେ ବୁଝିପାରୁଛନ୍ତି। ଜିଲ୍ଲା ଏସପି ଗୋଟିଏ ପଟେ ମୃତ ନାରୀର ଚରିତ୍ର ସଂହାର କରୁଥିଲାବେଳେ ଘଟଣା ସହ ସମ୍ପୃକ୍ତ ଅନ୍ୟ ଚାରି ଜଣଙ୍କୁ କ’ଣ ପାଇଁ ତଦନ୍ତ ପରିସରକୁ ଆଣିଲେ ନାହିଁ କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

ଗରିବ ଲୋକ କେଉଁଠି ଝୁମ୍ପୁଡି ଘରି କଲେ ସରକାରୀ ଜାଗା ଚିହ୍ନଟ କରି ରାଜ୍ୟସରକାର ରାତାରାତି ଭାଙ୍ଗି ଦେଉଛନ୍ତି। କିନ୍ତୁ ବେଆଇନ ଭାବେ ତିଆରି ହୋଇଥିବା ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ଏପର୍ଯ୍ୟନ୍ତ ସରକାର ନିର୍ଦ୍ଦେଶ ଦେଉନାହାନ୍ତି କାହିଁକି? ତୃତୀୟ ମହଲା ଏବଂ ଫାଇଭ-ଟି ସଚିବଙ୍କ ସହ ରାମକୋର ସମ୍ପର୍କ ଥିବାରୁ ଘଟଣାକୁ ଚପେଇ ଦେବାକୁ ରାଜ୍ୟସରକାର ବସିଛନ୍ତି। କମ୍ପାନୀକୁ ତୁଷ୍ଟିକରଣ ହେଉ ବା ତାମିଲ ଭାଇଚାରାକୁ ସୁଦୃଢ଼ କରିବା ହେଉ, ରାଜ୍ୟ ସରକାରଙ୍କ ମହିଳାଙ୍କୁ ନ୍ୟାୟ ଦେବା ନାରା ଏକ ପ୍ରହସନରେ ପରିଣତ ହେଇଛି।

ଏସବୁ ବ୍ୟତୀତ ବିଜେଡି ମୁଖପାତ୍ର ସୁଲତା ଦେଓ ଜଣେ ମହିଳା ହୋଇ ବିରୋଧୀ ଦଳର ଅନ୍ୟ ଜଣେ ମହିଳାଙ୍କୁ ଅପମାନିତ କରିଥିବାରୁ ତୁରନ୍ତ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଚାହୁଁଛି। ବିଜେଡି ଯଦି ପ୍ରକୃତରେ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ଚାହୁଁଛି ତେବେ ତୁରନ୍ତ ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ପ୍ରଦାନ କରୁ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।
https://youtu.be/X1WppDT7s2Q

Related story