୬ ମାସ ବିତିଲା, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷାଙ୍କୁ ମିଳୁନି ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫାଇଭ-ଟି’ ଓ ‘ମୋ ସରକାର’ର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ଘୋଷଣା ବି ପ୍ରଭାବହୀନ। ପ୍ରାୟ ୫୦ ଦଳୀୟ ନେତାମାନଙ୍କୁ ସରକାରଙ୍କ ବିଭିନ୍ନ ପଦପଦବୀରେ ଥଇଥାନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରାୟ ୬ ମାସ ହେଲା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗରେ ବାଟବଣା ହୋଇଯାଇଛି। ମହିଳା ଓ ଶିଶୁମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ‘ରାଜ୍ୟ ସମାଜ ମଙ୍ଗଳ ବୋର୍ଡ’ର ଅଧ୍ୟକ୍ଷା ପଦବୀରେ […]

kastri-mohapatra

Manoranjan Sial
  • Published: Thursday, 23 January 2020
  • , Updated: 23 January 2020, 07:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫାଇଭ-ଟି’ ଓ ‘ମୋ ସରକାର’ର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ଘୋଷଣା ବି ପ୍ରଭାବହୀନ। ପ୍ରାୟ ୫୦ ଦଳୀୟ ନେତାମାନଙ୍କୁ ସରକାରଙ୍କ ବିଭିନ୍ନ ପଦପଦବୀରେ ଥଇଥାନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରାୟ ୬ ମାସ ହେଲା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗରେ ବାଟବଣା ହୋଇଯାଇଛି। ମହିଳା ଓ ଶିଶୁମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ‘ରାଜ୍ୟ ସମାଜ ମଙ୍ଗଳ ବୋର୍ଡ’ର ଅଧ୍ୟକ୍ଷା ପଦବୀରେ ବରିଷ୍ଠ ବିଜେଡି ନେତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ଦେବା ନେଇ ଗତ ଅଗଷ୍ଟ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହେବା ସତ୍ତ୍ୱେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇନଥିବାରୁ ସେ ଏପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରେ ରାଜନୀତିକ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ୫୦ରୁ ଅଧିକ ଦଳୀୟ ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନମୁଖୀ ‘ଉପଦେଷ୍ଟା’ ଭଳି ପଦବୀ ସୃଷ୍ଟି କରାଯିବା ଓ ସେଥିରେ ଅନଭିଜ୍ଞ ବ୍ୟକ୍ତିମାନଙ୍କୁ ବିଭିନ୍ନ ବିଭାଗରେ ଅବସ୍ଥାପିତ କରାଯିବାକୁ ନେଇ ସେତେବେଳେ ରାଜନୀତିକ ହଟଚମଟ ପ୍ରକାଶ ପାଇଥିଲା। ତା’ସତ୍ତ୍ୱେ ଭାବମୂର୍ତ୍ତି ସୁରକ୍ଷିତ ରଖିବା ପାଇଁ ତାଳିପକା ଉଦ୍ୟମ ଭାବେ ଉପଦେଷ୍ଟାମାନେ ରାଜକୋଷରୁ ଦରମା ନେବେନି ବୋଲି ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଗଲା।

ଏପର୍ଯ୍ୟନ୍ତ ଉପଦେଷ୍ଟାମାନଙ୍କ କାର୍ଯ୍ୟର ସାମାନ୍ୟତମ ସୁଫଳ ରାଜ୍ୟବାସୀ ପାଉନଥିବା ବେଳେ ବିଭିନ୍ନ ପଦପଦବୀରେ ଦଳର ୭ ଜଣ ନେତ୍ରୀଙ୍କୁ ଥଇଥାନ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସେମାନଙ୍କର ସ୍ଥିତି ଓ କାର୍ଯ୍ୟକୁ ପରଖିବା କଥା ଭୁଲି ଯାଇଛି। ଦଳର ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ମୀନତି ବେହେରା ଓ ସୁଲୋଚନା ଦାସଙ୍କ ସମେତ ସୁସ୍ମିତା ବାଗଚୀଙ୍କୁ ଏକକାଳୀନ ଅଗଷ୍ଟ ୧୬ ତାରିଖରେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଥିଲେ। ଇତିମଧ୍ୟରେ କେବଳ କସ୍ତୁରୀ ମହାପାତ୍ରଙ୍କୁ ବାଦ୍ ଦେଇ ଅନ୍ୟ ମହିଳା ନେତ୍ରୀମାନେ ସରକାରୀ ଦାୟିତ୍ୱ ତୁଲାଉଛନ୍ତି । ମାତ୍ର ଶ୍ରୀମତୀ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ସେ ନିଜର ଦାୟିତ୍ୱ(ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା) ଗ୍ରହଣ କରିବାରେ ସକ୍ଷମ ହୋଇନାହାନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଶ୍ରୀମତୀ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇପାରୁନି। ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗର ମନ୍ତ୍ରୀ ଜଣେ ମହିଳା ହୋଇଥିବାବେଳେ ବିଭାଗର ସର୍ବୋଚ୍ଚ ପ୍ରଶାସନିକ ପଦବୀରେ ୩ଜଣ ବରିଷ୍ଠ ଆଇଏଏସ(୨ଜଣ ମହିଳା) ଥିବା ସତ୍ତ୍ୱେ ସେମାନେ କିଭଳି ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ପରିଚାଳନା ଓ ଶ୍ରୀମତୀ ମହାପାତ୍ରଙ୍କ ନିଯୁକ୍ତି ସଂକ୍ରାନ୍ତ ସମସ୍ୟା ପ୍ରତି ଆଖିବୁଜି ଦେଇଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଏବେ ଓଡ଼ିଶା ସମାଜ ମଙ୍ଗଳ ବୋର୍ଡର ଇନଚାର୍ଜ ଭାବେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟ ତୁଲାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଶ୍ରୀମତୀ ମହାପାତ୍ରଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯିବା ସମ୍ଭବପର ହୋଇପାରିନି। ସମାଜ ମଙ୍ଗଳ ବୋର୍ଡର କାର୍ଯ୍ୟ ବ୍ୟାପକ ଥିବାବେଳେ ରାଜୀବ ଗାନ୍ଧି କ୍ରେଚ୍ ସ୍କିମ୍ ଏବଂ ଫ୍ୟାମିଲି କାଉନସେଲ୍ ସେଣ୍ଟର ଭଳି କାର୍ଯ୍ୟକ୍ରମର ସଂଚାଳନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ମିଳୁଥିବା ଅନୁଦାନ, କର୍ମଜୀବୀ ମହିଳା ହଷ୍ଟେଲ୍ ଓ ଅନ୍ୟାନ୍ୟ ମହିଳା ଓ ଶିଶୁମାନଙ୍କ କଲ୍ୟାଣମୂଳକ କାର୍ଯ୍ୟର ତଦାରଖ ଦାୟିତ୍ୱ ଏହି ବୋର୍ଡ ଉପରେ ରହିଛି। ମାତ୍ର ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଟୁକୁନି ସାହୁଙ୍କ ଦାୟିତ୍ୱହୀନତା ଓ ଅନାଗ୍ରହ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ ହୋଇପାରୁନି କିମ୍ବା ଦଳୀୟ ନେତ୍ରୀ ଶ୍ରୀମତୀ ମହାପାତ୍ର ସମାଜ ମଙ୍ଗଳ ବୋର୍ଡ ମୁଖିଆ ଦାୟିତ୍ୱ ଗ୍ରହଣ କରିବା ମଧ୍ୟ ସମ୍ଭବପର ହୋଇନଥିବା ଜଣାପଡ଼ିଛି।

Related story