ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ସ୍କୁଲରେ ନାମ ଲେଖାଇବା ପାଇଁ ରାଜ୍ୟ ସରକାର ଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରିଛନ୍ତି । ବୋର୍ଡ ଅଫ୍ ସେକେଣ୍ଡାରୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ , ରାଜ୍ୟ ମଦ୍ରାସା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଏହି ଏସଓପି ଲାଗୁ ହେବ।
ରାଜ୍ୟ ଗଣଶିକ୍ଷା ବିଭାଗ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ପ୍ରାଥମିକ,ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ନାମ ଲେଖା ନିମନ୍ତେ ସରକାରଙ୍କ ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପର କ୍ଲାସକୁ ଉତ୍ତୀର୍ଣ୍ଣ ହେବାକୁ ଅନୁମତି ମିଳିଥିବାବେଳେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଦିଆଯାଇଛି। ନାମଲେଖାରୁ କୌଣସି ଛାତ୍ରଛାତ୍ରୀ ବଂଚିତ ହେବେ ନାହିଁ। ସ୍କୁଲଗୁଡ଼ିକ ନିଜଆଡ଼ୁ ଛାତ୍ରଛାତ୍ରୀମାନଙ୍କ ଉପର କ୍ଲାସରେ ନାମ ଲେଖାଇବେ।
ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ଟେଲିଫୋନ୍ ମାଧ୍ୟମରେ ସ୍କୁଲ ପ୍ରଧାନଶିକ୍ଷକ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରଠୁ ସଂଗ୍ରହ କରିବେ। ଏପରିକି ଅଭିଭାବକମାନଙ୍କୁ ବି ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କରିବେ ଓ କୌଣସି ପରିସ୍ଥିତିରେ ପିଲାମାନଙ୍କୁ ସ୍କୁଲକୁ ଡକାଇ ପାରିବେନି। ଯଦି ନୂଆ ଆଡମିଶନ ପାଇଁ ପିତାମାତାଙ୍କ ଆବଶ୍ୟକ ଜରୁରୀ ହୁଏ ତା’ହେଲେ ସ୍କୁଲ ପ୍ରଧାନଶିକ୍ଷକ ଆବଶ୍ୟକ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧି ଓ ଅନ୍ୟ ଗାଇଡଲାଇନକୁ ପାଳନ କରିବେ ।
ସ୍କୁଲରେ ଅଧିକ ଭିଡ଼ ଯେଭଳି ନହେବ ସେଥିପ୍ରତି ପ୍ରଧାନଶିକ୍ଷକ ପଦକ୍ଷେପ ନେବେ। ଯେଉଁ ସ୍କୁଲଗୁଡ଼ିକ ଅନ୍ୟ ସ୍କୁଲରେ ମିଶ୍ରଣ ପାଇଁ ଚିହ୍ନଟ ହୋଇଛି ସେଠାରେ ନାମଲେଖା ହୋଇପାରିବ ନାହିଁ।