ସୋର ଓ ବାସୁଦେବପୁରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନର ଉଦ୍ୟମ ଜାରି

ସୋର/ଭଦ୍ରକ: ବାଲେଶ୍ୱର ଜିଲ୍ଲା ସୋର ଓ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ପ୍ରଶାସନ ପକ୍ଷରୁ ଉଭୟ ସ୍ଥାନରେ ପୃଥକ ପୃଥକ ଭାବେ ଆଜି ଶାନ୍ତି କମିଟି ବୈଠକ ଡକାଯାଇଥିଲା। ଉଭୟ ଅଞ୍ଚଳରେ ଶାନ୍ତି ଆଣିବାକୁ ପ୍ରଶାସନ ସାଧାରଣଲୋକଙ୍କ ସହଯୋଗ ଲୋଡିଛନ୍ତି। ଉଭୟ ଗୋଷ୍ଠୀଙ୍କ ସହ ଏଡିଜି, ଏସ୍‌ପି ଓ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ସହରରେ ଶାନ୍ତି ଫେରାଇ ଆଣିବାକୁ ଆଜି ସୋର ଥାନାରେ ବୈଠକ କରିଛନ୍ତି। ବୈଠକରେ ଉଭୟ ଗୋଷ୍ଠୀଙ୍କୁ ଗଣ୍ଡଗୋଳ […]

sora

Rakesh Mallick
  • Published: Sunday, 11 September 2016
  • , Updated: 12 September 2016, 07:03 AM IST

ସୋର/ଭଦ୍ରକ: ବାଲେଶ୍ୱର ଜିଲ୍ଲା ସୋର ଓ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ପ୍ରଶାସନ ପକ୍ଷରୁ ଉଭୟ ସ୍ଥାନରେ ପୃଥକ ପୃଥକ ଭାବେ ଆଜି ଶାନ୍ତି କମିଟି ବୈଠକ ଡକାଯାଇଥିଲା। ଉଭୟ ଅଞ୍ଚଳରେ ଶାନ୍ତି ଆଣିବାକୁ ପ୍ରଶାସନ ସାଧାରଣଲୋକଙ୍କ ସହଯୋଗ ଲୋଡିଛନ୍ତି।

ଉଭୟ ଗୋଷ୍ଠୀଙ୍କ ସହ ଏଡିଜି, ଏସ୍‌ପି ଓ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ସହରରେ ଶାନ୍ତି ଫେରାଇ ଆଣିବାକୁ ଆଜି ସୋର ଥାନାରେ ବୈଠକ କରିଛନ୍ତି। ବୈଠକରେ ଉଭୟ ଗୋଷ୍ଠୀଙ୍କୁ ଗଣ୍ଡଗୋଳ ନ କରିବାକୁ ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଥିବା ବେଳେ ଉଭୟ ପକ୍ଷ ପୋଲିସକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୋର ବିଧାୟକ ପର୍ଶୁରାମ ଧଡା କହିଛନ୍ତି,“ସୋର ସହରରେ ଶାନ୍ତି ଫେରାଇ ଆଣିବାକୁ ଆଜିର ବୈଠକରେ ଆଲୋଚନା ହୋଇଛି। ଏଥିରେ ଯେଉଁମାନେ ଦୋଷୀ ସେମାନଙ୍କୁ କିପରି ଦଣ୍ଡବିଧାନ କରାଯିବ ତାହା ଆଲୋଚନା ହେଲା। ଆଗକୁ ଯେପରି ଏପରି ପରିସ୍ଥିତି  ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବ।”

ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସୋରର କିଛି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବା ସହ ୧୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଏଡିଜି ସତ୍ୟଜିତ ମହାନ୍ତି କହିଛନ୍ତି,“ଯେଉଁମାନେ ଅପରାଧ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଶାନ୍ତି ଫେରିଆସୁ ବୋଲି ସମସ୍ତ ସୋର ସହରବାସୀ ଚାହୁଁଛନ୍ତି। ଖୁବ ଶୀଘ୍ର ଜୀବନଯାତ୍ରା ସ୍ୱାଭାବିକ ହେବ।”

ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜଣେ ଯୁବତୀଙ୍କୁ ଅନ୍ୟଗୋଷ୍ଠୀର ଜଣେ ଯୁବକ ଧରି ଫେରାର ହୋଇଯିବା ଅଭିଯୋଗକୁ କେନ୍ଦ୍ର କରି ଗତକାଲି ହାଟସାଗର ଅଞ୍ଚଳରେ ଉତ୍ତେଜନା ଓ ପୋଡାଜଳା ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଓ ତାଙ୍କ ଭାଇଙ୍କ ଦୋକାନରେ ଅନ୍ୟଗୋଷ୍ଠୀର ଲୋକେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଆଜି ଦୁଇ ଗୋଷ୍ଠୀର ଲୋକଙ୍କୁ ନେଇ ଟାଉନ୍‌ ହଲ୍‌ରେ ବସିଥିଲା ଶାନ୍ତି କମିଟି ବୈଠକ। ଗଣ୍ଡଗୋଳର ପୁନରାବୃତ୍ତି ନ ହେବା, ପୋଡାଜଳାରେ ହୋଇଥିବା କ୍ଷୟକ୍ଷତିର ଭରଣା ଓ ଫେରାର ଯୁବକ ଯୁବତୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି।

ଜଗନ୍ନାଥ ପ୍ରସାଦ ସରପଞ୍ଚ ଭାଗୀରଥି ବଳ କହିଛନ୍ତି,“ଗତକାଲିର ଘଟଣା କିପରି ଆଗାମୀ ଦିନରେ ନ ହେବ ସେନେଇ ଶାନ୍ତି କମିଟି ବୈଠକରେ ଆଲୋଚନା ହୋଇଛି। ଫେରାର ଥିବା ଯୁବକଯୁବତୀ ଘରକୁ ଫେରନ୍ତୁ ବୋଲି ଆମେ ଚାହୁଁଛୁ। କମିଟିରେ ସେମାନଙ୍କ କଥା ଆଲୋଚନା ହେବ।”

କାଉନ୍‌ସିଲର ସେକ୍‌ ଆମିନୁଦ୍ଦିନ୍‌ ଖାଁ କହିଛନ୍ତି,“ବିନା କାରଣରେ ଜଣକଙ୍କର ବହୁତ କ୍ଷତି ହୋଇଛି। ଆମେ ପ୍ରଶାସନ ନିକଟରେ ଜଣାଇଛୁ। ସେମାନେ ବିଚାର କରି ଯାହା ପଦକ୍ଷେପ ନେବେ ଆମେ ଗ୍ରହଣ କରିବୁ।”

ଭଦ୍ରକ ଅତିରିକ୍ତ ଏସ୍‌ପି ଅସିତ କୁମାର ମହାନ୍ତି କହିଛନ୍ତି,“ଆଜିର ବୈଠକରେ ଫେରାର ଥିବା ଯୁବକ ଯୁବତୀଙ୍କୁ ପ୍ରଥମେ ଖୋଜାଯିବ। ଏହାପରେ ସେମାନେ କେଉଁଠି ରହିବେ ତାହା ବିଚାର କମିଟି କରିବ। ପୋଡାଜଳାକୁ ନେଇ ମାମଲା ରୁଜୁ କରି କିଛି ଲୋକକୁ ଅଟକ ରଖିଛୁ, ଆଲୋଚନା ପରେ ପଦକ୍ଷେପ ନେବୁ।”

ସୂଚନାଯୋଗ୍ୟ ବାସୁଦେବପୁରରେ ଦୋକାନ ପୋଡାଜଳା ଘଟଣାରେ ପୋଲିସ ୬ ଜଣକୁ ଗିରଫ କରିଛି। ତାହାସହ ହାଟସାଗର ଅଞ୍ଚଳରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

Related story