ସେଦିନର ନୂଆ ବର୍ଷ… ତୁମେ ତୁମେ ଲାଗୁଛି ଆଜି

ଭୁବନେଶ୍ୱର(ଜଗମୋହନ ମହାରଣା): ନୀଳ କିରୋସିନି କଣ୍ଟ୍ରୋଲ ଚିନି …. ଲେଖିବାକୁ ଆଉ ଜାଗା ପାଉନି

ବସ୍ତାରେ ବସ୍ତେ ବିଲେଇ… ମୋ ସାଙ୍ଗଟି ଭାରି ଫୁଲେଇ

ୱାନ୍ ଗ୍ଲାସ୍ ୱାଟର, ୱାନ୍‌ ଗ୍ଲାସ୍ ବିୟର, ଓଃ.. ମାଇଁ ଡିୟର.. ହାପି ନ୍ୟୁ ଇୟର….

ଆଉ ମନେ ପଡ଼ୁନି। ଏମିତି ଆହୁରି ବହୁତ୍ କଥା ଥିଲା ଯାହା ପିଲା ଦିନେ ପାଟିଏ ପାଟିଏ ମୁଖସ୍ଥ ହେଇଥିଲା। ନୂଆ ବର୍ଷ ଆସିବାର ମାସକୁ ଆଗରୁ ବିରଞ୍ଚି ଦୋକାନରୁ ଆଠଣିକିଆ ଗ୍ରିଟିଙ୍ଗ୍ସ୍ କିଣି ରଖୁଥିଲୁ। ସେତେବେଳେ ୫ ଟଙ୍କିଆ କି ୧୦ ଟଙ୍କିଆ ଗ୍ରିଟିଙ୍ଗ୍ସ୍ କିଣିବା ପାଇଁ ଗାଁରେ ଆମ ପାଇଁ ସ୍ୱପ୍ନ ଥିଲା। କିନ୍ତୁ ଗୋଟେ ଢେର ଉତ୍ସାହ ଥିଲା ସେତେବେଳେ। ଆଉ ଅଳି କରୁଥିଲୁ ମାଆ ଆଗରେ ପଇସା ଦେ… ପଇସା ଦେ… ଗ୍ରିଟିଙ୍ଗ୍ସ୍ କିଣିବୁ…

ଭଲକି ଅକ୍ଷର ଲେଖି ଶିଖି ନ ଥିବା ହାତରେ ଭାରି ମାପି ଚୁପି ଲେଖୁଥିଲୁ ପୁରୁଣା ବର୍ଷକୁ ବିଦାୟ … ନୂତନ ବର୍ଷକୁ ସ୍ୱାଗତ।

ନୂତନ ବର୍ଷର ଅଭିନନ୍ଦନ…. ସାଙ୍ଗକୁ ମୋର ଫୁଲ ଚନ୍ଦନ….

ଯାହାପାଇଁ ଲେଖା ହୋଇଥିବ ତାକୁ ଦେବା ପାଇଁ ଆଉ ଜଣଙ୍କ ହାତରେ ଦିଆ ହେଉଥିଲା। ଦୀପୁକୁ ଦେବାର ଥିଲେ ପପୁ ହାତରେ ଆଉ ଚିଙ୍କିକୁ ଦେବାରେ ଥିଲେ ରିଙ୍କି ହାତରେ। ଛୁଆ ବେଳର ହାଫ୍ ପ୍ୟାଣ୍ଟ୍ ଆଉ ଫ୍ରକ୍ ପିନ୍ଧା ସ୍ନେହ ଆଜି ବି ମନେ ପଡ଼େ।

ସାତ ପାହାଚିଆରେ ଭୋଜି ହୁଏ। ୫ ଟଙ୍କା ଚାନ୍ଦା। ୭ ଜଣ ସାଙ୍ଗରେ ହେଲେ ଭୋଜି ସରିଲା ପରେ ସେଥିରୁ ବି ଆହୁରି ବଳେ ୫ ଟଙ୍କା। ସନ୍ଧ୍ୟାରେ ମୁଢ଼ି ମିକ୍ସଚର ପାଗ,
ତା’ ସାଙ୍ଗକୁ ‘ସାଥୀ ରେ’ ଫିଲ୍ମ ଦେଖୁଥିଲୁ।

ସମସ୍ତଙ୍କୁ ଗ୍ରିଟିଙ୍ଗ୍ସ୍ ଦେଇ ସାରିଥିଲେ ବି କାହାକୁ ଯଦି ଦିଆ ହେଇ ନ ଥିବ ସେ ମୁହଁ ଫୁଲାଏ। କଥା ହୁଏନି। ତାକୁ ଚିଡ଼େଇବା ପାଇଁ ଶେଷ ତାରିଖର ସନ୍ଧ୍ୟାରେ ଦେଲା ବେଳେ ସେ ଭାରି ଖୁସି ହେଇ ଯାଏ। ଆଉ କୁହେ ଶଳା ମତେ ଯଦି ଗ୍ରିଟିଙ୍ଗ୍ସ ଦେଇ ନ ଥାଆନ୍ତୁ ତୋ ସାଙ୍ଗରେ କଟି ପକେଇ ଥାଆନ୍ତି। ଖାଲି ଝିଅ ମାନଙ୍କୁ ଦେ, ମତେ କାଇଁ ଦବୁ ? ଏମିତି କୁହେ…. ଆହୁରି ବହୁତ୍‌ କଥା….