ସୁନ୍ଦରଗଡ଼ (ବିଜୟ ବରୁଆ): ମୃତ୍ୟୁ ପରେ କରୋନା ପ୍ରେତାତ୍ମାଙ୍କୁ ମିଳିନଥିଲା ମୁକ୍ତି! ସେମାନଙ୍କୁ ମିଳିବ ମୁକ୍ତି। ସେଥିପାଇଁ ଆଜି ସକାଳେ ଶ୍ମଶାନରେ ହୋଇଥିଲା ଅସ୍ଥି ସୁଦ୍ଧି ପୂଜା। ଆସନ୍ତାକାଲି ନିଶାର୍ଦ୍ଧ ରାତିରେ ୩୮ ମୃତକଙ୍କ ଅସ୍ଥିକୁ ପ୍ରୟାଗରାଜ୍ର ତ୍ରିବେଣୀ ସଙ୍ଗମରେ କରାଯିବ ବିସର୍ଜନ। ଏପରି ମହାନ କାର୍ଯ୍ୟ ସୁନ୍ଦରଗଡ଼ ଜିଲ୍ଲାର ଶ୍ମଶାନ ବନ୍ଧୁମାନେ କରିଛନ୍ତି।
କରୋନା ମହାମାରୀରେ ସୁନ୍ଦରଗଡ଼ ଜିଲ୍ଲାରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସବୁ ମୃତକଙ୍କୁ କୋଭିଡ୍ ଗାଇଡ୍ଲାଇନ୍ରେ ରାଣୀବଗିଚା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାର ପରେ ସମ୍ପର୍କୀୟମାନେ ଅସ୍ଥିକୁ ନେଇ ଯାଇଥିଲେ। କିନ୍ତୁ ୭୬ ମୃତକଙ୍କ ସମ୍ପର୍କୀୟମାନେ ଅସ୍ଥି ନେଇନଥିଲେ। ଶ୍ମଶାନ ବନ୍ଧୁମାନେ ଖବର ଦେଲେ ମଧ୍ୟ କେହି ଶୁଣିନଥିଲେ।
[caption id="attachment_655379" align="aligncenter" width="650"] ଶଶ୍ମାନରେ ଚାଲି ପୂଜା[/caption]
କୋଭିଡ୍ ମୃତକଙ୍କ ଅସ୍ଥି ପରିବାର ଲୋକ ନେଉନଥିବା ନେଇ ଖବର ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହା ପରେ କେତେକ ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ଅସ୍ଥି ନେଇ ଯାଇଥିଲେ। ହେଲେ ଆହୁରି ୩୮ ଜଣଙ୍କ ଅସ୍ଥି ଶ୍ମଶାନରେ ରହିଥିଲା। ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଏହି ଅସ୍ଥି କଳସକୁ ବିସର୍ଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
୩୮ କରୋନା ମୃତକଙ୍କ ପ୍ରେତାତ୍ମାକୁ ମୁକ୍ତି ପାଇଁ ରାଣୀବଗିଚା ଶ୍ମଶାନରେ ହୋଇଥିଲା ସ୍ୱତନ୍ତ୍ର ପୂଜା। ସକାଳ ୯ଟା ପୂଜା ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଅସ୍ଥି ସୁଦ୍ଧିକ୍ରିୟା ପରେ ବ୍ରାହ୍ମଣ ଭୋଜନ ଦିଆଯାଇଥିଲା। ଆସନ୍ତା କାଲି ନିଶାର୍ଦ୍ଧ ରାତିରେ ୩୮ ଜଣଙ୍କ ଅସ୍ଥିକୁ ସ୍ୱତନ୍ତ୍ର ଗାଡ଼ିରେ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ନିଆଯିବ। ସେଠାରେ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କରିବେ ଶ୍ମଶାନ ବନ୍ଧୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।