ଓଡ଼ିଆ ଘରେ ୧୨ ମାସରେ ୧୩ ପର୍ବ: ଜାଣିଛନ୍ତି ୧୩ତମ ପର୍ବଟି କ’ଣ ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଥାରେ ଅଛି ୧୨ ମାସରେ ୧୩ ଯାତ୍ରା। ଓଡ଼ିଆ ଲୋକଙ୍କ ମୁହଁରେ ଏ କଥାଟି ବହୁଳ ପ୍ରଚଳିତ। ହେଲେ ପାଠକଙ୍କ ମନରେ କେବେ କେବେ ପ୍ରଶ୍ନ ଆସୁଥିବ ଯେ, ବର୍ଷକ ୧୨ ମାସ ଆଉ ପ୍ରତି ମାସରେ ଗୋଟିଏ ଲେଖାଏଁ ପର୍ବ ହେଲେ ୧୩ତମ ପର୍ବଟି କ’ଣ? ବାସ୍ତବରେ କଥାଟି ଜଗନ୍ନାଥ ସଂସ୍କୃତି ସହ ଜଡିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ବ୍ୟତିତ ଗୋଟିଏ ଅଧିକ ଯାତ୍ରା ରହିଛି ଯାହାକ ଯାହାକୁ ପାରମ୍ପରିକ […]

Jana Ajana Jagannath

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 03:14 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କଥାରେ ଅଛି ୧୨ ମାସରେ ୧୩ ଯାତ୍ରା। ଓଡ଼ିଆ ଲୋକଙ୍କ ମୁହଁରେ ଏ କଥାଟି ବହୁଳ ପ୍ରଚଳିତ। ହେଲେ ପାଠକଙ୍କ ମନରେ କେବେ କେବେ ପ୍ରଶ୍ନ ଆସୁଥିବ ଯେ, ବର୍ଷକ ୧୨ ମାସ ଆଉ ପ୍ରତି ମାସରେ ଗୋଟିଏ ଲେଖାଏଁ ପର୍ବ ହେଲେ ୧୩ତମ ପର୍ବଟି କ’ଣ? ବାସ୍ତବରେ କଥାଟି ଜଗନ୍ନାଥ ସଂସ୍କୃତି ସହ ଜଡିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ବ୍ୟତିତ ଗୋଟିଏ ଅଧିକ ଯାତ୍ରା ରହିଛି ଯାହାକ ଯାହାକୁ ପାରମ୍ପରିକ ଭାବେ ତ୍ରୟୋଦଶ ଯାତ୍ରା କୁହାଯାଏ। ଏହାର ନାଁ ହେଉଛି ‘ନିଳାଦ୍ରୀ ମହୋଦୟାଷ୍ଟମୀ’। ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ପର୍ବ ପାଳିତ ହୋଇଥାଏ। ପ୍ରକାରାନ୍ତରେ ଏହାକୁ କେତେକ ସ୍ଥାନୀୟ ଅଧିବାସୀ ମହାପ୍ରଭୁଙ୍କ ଜନ୍ଖୋତ୍ସବ ବୋଲି ମଧ୍ୟ ଅଭିହୀତ କରିଥାନ୍ତି। ଆଉ ସୌଭାଗ୍ୟକୁ ସେହି ଦିନଟି ହେଉଛି ଆଜି।

ତତ୍ୱତଃ ଦେଖିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବର୍ଷକୁ ଏକାଧିକ ଥର ଜନ୍ମୋତ୍ସବ ପାଳିତ ହୋଇଥାଏ। ଜନ୍ମାଷ୍ଟମୀ, ରାମନବମୀ, ବରାହ ଦ୍ୱାଦଶୀ, ନୃସିଂହ ଚତୁର୍ଦ୍ଦଶୀ, ବାମନ ଜନ୍ମ ଭଳି ତିଥିରେ ଜଗନ୍ନାଥ ଜନ୍ମୋତ୍ସବ ପାଳିତ ହେଉଥିବା ବେଳେ। ସୁଭଦ୍ରାଙ୍କ ନକ୍ଷତ୍ର ବନ୍ଧାପନା ଓ ବଳଭଦ୍ର ଜନ୍ମରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି ପାଳିତ ହୋଇଥାଏ। କିନ୍ତୁ ପାଠକେ ଜାଣିବା ଆବଶ୍ୟକ ଯେ, ଶ୍ରୀମନ୍ଦିରରେ ପୂଜିତ ବିଗ୍ରହମାନେ ଦାରୁ ନିର୍ମିତ । ଏଣୁ ଏହି ମହାଦାରୁ ପ୍ରଥମେ ଯେଉଁଦିନ ମହୋଦଧୀରେ ଭାସି ଶ୍ରୀକ୍ଷେତ୍ର ଆସିଥିଲେ ସେହି ଦିନଟି ହେଉଛି ବାସ୍ତବରେ ଏହି ଚତୁର୍ଦ୍ଧା ମୂର୍ତ୍ତି(ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ର ଓ ଶ୍ରୀ ସୁଦର୍ଶନ)ଙ୍କ ଜନ୍ମୋତ୍ସବ। ବାମଦେବ ସଂହିତାରେ ନିଳାଦ୍ରୀ ମହୋଦୟାଷ୍ଟମୀକୁ ହିଁ ମହାପ୍ରଭୁଙ୍କ ଜନ୍ମୋତ୍ସବ ଭାବେ ଅଭିହୀତ କରାଯାଇଛି। ଏହି ଦିନ ପବିତ୍ର ଦାରୁ ମହୋଦଧିରେ ଭାସି ଶ୍ରୀକ୍ଷେତ୍ରକୁ ଆସିଥିଲେ।

ଶ୍ରୀମନ୍ଦିରରେ ଆଜି ପାଳିତ ହୋଇଛି ପବିତ୍ର ମହୋଦୟାଷ୍ଟମୀ ଉତ୍ସବ ବା ବର୍ଷର ୧୩ତମ ଯାତ୍ରା। ପୁଷ୍ୟାଭିଷେକରେ ଶ୍ରୀଜୀଉଙ୍କୁ ଅଭିଷେକ କରାଇବା ଭଳି ଏହିଦିନ ମଧ୍ୟ ଅଧିବାସିତ ଜଳରେ ଠାକୁରମାନଙ୍କୁ ଅଭିଷେକ କରାଯାଏ।

 କ’ଣ ହୁଏ ନୀତି:

ଏହି ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ଓ ଆଲଟ ଲାଗି ସରିବା ପରେ ଭିତର ଗମ୍ଭିରାରେ ପାଣି ପଡି ପୂଜା ଠା' ହୋଇଥାଏ। ପୂର୍ବ ଦିନରୁ ଭୋଗମଣ୍ଡପରେ ଅଧିବାସ ହୋଇଥିବା ୧୦୮ ଗଡୁ ଜଳକୁ ଗରାବଡୁ ସେବକମାନେ ପଟୁଆରରେ ଚାରି ଥରରେ ଚାରି ପନ୍ତି କରି ଜଳ ପୂର୍ଣ୍ଣ ଗଡୁମାନ ରତ୍ନସିଂହାସନ ନିକଟରେ ବିଜେ କରାନ୍ତି। ପରେ ଜଳ ପୂଜା ଓ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପୂଜାପଣ୍ଡା ସଂସ୍କାର ପୂର୍ବକ ଜଳ ଲାଗି କରନ୍ତି । ଜଳଲାଗି ଅବକାଶ ସମୟ ଭଳି ଦର୍ପଣ ଉପରେ ଲାଗି ହୋଇଥାଏ। ପରେ ମଇଲମ , ନୂଆଲୁଗା ଲାଗି ହେବା ପରେ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର କରାଇ ପାଳିଆ ପୁଷ୍ପାଳକଙ୍କ ସହ ଚନ୍ଦନ ସର୍ବାଙ୍ଗ କରାନ୍ତି। ମଧ୍ୟାହ୍ନ ଧୂପ ପରେ ଅଷ୍ଟ ଦିଗପାଳ ଅନ୍ନ ବଳି ଦିଆଯାଇଥାଏ। ତିନିବାଡ଼ରେ ବନ୍ଦାପନା କରାଯାଏ।

ସ୍କନ୍ଦପୁରାଣ ବର୍ଣ୍ଣନା ମୁତାବକ, ସ୍ୱୟଂ ବ୍ରହ୍ମା ବୈଶାଖ ମାସର ପୁଷ୍ୟାଯୋଗଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାରରେ ଶ୍ରୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କଲେ । ସେହି ହେତୁ ଏଇ ଦିବସଟି ଅତ୍ୟନ୍ତ ପୁଣ୍ୟତମ, ସର୍ବପାପ ବିନାଶକାରୀ ଅଟେ।

Related story