ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ: ଦାୟିତ୍ୱରେ ରହିବେ ଆଇଏଏସ୍

ଭୁବନେଶ୍ୱର(ପ୍ରକାଶ ସେଠୀ):  ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ରାଜ୍ୟ ସରକାର ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବେ। ପୁରୀ ଶ୍ରୀମନ୍ଦିର ଢାଂଚାରେ ପ୍ରସ୍ତୁତ ଏହି ଆଇନରେ ଲିଙ୍ଗରାଜ ମନ୍ଦିର ଓ ଏହାର ନୀତିକାନ୍ତି ସହ ଜଡ଼ିତ ସମସ୍ତ ମନ୍ଦିରର ପରିଚାଳନା ଦାୟିତ୍ୱ ୧୫ଜଣିଆ ପରିଚାଳନା କମିଟି ପାଖରେ ରହିବ। ଏହି ନୂଆ ଆଇନ କାର୍ଯ୍ୟକ୍ଷମ ହେଲେ ଲିଙ୍ଗରାଜ ମନ୍ଦିର ନିମନ୍ତେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅକାମୀ ହୋଇଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ପ୍ରସ୍ତାବିତ ଆଇନ ଅନ୍ତର୍ଗତ ରାଜ୍ୟ ସରକାର, ପରିଚାଳନା କମିଟି ଓ ମନ୍ଦିର ପ୍ରଶାସକଙ୍କ ଯେକୌଣସି କାର୍ଯ୍ୟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। ପରିଚାଳନା କମିଟି ମାଧ୍ୟମରେ ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଏହାର ନୀତିକାନ୍ତି ସହ ଜଡ଼ିତ ସମସ୍ତ ମନ୍ଦିରର ପରିଚାଳନା ନିମନ୍ତେ  ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ-୨୦୨୦ର ଚିଠା ବିଲ୍ ଉପରେ ଆଜି ରାଜ୍ୟ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଗବାନ ଶିବ ଓ ବିଷ୍ଣୁଙ୍କ ମିଳିତ ରୂପ ହରିହରଙ୍କ ପ୍ରାଚୀନ ମନ୍ଦିର ମଧ୍ୟରେ ଲିଙ୍ଗରାଜ ମନ୍ଦିରର ଅନ୍ୟତମ। ଲିଙ୍ଗରାଜ ମନ୍ଦିରର ଧାର୍ମିକ ମହତ୍ତ୍ୱ, କଳାଐତିହ୍ୟ ଓ ଦେଶର ବିଭିନ୍ନ ଭାଗରୁ ଶ୍ରଦ୍ଧାଳୁମାନେ ଆସୁଥିବାରୁ ଏହି ପ୍ରାଚୀନ ମନ୍ଦିରର ସେବାପୂଜା, ନୀତିକାନ୍ତି, ସମ୍ପତ୍ତିର ରକ୍ଷଣାବେକ୍ଷଣ, ଭିତ୍ତିଭୂମି ବିକାଶ ଓ ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ଏହି ଆଇନରେ ୧୫ଜଣିଆ ପରିଚାଳନା କମିଟି ଗଠନ କରାଯିବ, ଯେକି ମନ୍ଦିରର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ଉପାର୍ଜନ, ନୀତିକାନ୍ତି, ସେବାୟତଙ୍କ କଲ୍ୟାଣ ସହ ସବୁ ନିଷ୍ପତ୍ତି ନେବାକୁ କ୍ଷମତାପ୍ରାପ୍ତ ରହିବ। ତେବେ ମନ୍ଦିରର କୌଣସି ସମ୍ପତ୍ତିକୁ ବିକ୍ରି କରିବା ଓ ୫ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଲିଜ୍ ଦେବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।
ଏହି ମନ୍ଦିର ପରିଚାଳନା କମିଟିରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମିଶାଇ ସର୍ବାଧିକ ୧୫ଜଣ ସଦସ୍ୟ ରହିବେ। ମନ୍ଦିରର ବିଭିନ୍ନ ବର୍ଗର ସେବକଙ୍କ ମଧ୍ୟରୁ ୩ଜଣ ଓ ଧାର୍ମିକ ତଥା ସାମାଜିକ କ୍ଷେତ୍ରରେ ପରିଚିତ ୨ଜଣ ବ୍ୟକ୍ତିଙ୍କୁ କମିଟିର ସଦସ୍ୟ ଭାବେ ରାଜ୍ୟ ସରକାର ଚୟନ କରିବେ। ଅନ୍ୟ ୮ଜଣ ସରକାରୀ ଏକ୍ସ-ଅଫିସିଓ ସଦସ୍ୟ ଭାବେ କାର୍ଯ୍ୟ କରିବେ। ହିନ୍ଦୁ ଧର୍ମାବଲମ୍ବୀ ଜଣେ କମିଶନର ଅବା ସଚିବ ପାହ୍ୟାର ଆଇଏଏସ୍ ଅଫିସରଙ୍କୁ ମନ୍ଦିରର ପ୍ରଶାସକ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଭାବେ ନିଯୁକ୍ତି ମିଳିବ। ସେହିପରି କମିଟିରେ ଏକ୍ସ-ଅଫିସିଓ ସଦସ୍ୟ ଭାବେ ଦେବୋତ୍ତର କମିଶନର, ଆଇନ ବିଭାଗର ଅତିରିକ୍ତ ସଚିବ, ବିଏମସି କମିଶନର, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ, ଭୁବନେଶ୍ୱର ପୁଲିସ୍ ଡିସିପି, ଏଏସଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ ମଧ୍ୟ ସଦସ୍ୟ ରହିବେ। ଏକ୍ସଅଫିସିଓ ସଦସ୍ୟଙ୍କୁ ଛାଡ଼ିଲେ କମିଟିର ବାକି ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ୩ବର୍ଷ ରହିବ।
ଏହି କମିଟି ଚାହିଁଲେ ସବକମିଟି ଗଠନ କରି ଜମି ଓ ପ୍ରକଳ୍ପ, ଅର୍ଥ ଓ ପ୍ରତିଷ୍ଠାନ, ସେବକଙ୍କ କଲ୍ୟାଣ, ନୀତି, ଏହାସହ ଜଡ଼ିତ ମନ୍ଦିର ଓ ଅନ୍ୟାନ୍ୟ କାର୍ଯ୍ୟର ସୁପରିଚାଳନା କରିପାରିବେ। କେବଳ ଉତ୍ତରାଧିକାରୀ ସେବକଙ୍କୁ ଛାଡ଼ିଲେ ୨୧ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତିଙ୍କୁ ମନ୍ଦିରର କୌଣସି କାର୍ଯ୍ୟର ଦାୟିତ୍ୱ ଦିଆଯିବ ନାହିଁ । ପରିଚାଳନା କମିଟି ମନ୍ଦିରର ସେବାପୂଜାରେ ନିୟୋଜିତ ସମସ୍ତ ସେବକଙ୍କୁ ପଞ୍ଜିକୃତ କରିବା ସହ ସେମାନଙ୍କୁ ଆଇକାର୍ଡ ପ୍ରଦାନ କରିବ। କୌଣସି ସେବକ,ପରିଚାଳନା କମିଟି ସଦସ୍ୟ ଓ ମନ୍ଦିରର କର୍ମଚାରୀ ବିନା ଆଇକାର୍ଡରେ ମନ୍ଦିର ଭିତରେ ପ୍ରବେଶ କଲେ ତାଙ୍କ ଉପରେ ୫୦୦ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବ। ମନ୍ଦିରକୁ ଦାନ ଦେବା ପାଇଁ ହୁଣ୍ଡି ସ୍ଥାପନ କରାଯିବ, ଯାହାକି ପ୍ରତି ୨ମାସରେ ଥରେ ନିଶ୍ଚିତ ଭାବେ ଖୋଲାଯିବ ବୋଲି ଏହି ଚିଠା ଆଇନରେ ପ୍ରାବଧାନ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।