ବଡ଼ମ୍ବା(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି ସେତୁ ଉପରେ ଆଜି ଅପରାହ୍ଣରେ ମକରମେଳା ଦେଖିବାକୁ ଯାଇଥିବା ଲୋକଙ୍କ ଯାଉଥିବା ଭିତରେ ଦଳାଚକଟା ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଲୋକମାନେ ବଡ଼ମ୍ବା ସିଂହନାଥ ପୀଠରେ ଠାକୁର ଦର୍ଶନ ଓ ଏଠାରେ ଜମିଥିବା ମକଳ ମେଳା ଦେଖିବାକୁ ଯାଉଥିଲେ। ତେବେ ଏଥିପାଇଁ ଦାୟୀ କିଏ ତାହାକୁ ନେଇ ଏବେ ସବୁ ମହଲରେ ପ୍ରଶ୍ନ ଉଙ୍କି ମାରିଛି। ଶେଷ ଖବର ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।
ସେପଟେ ଦଳାଚକଟା ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଜଣେ ମହିଳାଙ୍କ ପ୍ରାଣହାନୀ ହୋଇଥିବାବେଳେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ତାସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ସମସ୍ତ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ସେହିପରି ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟୁଇଟ୍ କରି ବୈଜୟନ୍ତ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ କରିଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ବୈଜୟନ୍ତ ସମବେଦନା ଜଣାଇଛନ୍ତି।
ଏହି ଘଟଣା ପରେ ଉଠିଛି ଅନେକ ପ୍ରଶ୍ନ। ପ୍ରଥମେ ଏ ଘଟଣା ପାଇଁ ଦାୟୀ କିଏ? ସିଂହନାଥ ପୀଠ ଟି-ସେତୁରେ କାହିଁକି ହେଲା ଦଳାଚକଟା? ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଛି କି ? ଏ ସ୍ଥାନକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ନେଇ ହୋଇନଥିଲା କି ଆକଳନ? ସେହିଭଳି କାହିଁକି ମୁତୟନ ହୋଇନଥିଲେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ? ଏତେବଡ଼ ମକରମେଳା ପରିଚଳନାରେ ପ୍ରଶାସନ ଫେଲ୍ ମାରିଲା କି ବୋଲି ପ୍ରଶ୍ନ ଉଠିଛି?
ଆଶାତିତ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ଉପୁଜିଥିବା କୁହାଯାଉଛି। ବଡ଼ମ୍ବା-ଗୋପୀନାଥପୁର ଟି ସେତୁ ଉପରେ ହଜାର ହଜାର ଶ୍ରଦ୍ଧାଳୁ ଯାଆ ଆସ ଭିତରେ ଏହି ଦଳାଚକଟା ହୋଇଥିଲା। ଆହତଙ୍କ ମଧ୍ୟରେ ବହୁ ମହିଳା ଓ ଛୋଟ ପିଲା ରହିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ଖଣ୍ଡପଡ଼ା ଅଞ୍ଚଳର ଆଦ୍ୟାସା ସାହୁ, ବାଙ୍କୀର କେଶବ ଲେଙ୍କା, ସ୍ୱର୍ଣ୍ଣଲତା ପଣ୍ଡା ଏବଂ ସୁମିତ୍ରା ସାହୁ। ମହାନଦୀ ଉପରେ କିଛି ମାସ ତଳେ ଲୋକାର୍ପିତ ହୋଇଥିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜ୍। ମହାନଦୀ ସେତୁରୁ ସିଂହନାଥ ପୀଠକୁ ସଂଯୋଗୀକରଣ ପାଇଁ ଏହି ଟି-ବ୍ରିଜ୍ ନିର୍ମାଣ କରାଯାଇଥିଲା।
ମକର ମେଳା ଅବସରରେ ଆଜି ବଡ଼ମ୍ବା ସିଂହନାଥ ପୀଠକୁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଆଶାତିତ ଲୋକ ଆସିଯିବାରୁ ଅତ୍ୟଧିକ ଭିଡ଼ ହୋଇ ଯାଇଥିବା ଆଠଗଡ଼ ଉପଜିଲ୍ଲାପାଳ କହିଛନ୍ତି।
ସେପଟେ ଲୋକଙ୍କ ତୁଳନାରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ବାହିନୀର ଅଭାବରୁ ଏଭଳି ଘଟିଥିବା ଅଭିଯୋଗ ହେଉଛି। ମେଳାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାତ୍ର ୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଥିଲା। ସଂକୀର୍ଣ୍ଣ ସେତୁରେ ଭିଡ ନିମନ୍ତ୍ରଣ ନିମନ୍ତେ ହାତଗଣତି ପୁଲିସ ମୁତୟନ ଥିବା ଯୋଗୁଁ ପ୍ରଥମେ ଲୋକ ଗହଳି ଓ ପରେ ଦଳାଚକଟା ଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି।
୨୦୨୧ ମସିହା ଡିସେମ୍ବର ୨୦ ତାରିଖରେ ଲୋକାର୍ପିତ ହୋଇଥିଲା ଟି ସେତୁ। ଏହାକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମହାନଦୀ ଉପରେ ନିର୍ମାଣ ହୋଇଥିବା ଏ ସେତୁର ଲମ୍ବ ୩.୪ କିଲୋମିଟର ଏବଂ ଓସାର ୭.୫ ମିଟର। ଏହା ଦେଖିବାକୁ ଆକାଶ ମାର୍ଗରୁ ଇଂରାଜୀ ଅକ୍ଷର T ଭଳି ଦେଖାଯାଏ। ମହାନଦୀ ସେତୁରୁ ସିଂହନାଥ ପୀଠକୁ ସଂଯୋଗ କରୁଥିବା ଏ ସେତୁ ବଡ଼ମ୍ବାର ଗୋପୀନାଥପୁର ଓ ବାଙ୍କୀର ବୈଦେଶ୍ୱରକୁ ମଧ୍ୟ ଯୋଡ଼ୁଛି। ୧୧୧ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।