ପରାଜୟର ସମୀକ୍ଷା କଲା ବିଜେପି: ଅନ୍ତର୍ଘାତୀ କାର୍ଯ୍ୟକୁ ଦାୟୀ କଲେ ପରାଜିତ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୭ ଦିନ ପରେ ଓଡ଼ିଶାରେ ଦଳର ପରାଜୟର ସମୀକ୍ଷା କରିଛି ବିଜେପି। ୩ଟି ପର୍ଯ୍ୟାୟରେ  ଆଜି ୬ ଘଣ୍ଟା ଧରି ତୁଙ୍ଗ ନେତା ଜିଲ୍ଲା ସ୍ତରର ନେତାଙ୍କୁ ଡାକି ଏହାର କାରଣ ଖୋଜିଥିଲେ। ପରାଜୟ ପାଇଁ ଅନେକ କାରଣ ଭିତରୁ କେତେକ ପରାଜିତ ପ୍ରାର୍ଥୀ ଦଳ ଭିତରର ଅନ୍ତର୍ଘାତୀ କାମ ସଂପର୍କରେ ଅଭିଯୋଗ ଆଣି କମ୍ପନ ସୃଷ୍ଟି କରିଥିଲେ। ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କର […]

rin

rin

Tapas Behera
  • Published: Sunday, 09 June 2019
  • Updated: 09 June 2019, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୭ ଦିନ ପରେ ଓଡ଼ିଶାରେ ଦଳର ପରାଜୟର ସମୀକ୍ଷା କରିଛି ବିଜେପି। ୩ଟି ପର୍ଯ୍ୟାୟରେ  ଆଜି ୬ ଘଣ୍ଟା ଧରି ତୁଙ୍ଗ ନେତା ଜିଲ୍ଲା ସ୍ତରର ନେତାଙ୍କୁ ଡାକି ଏହାର କାରଣ ଖୋଜିଥିଲେ। ପରାଜୟ ପାଇଁ ଅନେକ କାରଣ ଭିତରୁ କେତେକ ପରାଜିତ ପ୍ରାର୍ଥୀ ଦଳ ଭିତରର ଅନ୍ତର୍ଘାତୀ କାମ ସଂପର୍କରେ ଅଭିଯୋଗ ଆଣି କମ୍ପନ ସୃଷ୍ଟି କରିଥିଲେ।

ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କର ପରାଜୟ ପାଇଁ ନିଜ ଦଳର ଅନ୍ତର୍ଘାତୀ କାମକୁ ଦାୟୀ କରିଛନ୍ତି। ରାଧାରାଣୀ ଏଥର ପାଇଛନ୍ତି ୬୮ ହଜାର ଭୋଟ୍‌। ୯ ହଜାର ଭୋଟ୍‌ରେ ସେ ବିଜେଡିର କିଶୋର ମହାନ୍ତିଙ୍କ ଠାରୁ ହାରିଯାଇଛନ୍ତି। ତେବେ ତାଙ୍କ ନିର୍ବାଚନମଣ୍ଡଳୀରୁ ବିଜେପିର ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀ ପାଇଛନ୍ତି ତାଙ୍କ ଠାରୁ ୨୨ ହଜାର ଅଧିକ ଭୋଟ୍‌। ନେତାଙ୍କ ଭିତରେ ଅଘୋଷିତ ମେଣ୍ଟ ଯୋଗୁ ବିଧାନସଭାରେ 'ଶଙ୍ଖ' ଓ ଲୋକସଭାରେ 'ପଦ୍ମ'ର ସ୍ଲୋଗାନ ତାଙ୍କ ପାଇଁ କାଳ ହେଲା ବୋଲି କହିଛନ୍ତି ରାଧାରାଣୀ। ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନିଜ ହାରିବା ପଛରେ କଂଗ୍ରେସର ଭୋଟ୍ ବିଜେଡି ଖାତାକୁ ଯିବାକୁ ଦାୟୀ କରିଛନ୍ତି। ପ୍ରଦୀପଙ୍କ ସମେତ ଏଥର ମଇଦାନକୁ ଓହ୍ଲାଇଥିବା ବିଜେପିର ୫ ବିଧାୟକ ପରାଜୟର ମୁହଁ ଦେଖିଛନ୍ତି। ଆଜି ସମୀକ୍ଷା ବୈଠକରେ ଏସବୁ କାରଣର ଅବତାରଣା କରିଛନ୍ତି ହାରିଥିବା ନେତା।

ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିଙ୍କ ବୈଠକ ପୂର୍ବରୁ ଦଳର କୋର୍ କମିଟିର ରୁଦ୍ଧ ଦ୍ୱାର ବୈଠକ ବସିଥିଲା। ଏଥିରେ ଉଭୟ ଲୋକସଭା ଓ ବିଧାନସଭାରେ ଜିତିବା ସ୍ଥିତିରେ ଥିବା ପ୍ରାର୍ଥୀ କାହିଁକି ହାରିଲେ, ତାର ସମୀକ୍ଷା ହୋଇଥିଲା। ୮୧ଟି ବିଧାନସଭା ଆସନରେ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ କଣ୍ଟାବାଞ୍ଜି, ପରଜଙ୍ଗ, ବଡ଼ଚଣା, ଗୋପାଳପୁର, କୁଚିଣ୍ଡା, କଣ୍ଟାମାଳ, ବରୀ, ରେମୁଣା, ରଣପୁର, ରଘୁନାଥପାଲ୍ଲୀ, ସୋର ପରି ୧୧ଟି ଆସନରେ ୫ ହଜାରରୁ କମ୍‌ ଭୋଟ୍‌ ବ୍ୟବଧାନରେ ହାରିଥିବା ଆସନରେ ସଂଗଠନ କାହିକିଁ ଫେଲ୍‌ ମାରିଲା ସେ ନେଇ ବି ତର୍ଜମା ହୋଇଥିଲା।

୫ରୁ ୧୦ ହଜାର ଭୋଟ୍‌ରେ ହାରିଥିବା ୧୩ଟି ଆସନରେ ବିଜୟ ସମ୍ଭାବନା ଥିଲେ ବି ହାରିବା ପଛରେ ଦଳର ନିର୍ବାଚନ ପରିଚାଳନାରେ ତ୍ରୁଟିକୁ ଦାୟୀ କରାଯାଇଥିଲା। କିଛି ସ୍ଥାନରେ ଘରଢିଙ୍କି କୁମ୍ବୀର ହୋଇଥିବାର ନଜିର ବି ସାମନାକୁ ଆସିଛି। ପ୍ରଶାସନିକ କଳର ଦୁରୁପଯୋଗକୁ କିଛି ସ୍ଥାନରେ ଦାୟୀ କରିଛନ୍ତି ନେତା। ତେବେ ଯେଉଁଠି ଯେଉଁଠି ସଂଗଠନରେ ତ୍ରୁଟି ଠାବ କରାଯାଇଛି, ତା'କୁ ସୁଧାରି ଆଗକୁ ବଢ଼ିବାକୁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୨୦ର ମିଶନରେ  ନ ପହଞ୍ଚିବା ଯାଏ ସଂଘର୍ଷ କରିବାକୁ ଗତକାଲି ସମ୍ବର୍ଦ୍ଧନା ସଭାର ମଞ୍ଚରୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। '୧୯ ନିର୍ବାଚନ ପରେ ଏବେ ଦଳର ୧୨୦ ମିଶନ୍ ୨୦୨୪ ନିର୍ବାଚନ ପାଇଁ କି ବୋଲି ପ୍ରଶ୍ନ ଉଠିଛି। ୧୯ ନିର୍ବାଚନର ଢେର ପୂର୍ବରୁ ବୁଥ୍ ମଜବୁତ କରି ୧୨୦ ଲକ୍ଷ୍ୟରେ ପହଞ୍ଚିବାକୁ ଟାର୍ଗେଟ ଦେଇଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ତେବେ ବିଧାନସଭାରେ ଦଳ ଖାଇଥିବା ଝଟ୍‌କାକୁ ଲୋକସଭା କ୍ଷେତ୍ରରେ ଭୋଟ୍‌ ହାରରେ ଆଖିଦୃଶିଆ ବୃଦ୍ଧି ଓ ୮ଟି ଆସନରେ ଜିତ୍ କିଛି ପରିମାଣରେ ଲାଘବ କରିଛି। ତେଣୁ ବଢ଼ିଥିବା ଭୋଟ୍‌ହାରକୁ ନେଇ ଦଳୀୟ ନେତାମାନେ ଆତ୍ମ ସନ୍ତୋଷ ଲାଭ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos