୨୭ଟି ପ୍ରସ୍ତାବକୁ ଅନୁମୋଦନ କଲେ ରାଜ୍ୟ କ୍ୟାବିନେଟ୍, ପଢ଼ନ୍ତୁ କ’ଣ ସବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରାୟ ୪୪୦କୋଟି ଟଙ୍କାର ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ, ଜାଭିୟର ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ, ଫୁଡ୍ ସେଫ୍ଟି ସେବାରେ ୭୫ଟି ନୂଆ ଅଫିସର ପଦବୀ ସୃଷ୍ଟି, ସମସ୍ତ ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ , ଶିଳ୍ପ ବିଭାଗ ଅଧୀନରୁ […]

naveen

Manoranjan Sial
  • Published: Tuesday, 09 February 2021
  • , Updated: 11 February 2021, 01:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରାୟ ୪୪୦କୋଟି ଟଙ୍କାର ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ, ଜାଭିୟର ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ, ଫୁଡ୍ ସେଫ୍ଟି ସେବାରେ ୭୫ଟି ନୂଆ ଅଫିସର ପଦବୀ ସୃଷ୍ଟି, ସମସ୍ତ ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ , ଶିଳ୍ପ ବିଭାଗ ଅଧୀନରୁ ହସ୍ତଶିଳ୍ପକୁ ଅଲଗା କରିବା ଭଳି ମୋଟ ୨୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଶିଳ୍ପ ବିଭାଗଠାରୁ ହସ୍ତଶିଳ୍ପକୁ ଅଗଲା କରି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ସହ ମିଶ୍ରଣ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ଟି ବିଭିନ୍ନ ପଦପଦବୀ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ଏମଏସଏମଇ ବିଭାଗଠାରୁ ଅଲଗା କରାଯାଇଛି। ଏହି କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଚାକିରିର ନିୟନ୍ତ୍ରଣ ଏମଏସଏମଇ ବିଭାଗ ଅଧୀନରେ ରହିଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ହସ୍ତଶିଳ୍ପ ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ଯଥା ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଓ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ-୨୦୨୧ ସୃଷ୍ଟି କରିବା ପ୍ରସ୍ତାବ ସରକାରଙ୍କ ବିଚାରଧୀନ ଥିଲା। ଏବେ ରାଜ୍ୟ ସରକାର ଏହି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଘୋଷଣା କରିଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାର ଟିକାବାଲି ଓ ବାଲିଗୁଡ଼ା ବ୍ଲକର ମୋଟ ୩୨୯ଟି ଗାଁର ୧ଲକ୍ଷ ୫ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୧୮୫.୯୨କୋଟି ଟଙ୍କାର ୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ଦୁଇ ପ୍ରକଳ୍ପର ଟେଣ୍ଡର ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟ ୧୮୫.୯୨କୋଟି ଟଙ୍କାରେ ନେଇଛି ଓ ୨୪ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବ। କ୍ୟାବିନେଟ ଆଜି ଏହି ଟେଣ୍ଡରକୁ ଅନୁମୋଦନ କରିଛନ୍ତି। ସେହିପରି ଯାଜପୁର ଜିଲ୍ଲାର ୫ଟି ବ୍ଲକର ୩୨୩ଟି ଗାଁର ୩.୯୦ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାନୀୟ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକୁ ମୁମ୍ବାଇର କେଇସି-ବିଆରସିସିପିଏଲ୍ ସଂସ୍ଥା ୨୫୪.୨୭କୋଟି ଟଙ୍କାରେ ଟେଣ୍ଡର ନେଇଛି। ୨୪ମାସ ମଧ୍ୟରେ ଏହି କାମ ସରିବ। କ୍ୟାବିନେଟ ଏହି ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି।

ସେହିପରି ଜାଭିୟର ବିଶ୍ୱବିଦ୍ୟାଳୟ, ଓଡ଼ିଶାର ନାଁ ପରିବର୍ତ୍ତନ କରାଯାଇ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ଓଡ଼ିଶା ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହିତ ବିଶ୍ୱବିଦ୍ୟାଳୟର ପରିଚାଳନାଗତ ତ୍ରୁଟିବିଚ୍ୟୁତି ହେଲେ ସରକାର ଏଣିକି ଏହି ବିଶ୍ୱବିଦ୍ୟାଳୟର ଉଭୟ ବୋର୍ଡ ଅଫ ମ୍ୟାନେଜମେଣ୍ଟ ଓ ବୋର୍ଡ ଅଫ ଗଭର୍ଣ୍ଣରକୁ ନିଲମ୍ବନ କରିପାରିବେ। ତା’ଛଡ଼ା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷାବୃତ୍ତି, ପଦକ ତଥା ପୁରସ୍କାର ପ୍ରଦାନ ନିମନ୍ତେ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଓଡ଼ିଶା ଫୁଡ୍ ସେଫ୍ଟି ସେବା ନିୟମ-୨୦୨୦କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିବା ସହ ୩୫ଟି ଫୁଡ୍ ସେଫ୍ଟି ଅଫିସର, ୩୭ଟି ଡେଜିନେଟେଡ୍ ଅଫିସର(ଫୁଡ୍ ସେଫ୍ଟି) ଓ ୩ଟି ଡେପୁଟି କମିଶନର ପଦବୀକୁ ନୂଆ ଭାବେ ସୃଷ୍ଟି ନିମନ୍ତେ ଅନୁମତି ଦେଇଛନ୍ତି। ଏହି ପଦବୀଗୁଡ଼ିକ ପ୍ରଥମ ୬ବର୍ଷ ଚୁକ୍ତିଭିତ୍ତିକ ଓ ପରେ ନିୟମିତ ହେବ। ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ମାଧ୍ୟମରେ ଏହି ୩୫ଟି ଫୁଡ୍ ସେଫ୍ଟି ଅଫିସର ନିମନ୍ତେ ନିଯୁକ୍ତି ପ୍ରକ୍ରିୟା କରାଯିବ।

ସେହିପରି କଲେଜ ଅଧ୍ୟାପକମାନଙ୍କର ପଦବୀ ପରିବର୍ତ୍ତନ ହୋଇ ସର୍ବଭାରତୀୟସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରୁପ-୧,୨,୩) ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ଆଦି ପଦବୀକୁ ପରିବର୍ତ୍ତିତ ହୋଇଛି। ତେଣୁ ୧୯୯୦ ମସିହାରେ ଓଡ଼ିଶା ଶିକ୍ଷାସେବା(କଲେଜ ଶାଖା), ୧୯୯୦ ଓଡ଼ିଶା ଶିକ୍ଷା ସେବା(ବରିଷ୍ଠ ପ୍ରଶାସନିକ ସେବା), ୧୯୯୦ ଓଡ଼ିଶା ଶିକ୍ଷା ସେବା (ପ୍ରଫେସର ଗ୍ରେଡ୍‌) ରୁଲକୁ ଆମୂଳଚୂଳ ପରିବର୍ତ୍ତନ କରି ଏହାକୁ ଯୁଗପଯୋଗୀ କରିବାର ଆବଶ୍ୟକତା ଥିବା ଓ ଏହାକୁ ଉଚ୍ଛେଦ କରିବାର ଆବଶ୍ୟକ ରହିଛି। ଉପରୋକ୍ତ ୩ଟି ରୁଲ୍ସକୁ ଉଚ୍ଛେଦ କରି ଏକକ ରୁଲ୍ସ୍ ପ୍ରଣୟନ କରାଯାଇଛି ଯାହାକି ସରକାର କଲେଜଗୁଡ଼ିକରେ ଉପରୋକ୍ତ ପଦବୀରେ ଅଧ୍ୟାପକ ନିଯୁକ୍ତି ସହଜସାଧ୍ୟ ହେବ। ଏହାସହିତ ପ୍ରାର୍ଥୀ ଚୟନବେଳେ ଅଧିକ ସଂଖ୍ୟକ ପ୍ରାର୍ଥୀ ହେଲେ ଓଡ଼ିଶା ଲୋକସେବା ଆୟୋଗ ଲିଖିତ ପରୀକ୍ଷା ବା କମ୍ପ୍ୟୁଟରଭିତ୍ତିକ ପରୀକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ କାଣ୍ଟଛାଣ୍ଟ କରିପାରିବେ। ଓପିଏସସି ଦ୍ୱାରା ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରେଡ୍‌-୧) ପଦବୀ ପାଇଁ ସିଧାସଳଖ ଚୟନ କରାଯାଇପାରିବ ଓ ଏଥିନିମନ୍ତେ ସର୍ବୋଚ୍ଚ ବୟସକୁ ୩୩ରୁ ୪୫ବର୍ଷକୁ ବୃଦ୍ଧି କରାଯାଇଛି।

ଅଧିକ ପଢ଼ନ୍ତୁ >> ସୋଶାଲ ମିଡିଆରେ ବିଜେଡିର କଟାକ୍ଷ, ଅପରାଜିତା ଦେଲେ ଜବାବ

 

 

Related story