ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନକୁ ନେଇ ଆପତ୍ତି ଉଠାଇଛନ୍ତି ଅଭିନେତ୍ରୀ ମହାଶ୍ୱେତା ରାୟ। ଚଳଚ୍ଚିତ୍ର ‘ଦେଲେ ଧରା କଥା ସରେ’ ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ଚୟନ କରାଯାଇଥିଲା। ତେବେ ଏଭଳି ଚୟନରେ ଆଦୌ ଖୁସି ନଥିବା କହି ସିଧା ସଳଖ ଚୟନ କର୍ତ୍ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ମହାଶ୍ୱେତା। ‘ଚିନି’ ଚଳଚ୍ଚିତ୍ରରେ ଭଲ ଅଭିନୟ କରିଥିଲେ ମଧ୍ୟ ଅନ୍ୟ ଏକ ଚଳଚ୍ଚିତ୍ର ପାଇଁ କେମିତି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ଚୟନ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ମହାଶ୍ୱେତା କହିଛନ୍ତି-“ଚିନି ଚଳଚ୍ଚିତ୍ରରେ ମିହିର ଦାସ ଓ ମୁଁ ଭଲ ଅଭିନୟ କରିଛୁ। ଚଳଚ୍ଚିତ୍ରଟି ଭଲ ହୋଇଛି। ଏଥିପାଇଁ ସମସ୍ତଙ୍କଠାରୁ ପ୍ରଶଂସା ମଧ୍ୟ ପାଇଛୁ। ଏହା ସତ୍ତ୍ୱେ କଣ ପାଇଁ ଏହି ଚଳଚ୍ଚିତ୍ରକୁ ପୁରସ୍କାର ମିଳିଲା ନାହିଁ ଜାଣିପଡୁ ନାହିଁ।”
ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି-“ଚଳଚ୍ଚିତ୍ର ଚୟନ ବେଳେ କୌଣସି ପକ୍ଷପାତିତା କରାଯାଇ ନାହିଁ। ବିଚାରକମାନେ ସେମାନଙ୍କ ମତ ସ୍ପଷ୍ଟ ଭାବେ ରଖିଛନ୍ତି। ସେହି ଆଧାରରେ ଚୟନ କରାଯାଇଛି। ଯଦି ପକ୍ଷପାତିତା ହୋଇଛି ବୋଲି ମହାଶ୍ୱେତା କହୁଛନ୍ତି, ତାହାହେଲେ ସେ ଜାଣିଥିବେ।”