ମହାତ୍ମା ଗାନ୍ଧି ମାର୍ଗ ନୁହେଁ ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସକୁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏଥର ରାଜ୍ୟସ୍ତରୀୟ ପରେଡ୍ କେବଳ ପୁଲିସ୍ ବ୍ୟାଣ୍ଡ ପାର୍ଟି, ୩ଟି ପୁଲିସ୍ ବାହିନୀର ଟ୍ରୁପମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ। କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ […]

ind

Manoranjan Sial
  • Published: Wednesday, 29 July 2020
  • , Updated: 29 July 2020, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସକୁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏଥର ରାଜ୍ୟସ୍ତରୀୟ ପରେଡ୍ କେବଳ ପୁଲିସ୍ ବ୍ୟାଣ୍ଡ ପାର୍ଟି, ୩ଟି ପୁଲିସ୍ ବାହିନୀର ଟ୍ରୁପମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ। କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏହି ସ୍ୱାଧୀନତା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କରୋନା ମହାମାରୀ ପରିସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କିଭଳି କରାଯିବ ସେ ନେଇ ବିଚାରବିମର୍ଶ ହୋଇଥିଲା। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଓ କରୋନା କଟକଣା ମଧ୍ୟରେ ଏହି ଜାତୀୟ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ। ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନର ସିଧାସଳଖ ପ୍ରସାରଣ ଗଣମାଧ୍ୟମରେ କରାଯିବ ଓ ଲୋକମାନେ ନିଜ ଘରେ ବସି ଟିଭି ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଦେଖିପାରିବେ। ପୁଲିସ୍ ବ୍ୟାଣ୍ଡ ପାର୍ଟି ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯିବ ଓ ଅନ୍ୟ ୩ଟି ପୁଲିସ୍ ଟ୍ରୁପ୍ ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଗୃହ ବିଭାଗ ଓ ସୂଚନା-ଲୋକସମ୍ପର୍କ ବିଭାଗ ମିଳିତ ଭାବେ ମଂଚ ନିର୍ମାଣ, ବ୍ୟାରିକେଡ୍ ତିଆରି, ପାନୀୟ ଜଳ ଯୋଗାଣ, ଆଇନଶୃଙ୍ଖଳା ଓ ଅତିଥିଙ୍କ ବସିବା ସ୍ଥାନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବେ। ଏଥିରେ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ଆଜିର ଏହି ସମୀକ୍ଷା ବୈଠକରେ ଗୃହ ସଚିବ ସଞ୍ଜିବ ଚୋପ୍ରା, ପୁଲିସ ଡିଜି ଅଭୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story