ନେତାଙ୍କ ଥଇଥାନ ପାଇଁ ବଦଳିବ ଯୋଜନା ବୋର୍ଡ ଢାଞ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନିଜର କିଛି ନେତାଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ଏବେ ରାଜ୍ୟ ଯୋଜନା ବୋର୍ଡର ଢାଞ୍ଚାରେ ରାଜ୍ୟ ସରକାର ପରିବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ବୋର୍ଡକୁ କ୍ରିୟାଶୀଳ କରିବା ନିମନ୍ତେ ଏହାର ନାଁ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ହେବ। ରାଜ୍ୟ କ୍ୟାବିନେଟର ଆବଶ୍ୟକ ଅନୁମୋଦନ ପରେ ଯୋଜନା ବୋର୍ଡ ପେସାଦାର ଢଙ୍ଗରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିଜେଡିର ୪-୫ଜଣ […]

Odisha-Secretariat0

Odisha-Secretariat0

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 10:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନିଜର କିଛି ନେତାଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ଏବେ ରାଜ୍ୟ ଯୋଜନା ବୋର୍ଡର ଢାଞ୍ଚାରେ ରାଜ୍ୟ ସରକାର ପରିବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ବୋର୍ଡକୁ କ୍ରିୟାଶୀଳ କରିବା ନିମନ୍ତେ ଏହାର ନାଁ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ହେବ। ରାଜ୍ୟ କ୍ୟାବିନେଟର ଆବଶ୍ୟକ ଅନୁମୋଦନ ପରେ ଯୋଜନା ବୋର୍ଡ ପେସାଦାର ଢଙ୍ଗରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ୪-୫ଜଣ ବରିଷ୍ଠ ନେତାଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଥଇଥାନ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ପଙ୍ଗୁ ହୋଇ ପଡ଼ିଥିବା ଯୋଜନା ବୋର୍ଡ ଉପରେ ଦଳର ଆଖି ପଡ଼ିଛି। ଯୋଜନା ବୋର୍ଡକୁ ପୁନର୍ଗଠନ କରି ସେଥିରେ ଦଳୀୟ ନେତା ଓ ଦଳ ସମର୍ଥିତ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ ରଖିବାକୁ ବି ଯୋଜନା ଚାଲିଛି। କେନ୍ଦ୍ରରେ ନୀତି ଆୟୋଗ ଢାଞ୍ଚାରେ ଏହି ବୋର୍ଡକୁ ପୁନର୍ଗଠନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରସ୍ତାବିତ ପରିବର୍ତ୍ତିତ ବୋର୍ଡରେ ଦଳର ଉଭୟ ମହିଳା ଓ ପୁରୁଷ ନେତାମାନଙ୍କୁ ଥଇଥାନ ପାଇଁ ତାଲିକା ପ୍ରସ୍ତୁତି ଚାଲିଛି।

ଏହି ଯୋଜନା ବୋର୍ଡକୁ ଅଧିକ କ୍ଷମତା ପ୍ରଦାନ କରି ତାକୁ କ୍ରିୟାଶୀଳ କରିବାର ଆଳ ଦେଖାଇ କ୍ୟାବିନେଟରେ ୧୦-୧୨ ଦିନ ମଧ୍ୟରେ ଏନେଇ ପ୍ରସ୍ତାବ ଆଗତ କରାଯିବ। ତା’ପରେ ଦଳୀୟ ନେତାମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ଥଇଥାନ କରାଯିବ। ଆଞ୍ଚଳିକ ବୈଷମ୍ୟ ଦୂର କରିବାର ବାହାନା ଦେଖାଇ ରାଜ୍ୟ ସରକାର ଏଥିରେ ରାଜ୍ୟର ବିଭିନ୍ନ ଭାଗରୁ ଦଳୀୟ ନେତାମାନଙ୍କୁ ସାମିଲ କରିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଏହି ପୁନର୍ଗଠନ ପରେ ଦଳର ପ୍ରଭାବଶାଳୀ ଯୁବନେତା ସଞ୍ଜୟ ଦାସବର୍ମା, ଦକ୍ଷିଣ ଓଡ଼ିଶାରୁ ରବି ନାରାୟଣ ନନ୍ଦ, ପଶ୍ଚିମ ଓଡ଼ିଶାରୁ କଳିକେଶ ସିଂହଦେଓ ଓ ପୁଷ୍ପେନ୍ଦ୍ର ସିଂହଦେଓ, ଉତ୍ତର ଓଡ଼ିଶାରୁ ରବି ଜେନା ଏବଂ ପୂର୍ବ ଓଡ଼ିଶାରୁ ମହେଶ୍ୱର ମହାନ୍ତି ଓ ଦେବାଶୀଷ ସାମନ୍ତରାୟଙ୍କ ଭଳି ନେତାଙ୍କୁ ଥଇଥାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପରାଜିତ ନେତାମାନଙ୍କୁ ଥଇଥାନ କରି ଦଳର ଦ୍ୱିତୀୟ ଧାଡ଼ିର ନେତାମାନଙ୍କୁ ଦଳରେ ଅଗ୍ରାଧିକାର ଦେବାକୁ ପ୍ରୟାସ ଚାଲିଛି ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଦଳ ନିଜର ଏହି ପ୍ରଭାବଶାଳୀ ପରାଜିତ ନେତାମାନଙ୍କ ଚାପରେ ଚେପା ହୋଇଯାଇଛି। ଯେଉଁଥିପାଇଁ ଏଭଳି କସରତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୀର୍ଘ ୧୨ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିନଥିବାବେଳେ ଏହାର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ଆରଏନ୍ ଦାଶ ଓ ଓଏସଡି ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି। ସରକାର ସେମାନଙ୍କ ସ୍ଥାନରେ ଅନ୍ୟ କାହାରିକୁ ଏଯାଏ ନିଯୁକ୍ତି ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos