ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ମାନ୍ୟତା ପ୍ରତ୍ୟାହାର ହୋଇନି: ଉତ୍କଳ ସମ୍ମିଳନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷା ତାଲିକାରୁ ଓଡ଼ିଆ ଭାଷା ବାଦ୍ ପଡ଼ିନାହିଁ କିମ୍ବା ଏହାର ମାନ୍ୟତା ପ୍ରତ୍ୟାହାର ହୋଇନାହିଁ। ଓଡ଼ିଶା ରାଜନୀତିକ ଦଳଗୁଡ଼ିକ କେଉଁ ଆଧାରରେ ଏବେ ଏହି ମାନ୍ୟତା ପ୍ରତ୍ୟାହାର ହୋଇଛି ବୋଲି କହୁଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଡଃ ରାଧାନାଥ ପ୍ରହରାଜ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଆ ଭାଷା ମାନ୍ୟତା ପ୍ରତ୍ୟାହାର ହୋଇଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ ଏବେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ […]

Utkal

Ordigital Desk
  • Published: Wednesday, 29 September 2021
  • , Updated: 29 September 2021, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷା ତାଲିକାରୁ ଓଡ଼ିଆ ଭାଷା ବାଦ୍ ପଡ଼ିନାହିଁ କିମ୍ବା ଏହାର ମାନ୍ୟତା ପ୍ରତ୍ୟାହାର ହୋଇନାହିଁ। ଓଡ଼ିଶା ରାଜନୀତିକ ଦଳଗୁଡ଼ିକ କେଉଁ ଆଧାରରେ ଏବେ ଏହି ମାନ୍ୟତା ପ୍ରତ୍ୟାହାର ହୋଇଛି ବୋଲି କହୁଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଡଃ ରାଧାନାଥ ପ୍ରହରାଜ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଆ ଭାଷା ମାନ୍ୟତା ପ୍ରତ୍ୟାହାର ହୋଇଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ ଏବେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି। ବାସ୍ତବରେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ମିଳିଥିବା ମାନ୍ୟତା ପ୍ରତ୍ୟାହାର ହୋଇଛି କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ରାଜ୍ୟ ସରକାର ଆଜି ଏଥିରେ ସାମିଲ ବିରୋଧୀ ଦଳଙ୍କ ଉଦବେଗରେ ନିଜକୁ ସମ୍ପୃକ୍ତ କରାଇଛନ୍ତି।

‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ଡଃ ପ୍ରହରାଜ କହିଛନ୍ତି ଯେ, ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ମିଳିଛି ସତ, କିନ୍ତୁ ଏବେ ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ଯେଉଁଭଳି ସମ୍ମାନ ଓ ସୁବିଧା ମିଳିବା କଥା ତାହା ଏବେ ମିଳୁନାହିଁ। ବଙ୍ଗାଳୀ ଓ ଊର୍ଦ୍ଦୁ ଭାଷାକୁ ମଧ୍ୟ ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ମିଳିଛି ଓ ଏବେ ଏହି ଭାଷାକୁ ଯେପରି ଗୁରୁତ୍ୱ ମିଳୁଛି ସେହି ପରିମାଣରେ ଓଡ଼ିଆ ଭାଷାକୁ ସମ୍ମାନ ମିଳୁନି। ତେଣୁ ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆମାନେ ଏବେ ପ୍ରତିବାଦର ସ୍ୱର ଉଠାଇଛନ୍ତି। ତା’ଛଡ଼ା ଓଡ଼ିଆ ଭାଷା ହେଉଛି ଏକ ସମୃଦ୍ଧ ଭାଷା, ଏହା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ତେଣୁ ସେ ଦୃଷ୍ଟିରୁ ଦେଖିଲେ ଝାଡ଼ଖଣ୍ଡ ସରକାର ଏହି ଭାଷାକୁ ଅଣଦେଖା କରିପାରିବେ ନାହିଁ। ଓଡ଼ିଶା ପ୍ରଦେଶ ଗଠନବେଳେ ମଧ୍ୟ ତତକାଳୀନ ବିହାର ସରକାରଙ୍କ ସହ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ତଥା ସେମାନେ ଝାଡ଼ଖଣ୍ଡ(ଷଡ଼େଇକଳା-ଖରସୁଆ) ଅଂଚଳରେ ରହୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କ ଭାଷାକୁ ସୁରକ୍ଷା ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଓଡ଼ିଆ ଭାଷାର ସ୍କୁଲଗୁଡ଼ିକରେ ଶିକ୍ଷକ ନିଯୁକ୍ତି ସମେତ ଭାଷାର ପ୍ରଚାରପ୍ରସାର ଦିଗରେ ଆଶାନୁରୂପ ପଦକ୍ଷେପ ଏବେ ଝାଡ଼ଖଣ୍ଡ ସରକାର ନେଉନାହାନ୍ତି । ତେଣୁ ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡ ସରକାର ଯେଉଁ ପରିମାଣରେ ଗୁରୁତ୍ୱ ଦେବା କଥା ତାହା ଦେଉନଥିବାରୁ ଏବେ ପ୍ରତିବାଦର ସ୍ୱର ଉଠିଛି।

ଭାଷାର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଉତ୍କଳ ସମ୍ମିଳନୀ ପକ୍ଷରୁ ଏଭଳି ବୟାନ ଆସିଥିବାବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ପୃଷ୍ଠାର ଚିଠି ଲେଖି ଝାଡଖଣ୍ଡ ସରକାର ଓଡ଼ିଆ ଭାଷାର ମାନ୍ୟତାକୁ ପ୍ରତ୍ୟାହାର କରି ନେଇଥିବାରୁ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଝାଡ଼ଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ଅସମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିବା ସହ ଓଡ଼ିଶା ସରକାର କାହିଁକି ଏହି ପ୍ରତ୍ୟାହାରର ପ୍ରତିବାଦ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଦ୍ୱିତୀୟ ରାଜଭାଷା ପ୍ରତ୍ୟାହାର ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୁଃଖଦ ଖବର ବୋଲି ଶ୍ରୀ ନାଏକ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଚନ୍ତି ଯେ, ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ ସେ ଏହି ପ୍ରସଙ୍ଗରେ ଆଲୋଚନା କରିବେ । ସୀମାନ୍ତ ରାଜ୍ୟଗୁଡ଼ିକରେ ଓଡ଼ିଆ ଭାଷା ରହିବ । ଓଡ଼ିଆ ପିଲାମାନେ ଓଡ଼ିଆ ଭାଷାରେ ପାଠ ପଢ଼ିପାରିବେ । ଏନେଇ ସରକାର ସବୁ ସମୟରେ ଠୋସ୍ ପଦକ୍ଷେପ ନେଉଛନ୍ତି । ଝାଡ଼ଖଣ୍ଡ ସହ ଆମ ସମ୍ପର୍କ ଭଲ, ୧୫୦ ଓଡ଼ିଆ ସ୍କୁଲ ସେଠାରେ ଅଛି । ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ଗୁରୁତ୍ୱ ଦିଆଯାଉଥିବା ଆମର ନଜରରେ ରହିଛି । ଆବଶ୍ୟକ ପଡ଼ିଲେ ସେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହେବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ତାଲିକାରୁ ଓଡ଼ିଆକୁ ବାଦ୍ ଦିଆଯାଇଥିବା ନେଇ ଗତ ଦୁଇଦିନ ଧରି ରାଜନୀତିକ ଦଳଗୁଡ଼ିକ ବୟାନବାଜି କରୁଥିବାବେଳେ ସେପରି କୌଣସି ନିଷ୍ପତ୍ତି ଅବା ନିର୍ଦ୍ଦେଶନାମା ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ଜାରି ହୋଇନଥିବା ନେଇ ଉତ୍କଳ ସମ୍ମିଳନୀ ସ୍ପଷ୍ଟ କରିଛି ।

Related story