H7
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଉନ୍ନତି ପାଇଁ କାହାର ଅବଦାନ ବେଶୀ, ବିଜେଡିର ନା ବିଜେପିର। ଯଦି ଆପଣଙ୍କୁ ଏ ପ୍ରଶ୍ନ ପଚରାଯାଏ ତେବେ ଆପଣଙ୍କ ଉତ୍ତରା କ’ଣ ହେବ। ଖାଲି ଆପଣ ନୁହଁନ୍ତି, ସାରା ଓଡ଼ିଶା ଏବେ ଏମିତି ଦୋଛକିରେ ପଡିଛି। ରାଜ୍ୟର ବିକାଶକୁ ଆଳ ଦେଖାଇ ଆସୁଥିବା ୨ ପ୍ରମୁଖ ରାଜନୈତିକ ଦଳ ଏବେ ବିକାଶ ନୁହେଁ ‘ହକ୍’ ଆଉ ‘ଜବାବ୍’ ଅଭିଯାନରେ ମାତିଛନ୍ତି। ଆଉ ଏମିତି ଦୋଷ ଲଦାଲଦି କାର୍ଯ୍ୟରେ ଲାଗିଥିବା ଦୁଇ ଦଳ ରାଜ୍ୟର ବିକାଶକୁ ଅଣଦେଖା କରିଦେବିକି ବୋଲି ପ୍ରଶ୍ନ ଉଙ୍କି ମାରୁଛି।
ନିର୍ବାଚନର ଠିକ୍ ପୂର୍ବରୁ ନିଜର ବିକାଶମୁଖୀ ଯୋଜନା ଓ ଅନ୍ୟକୁ ଅପରାଗ କହି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ଯେଉଁଠି ବିଜେଡିର ୧୯ ବର୍ଷର ଶାସନର ବିଫଳତାକୁ ନେଇ ବିଜେପି “ଜବାବ ମାଗୁଛି ଓଡ଼ିଶା” କ୍ୟାମ୍ପେନ୍ ଚଳାଇଛି ସେଇଠି କେନ୍ଦ୍ର ଅବହେଳା କଥା ଉଠାଇ ବିଜେଡି ଆରମ୍ଭ କରୁଛି “ହକ୍ ମାଗୁଛି ଓଡ଼ିଶା” ଅଭିଯାନ। ଆଉ ଏଭଳି ସ୍ଥିତିରେ ଏହି ଦୁଇ ଦଳଠାରୁ ଆପାତତଃ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଛି।
ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟର ବିକାଶ ଲାଗି ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଗୁରୁ ଦାୟିତ୍ୱ ରହିଛି। ହେଲେ ତାକୁ ପାଳନ କରାଯାଉ ନ ଥିବା ଅଭିଯୋଗ ଆଣି ପରସ୍ପରର ଗୋହି ଖୋଳାଖୋଳି ହେଉଛନ୍ତି ଉଭୟ ବିଜେପି ଓ ବିଜେଡି। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ଆଗରେ ବିଜେପି ନବୀନ ସରକାରଙ୍କ ବିଫଳତାର ହିସାବ ରଖୁଥିବାବେଳେ, ବିଜେଡି ଉଠାଉଛି ମୋଦି ସରକାରଙ୍କ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ। ଯାହାକି ଆଗାମୀ ନିର୍ବାଚନରେ ହେବାକୁ ଯାଉଛି ପ୍ରମୁଖ ପ୍ରସଙ୍ଗ।
ହକ୍ ମାଗୁଛି ଓଡ଼ିଶାରେ ବିଜେଡି ଉଠାଇଥିବା ପ୍ରମୁଖ ଇସ୍ୟୁମଧ୍ୟରେ ରହିଛି- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟାପାହ୍ୟା ମାନ୍ୟତା, ରେଳ ବିକାଶ କ୍ଷେତ୍ରରେ ଅବହେଳା, କୋଇଲା ରୟାଲଟି ନ ବଢାଇବା, ଜାତୀୟ ରାଜପଥ ମରାମତିରେ ସମସ୍ୟା, ଧାନର MSP ନ ବଢ଼ାଇବା, ମହାନଦୀ ବିବାଦରେ ପାତର ଅନ୍ତର ଓ ନିଯୁକ୍ତି ପ୍ରତିଶ୍ରୁତି ପୂରଣରେ ବିଫଳତା।
ସେହିପରି ଏହା ପୂର୍ବରୁ ବିଜେପି ଆରମ୍ଭ କରିଥିବା ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମରେ ବିଜେଡି ସରକାରର ଦୁର୍ନୀତି, ବଢୁଥିବା ନାରୀ ନିର୍ଯାତନା, ନିଯୁକ୍ତି, ଚାଷୀ ସମସ୍ୟା, ଜଳସେଚନ, ଦାଦନ, ପାନୀୟ ଜଳ, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଦି ପ୍ରସଙ୍ଗ ଜୋରଦାର୍ ଢଙ୍ଗରେ ଉଠାଇଛି ଦଳ।
ଏହି ଦୁଇ ଦଳର ଆଭିମୁଖ୍ୟକୁ କିନ୍ତୁ ସମାଲୋଚନା କରିଛି କଂଗ୍ରେସ୍। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଡ୍ରାମା କରୁଛନ୍ତି। ଓଡିଶା ପ୍ରତି କାହାର ଦରଦ ନାହିଁ କହି ବର୍ଷିଛି କଂଗ୍ରେସ୍ । ଜବାବ କି ହକ୍ ମାଗିବା ବଦଳରେ କୃଷିଋଣ ଛାଡ, ଏମ୍ଏସ୍ପି ବୃଦ୍ଧି, ସବୁ ପରିବାରରୁ ଜଣକୁ ଚାକିରି ଆଦି ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ କିଣିବାକୁ ଚେଷ୍ଟା କରୁଛି ଦଳ।
ଆଗକୁ ନିର୍ବାଚନ ଥିବାରୁ ଏ ସବୁ କେତେ ଲାଭବାନ୍ ହେବ ଓ କେଉଁ ଦଳକୁ ବିଶେଷ ସହାୟକ ହେବ ସେ ନେଇ ପ୍ରଶ୍ନଚିହ୍ନ ଉଠିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/H7.jpg)