ଦୁଇ ମନ୍ତ୍ରୀଙ୍କ ତୈଳଚିତ୍ରକୁ ବେଳାଭୂମିରେ ସମାଧି ଦେଲେ ଆନ୍ଦୋଳନକାରୀ

ପୁରୀ (ଓଡ଼ିଶା ରିପୋର୍ଟର): “ମରିବୁ ପଛେ ଛାଡିବୁ ନାହିଁ। ବେଳାଭୂମିରେ ଆଉ ଏକ ନୂତନ ବ୍ଲୁ ଫ୍ଲାଗ ବିଚ୍‌ କରାଇଦେବୁ ନାହିଁ।” ଆଜି ଏପରି ସ୍ଲୋଗାନ୍‌ରେ କମ୍ପିଛି ପୁରୀ ବେଳାଭୂମି। ଆନ୍ଦୋଳନରତ ବେଳାଭୂମି ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ଦୀର୍ଘ ୨୬ ଦିନ ପରେ ଆଜି ଚକ୍ରତୀର୍ଥ ବେଳାଭୂମିରେ ଜେସିବି ମାଧ୍ୟମରେ ଖୋଳାଯାଇଥିବା ବାଲିକୁ ପୋତି ଦେଇଛନ୍ତି। ଏଥିସହ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କ ତୈଳଚିତ୍ରକୁ ମଧ୍ୟ ବାଲିରେ ସମାଧି ଦେଇଛନ୍ତି। ବ୍ଲୁ ଫ୍ଲାଗ୍‌କୁ ବେଳାଭୂମି ବ୍ୟବସାୟୀ […]

Puri

Manoranjan Sial
  • Published: Tuesday, 11 January 2022
  • , Updated: 11 January 2022, 10:26 PM IST

ପୁରୀ (ଓଡ଼ିଶା ରିପୋର୍ଟର): “ମରିବୁ ପଛେ ଛାଡିବୁ ନାହିଁ। ବେଳାଭୂମିରେ ଆଉ ଏକ ନୂତନ ବ୍ଲୁ ଫ୍ଲାଗ ବିଚ୍‌ କରାଇଦେବୁ ନାହିଁ।” ଆଜି ଏପରି ସ୍ଲୋଗାନ୍‌ରେ କମ୍ପିଛି ପୁରୀ ବେଳାଭୂମି। ଆନ୍ଦୋଳନରତ ବେଳାଭୂମି ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ଦୀର୍ଘ ୨୬ ଦିନ ପରେ ଆଜି ଚକ୍ରତୀର୍ଥ ବେଳାଭୂମିରେ ଜେସିବି ମାଧ୍ୟମରେ ଖୋଳାଯାଇଥିବା ବାଲିକୁ ପୋତି ଦେଇଛନ୍ତି। ଏଥିସହ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କ ତୈଳଚିତ୍ରକୁ ମଧ୍ୟ ବାଲିରେ ସମାଧି ଦେଇଛନ୍ତି।

ବ୍ଲୁ ଫ୍ଲାଗ୍‌କୁ ବେଳାଭୂମି ବ୍ୟବସାୟୀ ସଂଘ ବିରୋଧ କରୁଥିଲା। ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲା। ଆନ୍ଦୋଳନରତ ବ୍ୟବସାୟୀଙ୍କ ସହିତ ପୁରୀ ଜିଲ୍ଲାପାଳ ଆଲୋଚନା କରିଥିଲା। ମାତ୍ର ଆଲୋଚନା ବିଫଳ ହେବା ପରେ ଦୀର୍ଘ ୨୬ ଦିନ ଧରି ଆନ୍ଦୋଳନରେ କରୁଥିଲେ ସଂଘର କର୍ମକର୍ତ୍ତା। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍‌ କଟକଣା ଲାଗୁ ହୋଇଥିବାରୁ ଏକତ୍ରିତ ଭାବେ ବେଳାଭୂମିରେ ପ୍ରତିବାଦ ନକରି ଆଜିଠାରୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ଆନ୍ଦୋଳନକାରୀ।

ତେବେ ଆନ୍ଦୋଳନ ସ୍ଥଗିତ ରହିଥିଲେ ମଧ୍ୟ ଚକ୍ରତୀର୍ଥ ବେଳାଭୂମିରେ କୌଣସି ପରିସ୍ଥିତିରେ ନୂତନ ବ୍ଲୁ ଫ୍ଲାଗ ବିଚ୍‌ କିମ୍ବା ନିର୍ମାଣ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ବେଳାଭୂମି ସୁରକ୍ଷା ସମିତିର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।

ସେ ଆହୁରି କହିଛନ୍ତି-“ଚାଲିଥିବା ଆନ୍ଦୋଳନର ଶେଷ ହୋଇନାହିଁ। ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଲକ୍ଷ୍ୟ ରଖି ଆଉ ଶହଶହ ସଂଖ୍ୟକ ଲୋକ ଏକସଙ୍ଗେ ବସିବା ସମ୍ଭବ ନୁହେଁ। ତେଣୁ କେବଳ ୫ ଜଣ ଲୋକ ପହରା ଦେବେ। ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ଆଚଣବିଧି ଲାଗୁ ହୋଇଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ଆନ୍ଦୋଳନର ୨୬ ଦିନ ପରେ ନିଷ୍ପତ୍ତି ହେଲା, ସବୁ ନିର୍ମାଣ କାମର କବର ଦିଆଯିବ। ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗର ଦୁଇ ମନ୍ତ୍ରୀ ଏବଂ ବ୍ଲୁ ଫ୍ଲାଗ୍‌କୁ ମଧ୍ୟ ଆଜି କବର ଦିଆଯାଉଛି।”

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି-“ଏ ସମୁଦ୍ର ସାଧାରଣ ସମୁଦ୍ର ନୁହେଁ। ଇଏ ଗୋଆ କି ଲଣ୍ଡନର ସମୁଦ୍ର ନୁହେଁ। ଏହା ହେଉଛି ତୀର୍ଥରାଜ ମହୋଦଧି। ଇଏ ହେଉଛି ମହାପ୍ରଭୁଙ୍କ ଶ୍ୱଶୁର ଘର ଓ ଲକ୍ଷ୍ମୀଙ୍କ ବାପଘର। ଏଇଠି ଦାରୁବ୍ରହ୍ମ ଲାଗିଥିଲା।”

ସେପଟେ ଆଲୋଚନା ବେଳେ ଜିଲ୍ଲାପାଳ କହିଥିଲେ, ବ୍ଲୁ ଫ୍ଲାଗ୍‌ ବିଚ୍‌ ନିର୍ମାଣ ନୁହେଁ, ବରଂ ଏହି ବେଳାଭୂମିରେ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବା ପାଇଁ କାମ ଚାଲିଛି। କେବଳ ରାସ୍ତା ଓ ପାର୍କ ନିର୍ମାଣ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଏହାସହ କୌଣସି ବ୍ୟବସାୟୀଙ୍କୁ ଏଠାରୁ ଉଚ୍ଛେଦ କରାଯିବ ନାହିଁ ବୋଲି ମଧ୍ୟ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ତେବେ ଜିଲ୍ଲାପାଳଙ୍କର ଏହା ପ୍ରତିଶ୍ରୁତି ନୁହେଁ, ବରଂ ଚକ୍ରାନ୍ତ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

Related story