ରାୟଗଡ଼ା (ମନୋଜ ପାତ୍ର): ରାଜ୍ୟ ସରକାର ସ୍ମାର୍ଟ କ୍ଲାସ୍ ରୁମ୍ ପ୍ରତିଷ୍ଠା କରୁଛନ୍ତି। ହାଇଟେକ ଟେକ୍ନୋଲୋଜିରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖାଉଛନ୍ତି। ଶିକ୍ଷାଦାନ ପାଇଁ ଅତ୍ୟାବଶ୍ୟକ ଆବଶ୍ୟକତା ପୂରଣ ନକରି ରାଜ୍ୟ ମୁଖିଆ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ କ୍ଲାସ୍ ରୁମ୍ ଲୋକାର୍ପଣ କରୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ପିଲାମାନେ ଯଦି ସ୍ମାର୍ଟ କ୍ଲାସ୍ ରୁମ୍ର ପାଠ ପଢ଼ୁଥିଲେ, ତାହାହେଲେ ୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ପାଖରେ କଣ ଅଭିଯୋଗ କରିବାକୁ ଯାଇଛନ୍ତି? ଏହାର ଉତ୍ତର ହୁଏତ ଶାସନ ବ୍ୟବସ୍ଥାରେ ଥିବା ବାବୁମାନଙ୍କ ପାଖରେ ନଥିବ। ହେଲେ ଯେଉଁମାନଙ୍କ ପିଲା ଦୁଃଖ ଓ ଯନ୍ତ୍ରଣା ପାଇ ଏକଲବ୍ୟ ସ୍କୁଲରେ ପାଠ ପଢ଼ୁଥିବେ ସେମାନେ ମର୍ମେ ମର୍ମେ ଜାଣିପାରୁଥିବେ।
ପୂରା ଘଟଣାଟି ଏମିତି। ରାୟଗଡ଼ା ସହର ଶିରିଗୁଡ଼ାରେ ରହିଛି ଏକଲବ୍ୟ ଆବାସିକ ବିଦ୍ୟାଳୟ। ଓଡ଼ିଶା ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟରେ ପଞ୍ଚମରୁ ଦଶମ ପର୍ଯ୍ୟନ୍ତ ରହିଛି। ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ହେଲେ ଛାତ୍ରଛାତ୍ରୀଙ୍କ ମୌଳିକ ଆବଶ୍ୟକତା ପୂରଣ କରାଯାଉ ନାହିଁ।
ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ମିଳୁନି ଶିକ୍ଷାଦାନ। ଆବଶ୍ୟକ ଶିକ୍ଷକ ନଥିବାରୁ ପିଲାମାନେ ଠିକ୍ ପାଠ ପଢ଼ି ପାରୁନାହାନ୍ତି। ଯେଉଁଥିପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ବିଦ୍ୟାଳୟରେ କେବଳ ଶିକ୍ଷକ ଅଭାବ ନୁହେଁ, ହଷ୍ଟେଲ୍ରେ ଠିକ୍ ଭାବେ ଖାଇବାକୁ ଦିଆଯାଉନି। ଶୌଚାଳୟର ଅବ୍ୟବସ୍ଥା ରହିଛି। ଯେଉଁଥିପାଇଁ ବିଶେଷକରି ଛାତ୍ରୀମାନେ ବହୁ ହଇରାଣ ହେଉଛନ୍ତି। ଠିକ୍ ସେମିତି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳୁନାହିଁ। ଦୀର୍ଘ ଦିନ ଧରି ଏପରି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ବିଦ୍ୟାଳୟ ଅଧ୍ୟକ୍ଷ ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହାନ୍ତି। ଅଭିଯୋଗ କଲେ ଅଧ୍ୟକ୍ଷ ଦୁର୍ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ନିରାଶ ହେବା ପରେ ଆଜି ୩୦୦ରୁ ଅଧିକ ଛାତ୍ରଛାତ୍ରୀ କ୍ୟାମ୍ପସ୍ ବାହାରକୁ ପାଦ କାଢ଼ିଛନ୍ତି। ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ କରିବା ପାଇଁ ୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଜିଲ୍ଲାପାଳଙ୍କୁ ଦେଖାନପାଇ ଧାରଣାରେ ବସି ନାରାବାଜୀ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ସମ୍ମୁଖକୁ ଆସିଥିଲେ ଅତିରିକ୍ତ ଜିଲ୍ଲାପାଳ। ହେଲେ ଛାତ୍ରଛାତ୍ରୀମାନେ ରୋକ୍ଠୋକ୍ ଭାବେ ମନା କରିଦେଇଥିଲେ। ଜିଲ୍ଲାପାଳ ଆସିଲେ ତାଙ୍କ ସହ ଆଲୋଚନା କରିବୁ ବୋଲି କହିଥିଲେ।
ଶେଷରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ଡାକିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମସ୍ତ ଛାତ୍ରଛାତ୍ରୀଙ୍କୁ ଡାକି ଜଣେ ପରେ ଜଣେ ଅଭିଯୋଗ ଶୁଣିଥିଲେ। ଏହି ସମୟରେ ପିଏ ଆଇଟିଡିଏ ଟୁକୁ ବାରିକ ମଧ୍ୟ ଉପସ୍ଥିତ ଥିଲେ। ଏବେ ମଧ୍ୟ ଆଲୋଚନା ଚାଲିଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ସ୍ମାର୍ଟ କ୍ଲାସ୍ ରୁମ୍ରେ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖାଉଥିବା ପିଲାମାନେ କାହିଁକି ୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍କୁ ଆସିଛନ୍ତି? କଣ ପାଇଁ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆଯାଉଛି? ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେବେ ଜିଲ୍ଲାପାଳ? ଶିକ୍ଷକ ଅଭାବ କେବେ ପୂରଣ ହେବ? ଏପରି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇ ଯାଇଛି ପିଲାମାନଙ୍କ ଭବିଷ୍ୟତ। ଜିଲ୍ଲାପାଳ ସତରେ ପିଲାଙ୍କ ଅଭିଯୋଗର ସମାଧାନ କରିବେ ନା କେବଳ ମନ ବୁଝିଲା ପରି ବୁଝାଇ ଫେରାଇ ଦେବେ?