ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାହାଡ଼ ଉପରେ ମଞ୍ଚା। ଆଉ ମଞ୍ଚା ଉପରେ ଭବିଷ୍ୟତ ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଗାଁରେ ନେଟ୍ଓ୍ୱାର୍କ ନଥିବାରୁ ପିଲାଙ୍କୁ ଏପରି ଫଣ୍ଡା ଆପଣାଇବାକୁ ପଡ଼ୁଛି। ଆଉ କେଉଁଛି ସ୍ମାର୍ଟଫୋନ ନଥିବାରୁ ପିଲାମାନେ ପାଠ ପଢ଼ା ଛାଡ଼ି ଦେଇ ବାପା-ମାଆଙ୍କୁ କାମରେ ସହଯୋଗ କରୁଛନ୍ତି।
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ କୃଷ୍ଣପୁର ଗାଁ। ଏହି ଗାଁରେ ମୋବାଇଲ ନେଟ୍ୱାର୍କ ନାହିଁ। ତେଣୁ ଗାଁ ଲୋକେ ମୋବାଇଲ୍ ଠିକ୍ ଭାବେ କାମ କରୁନି। ତାହାହେଲେ ଏଠି ପିଲାମାନେ କେମିତି ପଢ଼ିବେ ଅନ୍ଲାଇନ୍ ପାଠ? ତେଣୁ ଗାଁ ପାଖରେ ପାହାଡ଼ ଉପରେ ବନ୍ଧା ଯାଇଛି ମଞ୍ଚା। ଆଉ ପିଲାମାନେ ପାହାଡ଼ ଉପରକୁ ଯାଇ ବଞ୍ଚାରେ ବସି ପାଠ ପଢ଼ୁଛନ୍ତି। ଉପାୟ ବା କଣ ରହିଛି? ସେପଟେ ଗାଁରେ ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ଧରିବାର ସାମର୍ଥ ନାହିଁ। ଏପରି ସ୍ଥିତିରେ ଭୁବନେଶ୍ୱରରେ ରହି ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଗାଁ ଝିଅ ପାନ ମାଝୀଙ୍କ ସହଯୋଗ ଲୋଡିଲେ ପିଲାଏ। ଏବେ ତାଙ୍କ ମୋବାଇଲରେ ମଞ୍ଚାରେ ବସି ପାଠ ପଢ଼ୁଛନ୍ତି ସମସ୍ତେ। ଗୋଟିଏ ମୋବାଇଲ୍ରେ ସବୁ ପିଲା ଚାରି ପଟେ ଘେରି ବସି ପାଠ ପଢ଼ୁଛନ୍ତି।
ସେପଟେ ମାଲକାନଗିରି ଜିଲ୍ଲାର ଅପହଞ୍ଚ ଅଞ୍ଚଳ ଭାବେ ପରିଚିତ ବଣ୍ଡାଘାଟିର ଅବସ୍ଥା ନକହିବା ଭଲ। ଗାଁ ଲୋକଙ୍କ ପାଖରେ ମୋବାଇଲ୍ ନାହିଁ। ଯେଉଁ ଅଳ୍ପ କେତେକଙ୍କ ପାଖରେ ମୋବାଇଲ ଅଛି, ନେଟ୍ଓ୍ୱର୍କ ପାଇଁ ପାହାଡ଼ ଚଢ଼ିଲେ ମଧ୍ୟ କେଉଁଠି ମିଳୁଛି ତ ଆଉକେଉଁଠି ନାହିଁ। ଯାହା ପାଖରେ ନାହିଁ ତ ପାଠରେ ଡୋରି ବନ୍ଧା ହେଇଗଲାଣି। ଏଭଳି ସ୍ଥିତିରେ କିଏ ବାପା-ମାଆଙ୍କୁ କାମରେ ସାହାଯ୍ୟ କଲାଣି ତ କିଏ ଗାଈ ଚରେଇଲାଣି।
ପାଠ ଛାଡ଼ିଥିବା ବଣ୍ଡାଘାଟିର ଛାତ୍ର କହିଛନ୍ତି-“କରୋନା ପାଇଁ ସ୍କୁଲ ବନ୍ଦ ରହିଲା। ଗାଁରେ ନେଟ୍ଓ୍ୱର୍କ ନାହିଁ କି ଆମ ପାଖରେ ମୋବାଇଲ ନାହିଁ। ତେଣୁ ପାଠ ପଢ଼ା ବନ୍ଦ କରି ବାପାଙ୍କୁ ଚାଷ କାମରେ ସହଯୋଗ କରୁଛି।”
ଶିକ୍ଷା ବିଭାଗ ବି ତଥ୍ୟ କହୁଛି ମାଲକାନଗିରି ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀ ଅନ୍ଲାଇନ ସେବାରୁ ବଞ୍ଚିତ ହୋଇଛନ୍ତି। ହେଲେ ବାସ୍ତବତା ଯେ ତାଠୁ ଢେର ଅଧିକ ତାହା କାହାକୁ ଅଛପା ନାହିଁ।
ଏହା ଭିତରେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ପାଠ ବୋଝ କମେଇ ସିଲାବସ୍ କମ୍ କରିଛନ୍ତି। ହେଲେ ଏଭଳି ସ୍ଥିତିରେ ପିଲାଏ କେମିତି ପଢ଼ିବେ, କେମିତି ବଢ଼ିବେ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।