ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର କେନ୍ଦୁପତ୍ର ଡିଭିଜନ ମାନ୍ୟତା ଦାବି

ସୁବର୍ଣ୍ଣପୁର: ଓଡିଶାରେ ମିଳୁଥିବା କେନ୍ଦୁପତ୍ରର ବହୁ ଚାହିଦା ରହିଛି । ଉନ୍ନତମାନର କେନ୍ଦୁପତ୍ର ଲାଗି ରାଜ୍ୟର ସ୍ୱତନ୍ତ୍ର ପରିଚୟ ମିଳିଛି । ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲାରେ ମିଳୁଥିବା କେନ୍ଦୁପତ୍ରର ମାନ ଉନ୍ନତମାନର ହୋଇଥିବାରୁ ଏଠାରେ ସଂଗ୍ରହ ହେଉଥିବା ପତ୍ର ନେବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ଜିଲ୍ଲାର ହଜାର ହଜାର କଟାଳି, ପତ୍ର ତୋଳାଳୀ ଓ ପତ୍ର ବନ୍ଧାଳି ନିୟୋଜିତ ହୋଇଛନ୍ତି । ମାତ୍ର ପ୍ରୋତ୍ସାହନ ଅଭାବରୁ ଏହି […]

kendupatra1

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 09:11 AM IST

ସୁବର୍ଣ୍ଣପୁର: ଓଡିଶାରେ ମିଳୁଥିବା କେନ୍ଦୁପତ୍ରର ବହୁ ଚାହିଦା ରହିଛି । ଉନ୍ନତମାନର କେନ୍ଦୁପତ୍ର ଲାଗି ରାଜ୍ୟର ସ୍ୱତନ୍ତ୍ର ପରିଚୟ ମିଳିଛି । ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲାରେ ମିଳୁଥିବା କେନ୍ଦୁପତ୍ରର ମାନ ଉନ୍ନତମାନର ହୋଇଥିବାରୁ ଏଠାରେ ସଂଗ୍ରହ ହେଉଥିବା ପତ୍ର ନେବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ଜିଲ୍ଲାର ହଜାର ହଜାର କଟାଳି, ପତ୍ର ତୋଳାଳୀ ଓ ପତ୍ର ବନ୍ଧାଳି ନିୟୋଜିତ ହୋଇଛନ୍ତି । ମାତ୍ର ପ୍ରୋତ୍ସାହନ ଅଭାବରୁ ଏହି ଶ୍ରମୀକମାନେ ନାନା ସମସ୍ୟାରେ ଗତି କରୁଛନ୍ତି । ସୁବର୍ଣ୍ଣପୁରରେ କେନ୍ଦୁପତ୍ର ଡିଭିଜନ ନ ଥିବରୁ ଶ୍ରମିକମାନେ ବହୁ ହଇରାଣ ହେଉଛନ୍ତି ।

ଆମ ରାଜ୍ୟରେ ପ୍ରତିବର୍ଷ ରେକର୍ଡ ସଂଖ୍ୟକ କେନ୍ଦୁପତ୍ର ଉତ୍ପାଦିତ ହୋଇଥାଏ। ସବୁଜ ହୀରା ଭାବେ ପରିଚିତ କେନ୍ଦୁପତ୍ର ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଶ୍ରମ ଯୋଗାଇଛି । ରାଜ୍ୟ ସରକାର ମଧ୍ୟ କେନ୍ଦୁପତ୍ରରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଉଛି । ମାତ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଶାସନିକ ଅବହେଳାରୁ ଏହାର ସୁଫଳ ଏହି ଶ୍ରମିକମାନଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହେଉଛି । ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ମୋଟ ୧୧ଟି କେନ୍ଦୁପତ୍ର ରେଞ୍ଜ ୩ଟି ଡିଭିଜନ ଅଧୀନରେ ରହିଛି । ବଲାଙ୍ଗିର ଡିଭିଜନ ଅଧୀନରେ ୪ଟି ରେଞ୍ଜ ରହିଥିବାବେଳେ ବାକି ୭ଟି ରେଞ୍ଜ ସମ୍ୱଲପୁର ଓ ରେଢାଖୋଲ ଡିଭିଜନ ଅଧୀନରେ ରହିଛି । ମାତ୍ର ଜିଲ୍ଲାର ଏକ ସ୍ୱତନ୍ତ୍ର ରେଞ୍ଜ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରମଜୀବି। ଏଣୁ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର କେନ୍ଦୁପତ୍ର ଡିଭିଜନର ମାନ୍ୟତା ଦେବାକୁ ବାରମ୍ବାର ଦାବି ହୋଇଆସୁଛି । କୋଟସମଲାଇର ମାଳତି ସାହୁଙ୍କୁ କେନ୍ଦୁପତ୍ର ତୋଳାଯିବା ସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି ବା, ଇ ପତରତୁଲା ଆମକୁ ନାଇଁ ପୁଷାବାକେ। ହେଲେ କା କରମୁ, ଖରାଦିନ କାମଧାମ କିଛିନାଇଁ । ଦୁଇପଇସାର ଲୁଭେ କରବାକେ ପଡୁଛେ। ସରକାରୀ ସୁବିଧା କିଛି ନାଇଁ ମିଳିବାର । ଛତା ଚପଲ କିଛି ନାଇଁ ପାଇ। ପତର ତୁଲା ପଇସା ଭିଲ ମାସେ ଉତାରୁ ମିଲୁଛେ । ଦାଦରପାଲିର ଅଜୁର୍ନ ପଧାନ କୁହନ୍ତି ସକାଲୁ ସକାଲୁ କୁଟୁମ ବସିଆଁ ପତର ତୁଲି ଯାଉଛୁଁ। ଖରାତରା ପତର ତୁଲବାର ହେଉଛେ । ହେଲେ ପରିଶ୍ରମ କେ ଦେଖଲେ ଭୁତି ନାଇଁ ମିଲବାର । ହେଲେ ଭିଲ କରବାକେ ପଡୁଛେ । ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ରବୀନ୍ଦ୍ର ପ୍ରତାପ ସିଂଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ସୁବର୍ଣ୍ଣପୁର ଜିଲ୍ଲାରେ ଉନ୍ନତମାନର କେନ୍ଦୁପତ୍ର ମିଳୁଛି। ଏଠିକାର କେନ୍ଦୁପତ୍ର ତୋଳାଳି କିପରି ଠିକ ଭାବେ ତାଙ୍କର ପାଉଣା ପାଇ ପାରିବେ ସେ ନେଇ ଆମେ ଚେଷ୍ଟା କରୁଛୁ। ଏହାସହ ସୁବର୍ଣ୍ଣପୁର ଜିଲ୍ଲାକୁ କିଭଳି ସ୍ୱତନ୍ତ୍ର କେନ୍ଦୁପତ୍ର ଡିଭିଜନର ମାନ୍ୟତା ଦିଆଯାଇପାରିବ ସେ ନେଇ ଚେଷ୍ଟା ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

Related story