ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): “ମା’ ଆଖିର କଜଳ ହୋଇଯାଆନ୍ତି କି? ତା ଆଖିରୁ ଲୁହ ଝରିଲେ ଲିଭିଯାଆନ୍ତା ମୋର ଅସ୍ତିତ୍ୱ।” ବାସ୍ତବରେ ମା’କୁ ଭଲ ପାଉଥିବା ପ୍ରତି ମଣିଷ ପାଇଁ ଏହି କଥାଟି ପ୍ରଜୁର୍ଯ୍ୟ। ବୋଧହୁଏ ଏଇ କଥା ପଦକୁ ସାର୍ଥକ କରିବାକୁ ଯାଇ ଆଦ୍ୟ ବସନ୍ତରେ ନିଜକୁ ବଳି ଚେଢେଇଦେଲେ ଶରତ। ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଶରତ ପାଣି, ସ୍ୱପ୍ନ ଦେଖିଥିଲେ ଭଙ୍ଗା କୁଡିଆ ବଦଳରେ ବୁଢି ମା’ ମୁଣ୍ଡକୁ ବସା ଖଣ୍ଡକ ଯୋଗାଡ କରିପାରିବେ। ହେଲେ ସେତକ ହେଲାନି। ଶେଷରେ ସରକାରୀ ଯୋଜନାରେ ଘର ଖଣ୍ଡେ ଯୋଗାଡ କରିପାରିବେ ବୋଲି ଆଶା ଥାପିଲେ ସରକାରୀ କଳ ଉପରେ। ହେଲେ ସେଥିରେ ବି ଫେଲ ମାରିଲେ। ସବୁ ଆଶା ତୁଟିଯିବା ପରେ ଆଉ କିଛି ବୁଦ୍ଧିବାଟ ଦିଶିଲାନି। ଶେଷରେ ନିଜକୁ ଶେଷ କରିଦେଲେ। ସେ ଭୁଲ୍‌ କଲେ କି ଠିକ୍‌ ସେ କଥାକୁ ତର୍ଜମା କରିବାର ବେଳ ନାହିଁ, ହେଲେ ଏବେ ପ୍ରଶ୍ନ ସେଇ ବୁଢି ମା’ ଜଣକ ଏବେ କାହା ଭରଷାରେ ରହିବେ?</p> <p>“ଏ କ’ଣ କଲୁ ରେ ଟନିଆ”। ବାସ୍‌ ଏଇ କଥା ପଦକରୁ ଆପଣ ବୁଝିପାରୁଥିବେ ସେ ଦୁଃଖିନି ମା’ର ସ୍ଥିତି। ପୁଅର ଦରପୋଡା ମଲା ଶରୀରକୁ ଅଣ୍ଡାଳି ଅଣ୍ଡାଳି ବୃଦ୍ଧା ମା’ ଜଣକର କାନ୍ଦିବାର ଦୃଶ୍ୟ ଥିଲା ବେସ୍‌ ହୃଦୟ ବିଦାରକ। ମା’ ଲୁହ ପୋଛି ନ ପାରିବା ଦୁଃଖରେ ସବୁଦିନ ଆଖି ବୁଜି ସେଇ ମା’କୁ ସବୁଦିନ ଲାଗି କନ୍ଦେଇଦେଇ ଗଲେ ଶରତ।</p> <p>ସୂଚନାଯୋଗ୍ୟ, ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ୧୩ ନମ୍ବର ଓ୍ୱାର୍ଡରେ ଏଇ ଭଙ୍ଗାକୁଡ଼ଇାରେ ନିଜ ମା’ଙ୍କ ସହ ରହୁଥିଲେ ଶରତ ପାଣି। ବୁଢ଼ୀ ମାର ଅଲିଅଳ ଟନିଆ ଉଚ୍ଚ ଶିକ୍ଷିତ ଥିଲେ। ହେଲେ ଗରିବୀର ଜ୍ୱାଳା ତାଙ୍କୁ ସବୁବେଳେ ଜାଳୁଥିଲା। ଅଭିଯୋଗ ହେଉଛି ୨୦୧୩ ଫାଇଲିନ୍ ବାତ୍ୟାରେ ତାଙ୍କ ପୈତୃକ ଘର ଖଣ୍ଡିକ ଭାଙ୍ଗିଯାଇଥିଲା। ହତାଶ ହୋଇ ପଡିଥିଲେ ମା’ ପୁଅ ଦୁହେଁ। ଘରଟିଏ କରିବା ସମ୍ବଳ ନ ଥିଲା, ତେଣୁ ସରକାରୀ କଳ ପାଖରେ ବହୁବାର ଆବେଦନ କରିଥିଲେ । ସ୍ଥାନୀୟ ବିଧାୟକଙ୍କଠୁ ନେଇ ଜିଲ୍ଲାପାଳ, ଏନ୍ଏସି ସବୁଠି ଅଣ୍ଟା ଭାଙ୍ଗି ଛିଡା ହୋଇଥିଲେ। ହେଲେ ସବୁଠୁ ନିରାଶ ହିଁ ମିଳିଥିଲା। ଶେଷରେ ମାନସିକ ଭାରସାମ୍ୟ ହରାଇ ଗତ ୨ ତାରିଖରେ ଏଇ ଭଙ୍ଗା ଘର ଭିତରେ ନିଜ ଦେହରେ ନିଆଁ ଲଗେଇ ଦେଇଥିଲେ ଶରତ। ଗତକାଲି କଟକ ବଡ଼ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।