ପଶ୍ଚିମ ଓଡ଼ିଶା ଜଳୁଛି: ସୁନ୍ଦରଗଡ଼ ଓ ସୋନପୁରରେ ସର୍ବାଧିକ ୪୬ ଡିଗ୍ରୀ

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାର ପ୍ରକୋପ ଜାରି ରହିଛି। ଆଜି ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ସମସ୍ତ ପ୍ରମୁଖ ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ୍ ବା ତା’ଠାରୁ ଅଧିକ ରହିଥିଲା। ସୁନ୍ଦରଗଡ଼ ଓ ସୋନପୁରରେ ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ରହିଥିବା […]

heat-wave1

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 03:00 PM IST

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାର ପ୍ରକୋପ ଜାରି ରହିଛି। ଆଜି ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ସମସ୍ତ ପ୍ରମୁଖ ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ୍ ବା ତା’ଠାରୁ ଅଧିକ ରହିଥିଲା। ସୁନ୍ଦରଗଡ଼ ଓ ସୋନପୁରରେ ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୪.୬, ବଲାଙ୍ଗିରରେ ୪୪.୫, ଝାରସୁଗୁଡ଼ାରେ ୪୪.୪ ଓ ସମ୍ବଲପୁରରେ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

ତାଳଚେରରେ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳରେ ୪୩.୪, ଅନୁଗୋଳରେ ୪୩.୯, କେନ୍ଦୁଝରରେ ୪୨.୦, ଫୁଲବାଣୀରେ ୪୧.୫, ବାରିପଦାରେ ୪୨.୫ ଓ ମାଲକାନଗିରିରେ ୪୨.୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଭୁବନେଶ୍ୱର ଓ କଟକରେ ତାପମାତ୍ରା ଆଜି ୪୦ ଡିଗ୍ରୀ ତଳକୁ ଖସି ଆସିଥିଲା। ଏହି ଦୁଇ ସହରରେ ତାପମାତ୍ରା ଯଥାକ୍ରମେ ୩୯.୭ ଓ ୩୮.୫ ଡିଗ୍ରୀ ରହିଥିଲା। ବାଲେଶ୍ୱରରେ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୦.୭, ପୁରୀରେ ୩୨.୫, ଗୋପାଳପୁରରେ ୩୧.୬ ଓ ପାରାଦୀପରେ ୩୧.୫ ଡିଗ୍ରୀ ରହିଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଉ ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ଉପକୂଳ ଓଡ଼ିଶା ସହିତ ଅନ୍ୟ କିଛି ଜିଲ୍ଲାରେ ଆସନ୍ତା ୧୮ ତାରିଖ ବେଳକୁ କାଳବୈଶାଖୀର ସମ୍ଭାବନା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଖରାର ପ୍ରକୋପ ଏମିତି ଜାରି ରହିବ। ଉପକୂଳ ଓଡ଼ିଶାରେ ସ୍ଥିତି ବଦଳି ପାରେ। ଉପକୂଳ ଓଡ଼ିଶା ତଥା କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟରେ ୧୮ ତାରିଖରେ କାଳବୈଶାଖୀ ହେବାର ସମ୍ଭାବନା ରହୁଛି।”

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Related story